୧୫ଦିନ ତଳେ ପ୍ରତିଷ୍ଠିତ ବ୍ୟବସାୟୀ ତଥା ରାଜନେତାଙ୍କୁ ଅପହରଣ ଘଟଣାରେ ୫ ଅଭିଯୁକ୍ତ ଗିରଫ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାର ପ୍ରତିଷ୍ଠିତ ବ୍ୟବସାୟୀ ତଥା ରାଜନେତା ସଦାଶିବ ସାହୁ ଓରଫ ସୁନିଲ ସାହୁଙ୍କୁ ଗତ ନଭେମ୍ବର ୮ ତାରିଖଦିନ ୬ରୁ ୭ ଜଣେ ଦୁର୍ବୃତ୍ତ ଅପହରଣ କରି ନେଇଥିଲେ। ଏହି ଅପହରଣ ଘଟଣାକୁ  ପୁଲିସ ଅତି ଗୁରୁତ୍ବର ସହ ନେଇଥିଲେ।  ଉକ୍ତ ଅପହରଣକାରୀଙ୍କୁ ଠାବ କରିବାକୁ ଉଦ୍ୟମ ଜାରି ରଖା ଯାଇଥିଲା। ଅପହରଣକାରୀ ଅପହୃତଙ୍କୁ ନଭେମ୍ବର ୧୨ରେ ଜୟପୁରରେ ସନ୍ଧ୍ୟା ୭ଘଟିକାରେ ଛାଡ଼ି ଦେଇଥିଲେ।

ତେବେ ଏହି ଘଟଣାରେ ପୁଲିସ ସୋମବାର ୫ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ନାମ ସୁରେନ୍ଦ୍ର ନାଗ(୨୦),ସୁବାସ ହରିଜନ୍‌ ଓରଫ ମାନା(୨୭), ଦୈତାରୀ ହରିଜନ୍‌ (୨୬), ସୁରେଶ ହରିଜନ୍‌ (୩୨) ଓ ସୁମନ୍‌ କୁମାର ପାଢ଼ି ଓରଫ ମିକୁନ୍‌ (୨୬) ବୋଲି ଜଣାପଡ଼ିଛି। ଅନ୍ୟମାନଙ୍କୁ ଖୁବ୍‌ ଶୀଘ୍ର ଗିରଫ କରିବା ପାଇଁ ପୁଲିସ୍‌ ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି।

ଏହି ଘଟଣାରେ ପୁଲିସ ୫ଜଣଙ୍କୁ ଗିରଫ କରିବା ସହିତ କୋନଗା ଜଙ୍ଗଲରୁ ସେମାନଙ୍କଠାରୁ ଏକ ସ୍କର୍ପିଓ ଗାଡ଼ି, ୮୦ହଜାର ଟଙ୍କା ସହିତ ଗୋଟିଏ ବନ୍ଧୁକ ଓ ଦୁଇରାଉଣ୍ଡ ଅଫୁଟା ଗୁଳି ଜବତ କରିଛି। ଗିରଫ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର