ଉମୁରାହାଣ୍ଡିରେ ଜଳ ସଙ୍କଟ କାର୍ଯ୍ୟରେ ଲାଗୁନି ପାନୀୟ ଜଳ ପ୍ରକଳ୍ପ

ଡାବୁଗାଁ: ଡାବୁଗାଁ ବ୍ଲକ ଅନ୍ତର୍ଗତ ଉମୁରାହାଣ୍ଡି ଗାଁରେ ଦେଖା ଦେଇଛି ଉତ୍କଟ ପାନୀୟ ଜଳ ସଙ୍କଟ। ଲକ୍ଷାଧିକ ବ୍ୟୟରେ ଏଠାରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଇ ଥିଲେ ସୁଦ୍ଧା ଦୀର୍ଘଦିନ ହେଲା ତାହା ଅଚଳ ହୋଇ ପଡ଼ିଛି। ତେଣୁ ବିଶୁଦ୍ଧ ପିଇବା ପାଣି ପାଇଁ ଉମୁରାହାଣ୍ଡିବାସୀ ଡହଳ ବିକଳ ହେଉଛନ୍ତି। ଗାଁରେ ପ୍ରାୟ ୧୫ଶହରୁ ଊର୍ଧ୍ବ ଲୋକ ରହୁଛନ୍ତି। ଏଥିନିମନ୍ତେ ୨୦୧୨/୧୩ ବର୍ଷରେ ଆରଡବ୍ଲୁଏସଏସ ପକ୍ଷରୁ ଏଠାରେ ଲକ୍ଷାଧିକ ଟଙ୍କା ବ୍ୟୟରେ ୭୦ହଜାର ଲିଟର କ୍ଷମତା ବିଶିଷ୍ଟ ଏକ ଓଭର ହେଡ୍ ପାଣି ଟାଙ୍କି ନିର୍ମାଣ କରାଯାଇଥିଲା। ପାଇପ୍ ଲାଇନ୍ ବିଛାଯାଇ ପ୍ରତି ଘରେ ସ୍ୱଚ୍ଛ ପାଣି ଯୋଗାଣ ନେଇ ପ୍ରକଳ୍ପ ଆରମ୍ଭ ହୋଇଥିଲା। କିନ୍ତୁ ଅଳ୍ପ କେତେ ଦିନ ଚାଲିବା ପରେ ଏହି ପାନୀୟ ଜଳ ପ୍ରକଳ୍ପ ଆଉ ଚାଲିଲା ନାହିଁ। ଏହାପରେ ଗ୍ରାମବାସୀ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟ, ରାଜନେତା ତଥା ଜନପ୍ରତିନିଧିଙ୍କୁ ଗୁହାରି କରିଥିଲେ। କିନ୍ତୁ ବିଭାଗୀୟ ଅଧିକାରୀ କୌଣସି ମତେ ଅଳ୍ପ ଦିନ ପାଇଁ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରି ପୁଣି ଚୁପ୍ ବସିବାରୁ ଜଳ ଯୋଗାଣ ଠପ୍ ହୋଇଯାଇଛି। ବିଛା ଯାଇଥିବା ପାଇପ୍ ଗୁଡ଼ିକ ନିମ୍ନମାନର ହୋଇଥିବାରୁ ବିଭିନ୍ନ ସ୍ଥାନରେ ଫାଟି ଯାଇଛି। ଷ୍ଟାଣ୍ଡ ପୋଷ୍ଟ ଗୁଡ଼ିକ ସବୁ ନଷ୍ଟ ହୋଇଗଲାଣି। ପଞ୍ଚାୟତ ତରଫରୁ ବାରମ୍ବାର ମୋଟର ବଦଳା ଯାଉଥିଲେ ସୁଦ୍ଧା ତାହା ମଧ୍ୟ ଆଉ କାମ ଦେଉନାହିଁ। ଏତେ ସଂଖ୍ୟକ ଲୋକଙ୍କ ନିମନ୍ତେ ଗ୍ରାମରେ ୧୦ରୁ ୧୨ଟି ନଳକୂପ ରହିଛି। ସେଥିରୁ ମଧ୍ୟ ପର୍ଯ୍ୟାପ୍ତ ପାଣି ବାହାରୁ ନାହିଁ। ଅଧିକାଂଶ ନଳକୂପରୁ ଲୌହଗନ୍ଧ୍ ଯୁକ୍ତ ପାଣି ବାହାରୁଛି। ସେପଟେ ସକାଳୁ କାମଧନ୍ଦା ଛାଡି ମହିଳା ମାନେ ନଳକୂପ ଆଗରେ ଜମା ହେଉଛନ୍ତି। ଏପରିକି ପାଣି ପାଇଁ ପାଟି ତୁଣ୍ଡ ହେବାକୁ ପଡୁଛି।  ଗ୍ରୀଷ୍ମ ଆରମ୍ଭ ହୋଇଗଲେ ଗ୍ରାମବାସୀଙ୍କୁ ପାଣି ଚିନ୍ତାରେ ପକାଉଛି। ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ଲକ୍ଷାଧିକ ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବା ସହ ଅଚଳ ନଳକୂପ ଗୁଡ଼ିକୁ ମରାମତି ନିମନ୍ତେ ଗ୍ରାମର ଲକ୍ଷ୍ମୀ ଜାନି, କାଞ୍ଚନ ଭତ୍ରା, ଯମୁନା ଭତ୍ରା, ତୁଲ ମାଝୀ, ଡାଳିମ୍ବ ମାଝୀ, ଲୋଚନ ମାଝୀ, ଦେବକୀ ମାଝୀ, ସୁଶୀଳା ଭତ୍ରା, ଗଞ୍ଚା ପୂଜାରୀ, ସାବିତ୍ରୀ ପୂଜାରୀ ଓ ଜାନକୀ ପୂଜାରୀ ପ୍ରମୁଖ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର