ଭିନ୍ନକ୍ଷମ ନାବାଳିକାଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅଞ୍ଚଳର ଜଣେ ୯ବର୍ଷର ଭିନ୍ନକ୍ଷମ ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ବେହେଡା ପଞ୍ଚାୟତର ଗଜ ସାନ୍ତା(୨୬)ବୋଲି ଜଣାପଡିଛି। ଅନ୍ୟପଟେ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ସୂଚନା ଅନୁଯାୟୀ, ଗତକାଲି ଭିନ୍ନକ୍ଷମ ନାବାଳିକାକୁ ଘରେ ଏକୁଟିଆ ଛାଡ଼ି ତାଙ୍କ ମା’ କୁଲି କାମ କରିବାକୁ ଗାଁ ନିକଟସ୍ଥ ଜମିକୁ ଯାଇଥିଲେ। ଘରେ ଭିନ୍ନକ୍ଷମ ନାବାଳିକା ଜଣକ ଏକୁଟିଆ ଥିବାର ସୁଯୋଗ ନେଇ ବେହେଡା ପଞ୍ଚାୟତ ଅଞ୍ଚଳର ଗଜ ସାନ୍ତା ତାଙ୍କୁ ଦୁଷ୍କର୍ମ କରିଥିଲେ। ଭିନ୍ନକ୍ଷମ ପୀଡିତା ଜଣକ କେଉଁଆଡେ ଯାଇନପାରିବାରୁ ଘଟଣା ସଂପର୍କରେ କାହାରିକୁ କହି ପାରିନଥିଲେ। କିଛି ସମୟ ପରେ ଜଣେ ସଂପର୍କୀୟ ଘରକୁ ଆସିବା ପରେ ପୀଡ଼ିତା ଜଣକ ସମସ୍ତ ବିଷୟ କହିଥିଲେ। ଅପରାହ୍ନ ୫ଟାରେ ପୀଡ଼ିତାଙ୍କ ମା’ ଘରେ ପହଞ୍ଚିବା ପରେ ସମସ୍ତ ବିଷୟ ଶୁଣିବା ପରେ ଗାଁ ମୁଖିଆଙ୍କୁ ଜଣାଇଥିଲେ। ପରେ ଗାଁ ମୁଖିଆଙ୍କ ନିଷ୍ପତ୍ତି କ୍ରମେ ଗାଁରେ ଏକ ବୈଠକ ବସିଥିଲା। ବୈଠକକୁ ଗଜ ସାନ୍ତାଙ୍କୁ ମଧ୍ୟ ଡକା ଯାଇଥିଲା। ପୀଡ଼ିତାଙ୍କୁ ବିବାହ କରିବାକୁ ଏହି ବୈଠକରେ ଗଜ ସାନ୍ତାଙ୍କୁ କୁହାଯାଇଥିଲା। କିନ୍ତୁ ଗଜ ରୋକଠୋକ ମନା କରିଦେବାରୁ ପୀଡ଼ିତାଙ୍କ ମା’ ଓ ଗ୍ରାମର କିଛି ଯୁବକ ଏନେଇ ଉମରକୋଟ ଥାନାରେ ଏତଲା ଦେଇଥିଲେ। ଏଭଳି ଅଭିଯୋଗ ପାଇବା ପରେ ପୁଲିସ ଅଭିଯୁକ୍ତ ଗଜ ସାନ୍ତାଙ୍କୁ ଗିରଫ କରିଥିବା ଜଣାପଡିଛି। ଅନ୍ୟପଟେ ଭିନ୍ନକ୍ଷମ ଝିଅର ଭବିଷ୍ୟତକୁ ନେଇ ତାଙ୍କ ମା’ ଓ ପରିବାର ଲୋକ ଚିନ୍ତାରେ ପଡିଛନ୍ତି।

ସମ୍ବନ୍ଧିତ ଖବର