ସୁଧାର ଗୃହରୁ ନାବାଳିକା ନିଖୋଜ

ମାସେ ହେଲା କୌଣସି ଖବର ନାହିଁ ଖୋଜି ଆଣିବାକୁ ପରିବାରର ନିବେଦନ

ନବରଙ୍ଗପୁର: ନବରଙ୍ଗପୁ ସ୍ଥିତ ସୁଧାର ଗୃହରେ ଆଶ୍ରୟ ନେଇଥିବା ଜଣେ ନାବାଳିକା ନିଖୋଜ ହୋଇଯାଇଛନ୍ତି। ମାସେ ହେଲା ସଂପୃକ୍ତ ନାବାଳିକାଙ୍କ କୌଣସି ଖୋଜ ଖବର ନାହିଁ। ଅାଜି ପରିବାର ଲୋକ ନାବାଳିକାଙ୍କୁ ଭେଟିବା ପାଇଁ ସୁଧାର ଗୃହକୁ ଆସିଥିଲେ। ନାବାଳିକା ଏଠାରୁ କେଉଁ ଆଡ଼େ ଚାଲି ଯାଇଥିବା ନେଇ ଜାଣିବା ପରେ ଚିନ୍ତା ପ୍ରକଟ କରିଥିଲେ। ତୁରନ୍ତ ଖୋଜି ଆଣିବା ପାଇଁ ଦାବି କରିଛନ୍ତି।
ସୂଚନା ଅନୁଯାୟୀ, ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ଅଞ୍ଚଳର ଜରେ ନାବାଳିକାକୁ ଚିତ୍ର ନାମକ ଜଣେ ଯୁବକ ଅପହରଣ କରି ନେଇଥିଲା। ଏନେଇ ପାପଡ଼ାହାଣ୍ଡି ଥାନାରେ ନାବାଳିକାଙ୍କ ପରିବାର ପକ୍ଷଣଉ ଏତଲା ଦିଆଯାଇଥିଲା। ପୁଲିସ ନାବାଳିକାକୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କରିଥିଲା। ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ନାବାଳିକାକୁ ଗତ ବର୍ଷ ନଭେମ୍ବର ମାସ ୨୨ତାରିଖରେ ସୁଧାର ଗୃହରେ ଛଡ଼ାଯାଇଥିଲା। ପୁଣି ପୁଲିସ ନାବାଳିକାକୁ ନଭେମ୍ବର ୨୭ତାରିଖରେ ଶିଶୁ ମଙ୍ଗଳ କମିଟି ପାଖରେ ହାଜର କରାଇଥିଲେ। ଶିଶୁ ମଙ୍ଗଳ କମିଟି ପକ୍ଷରୁ ନାବାଳିକାକୁ ସୁଧାର ଗୃହରେ ରଖିବା ପାଇଁ ରିପୋର୍ଟ ପ୍ରଦାନ କରିଥିଲେ। ଗତ ୨୨ ନଭେମ୍ବର ମାସ ଠାରୁ ଉକ୍ତ ନାବାଳିକା ସୁଧାର ଗୃହରେ ରହି ଆସୁଥିଲେ। ନଭେମ୍ବର ୨୯ରେ ଅଭିଯୁକ୍ତର ପରିବାର ବର୍ଗ ନାବାଳିକାକୁ ଦେଖା କରିବା ପାଇଁ ଏଠାକୁ ଆସିଥିଲେ। ଏହାପରେ ହଠାତ୍ ଗତ ଡିସେମ୍ବର ୩ ତାରିଖରେ ନାବାଳିକା ସୁଧାର ଗୃହରୁ ନିଖୋଜ ହୋଇଥିଲା। ନାବାଳିକା ଜଣକ ସୁଧାର ଗୃହର ପାଚେରି ଡେଇଁ ବାହାରକୁ ଚାଲିଯାଇଥିବା ଜଣାପଡ଼ିଛି। ଏନେଇ ସୁଧାର ଗୃହ ପକ୍ଷରୁ ନବରଙ୍ଗପୁର ଥାନାରେ ଏତଲା ଦିଆଯାଇଥିବା ବେଳେ ନାବାଳିକାଙ୍କ ପତ୍ତା ମିଳୁନାହିଁ।
ନାବାଳିକାଙ୍କ ମା’ ଅଭିଯୋଗ କରିଛନ୍ତି ଯେ, ଜାନୁଆରି ୪ତାରିଖରେ ସେ, ପୁଅ ଏବଂ ଜ୍ବାଇଁ ସୁଧାର ଗୃହକୁ ଝିଅକୁ ଭେଟିବା ପାଇଁ ଯାଇଥିଲେ। ସେଠାରେ ତୁମ ଝିଅ ନଥିବା କୁହାଗଲା। ମାସେ ହେଲା ଝିଅ ନିଖୋଜ ରହିଛି ହେଲେ ସେନେଇ ପରିବାର ଲୋକଙ୍କୁ କୁହାଗଲା ନାହିଁ। ପୁଣି ଝିଅ ସହ ଅଭିଯୁକ୍ତର ପରିବାରକୁ କେଉଁ ପରିସ୍ଥିତିରେ ଭେଟିବାକୁ ଦିଆଗଲା। ଜଣେ ପୁଲିସ କର୍ମଚାରୀ ହିଁ ଅଭିଯୁକ୍ତର ପରିବାର ଲୋକଙ୍କୁ ନେଇ ସୁଧାର ଗୃହକୁ ଯାଇଥିଲେ। ଏହାର ପ୍ରମାଣ ବି ରହିଛି ଏବଂ ଆମେ ସିସିଟିଭି କ୍ୟାମେରାରେ ଦେଖିଛୁ ବୋଳି ନାବାଳିକାଙ୍କ ମା’ କହିଛନ୍ତି।
ଏହି ସଂକ୍ରାନ୍ତରେ ସୁଧାର ଗୃହ କର୍ମଚାରୀଙ୍କ ସହ ଯୋଗାଯୋଗ କରିବାରୁ ଅଭିଯୁକ୍ତର ପରିବାର ବର୍ଗ ଯେତେବେଳେ ସାକ୍ଷାତ କରିବା ପାଇଁ ଆସିଥିଲେ ସୁଧାର ଗୃହ ପକ୍ଷରୁ ତାଙ୍କୁ ଅନୁମତି ଦିଆଯାଇ ନଥିଲା। ସାଥୀରେ ଆସିଥିବା ପୁଲିସ କର୍ମଚାରୀ ଆମକୁ ଅନୁମତି ଦେବାକୁ କହିଥିଲେ। ତେଣୁ ଭେଟିବାକୁ ସୁଯୋଗ ଦିଆଗଲା ବୋଲି କହିଛନ୍ତି। ନବାଳିକାକୁ ଦେଖା କରିବା ପାଇଁ ସଦା ଜାନି ଓ କାଞ୍ଚନ ଜାନି ଆସିଥିଲେ ବୋଲି ସୁଧାର ଗୃହ ପକ୍ଷରୁ କୁହାଯାଇଛି।
ତେବେ ଏହି ଘଟଣା ସୁଧାର ଗୃହ ପାଇଁ ଆଦୌ ନୂଆ ନୁହେଁ। ୨୦୧୮ ମସିହାରେ ସୁଧାର ଗୃହରୁ ୫ ଜଣ ମହିଳା ନିଖୋଜ ହୋଇ ସାରିଲେଣି। ଏ ସଂକ୍ରାନ୍ତରେ ବିଭିନ୍ନ ଥାନାରେ ଏତଲା ଦିଆଯାଇଥିଲେ ମଧ୍ୟ ଜଣଙ୍କୁ ବି ଉଦ୍ଧାର କରାଯାଇ ନାହିଁ। ସେହିପରି ୨୦୧୭ ମସିହାରେ ମଧ୍ୟ ୩ ଜଣ ନିଖୋଜ ହୋଇଥିଲେ। ସଦ୍ୟତମ ଘଟଣା ସଂକ୍ରାନ୍ତରେ ଖବର ପାଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ ସୁଧାର ଗୃହରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସୁଧାର ଗୃହର ପାଚେରି ଉଚ୍ଚତା କମ ଥିବାରୁ ତାରବାଡ ଲଗାଇବା ପାଇଁ ନିର୍ଦେଶ ଦେଇଥିଲେ। ପ୍ରକାଶ ଥାଉକି, ଉକ୍ତ ସୁଧାର ଗୃହ ରାମକୃଷ୍ଣ ପାଠାଗାର ନାମକ ଏକ ଘରୋଇ ସଂସ୍ଥା ଚଳାଇ ଆସୁଛି। ଏବେ ୧୪ଜଣ ମହିଳା ଓ ନାବାଳିକା ସେଠାରେ ରହୁଛନ୍ତି। ସୁଧାର ଗୃହରେ ନିର୍ଯାତିତ ମହିଳା, ନାବାଳିକା ଓ ପରିବାର‌େର କେହି ନଥିବା ମହିଳା ରହି ଆସୁଛନ୍ତି। ତେବେ ବାରମ୍ବାର ଏଠାରୁ ମହିଳା ଏବଂ ନାବାଳିକା ନିଖୋଜ ହେବା ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନ ଚିହ୍ନ ଲଗାଇ ଦେଇଛି। ସୁରକ୍ଷା ପାଇଁ ଏଠାରେ ଆଣି ପ୍ରଶାସନ ଛାଡ଼ୁଥିବା ବେଳେ ପରବର୍ତୀ ସମୟରେ ନିଖୋଜ ହେବା ଘଟଣା ଚିନ୍ତା ଜନକ ବୋଲି ମତ ପ୍ରକାଶ ପାଇଛି। ତୁରନ୍ତ ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

ସମ୍ବନ୍ଧିତ ଖବର