ନବରଙ୍ଗପୁର ଜିଲ୍ଲାର ୨୧୨ ଗାଁକୁ ରାସ୍ତା ନାହିଁ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ୨୧୨ ଗାଁକୁ ଏଯାଏଁ ରାସ୍ତା ନିର୍ମାଣ ହୋଇପାରି ନାହିଁ। ଏଥିରୁ ଜିଲ୍ଲାର ବାସ୍ତବ ବିକାଶର ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିଛି। ଜିଲ୍ଲାର ମୋଟ ୧୮୯ଟି ପଞ୍ଚାୟତ ରହିଥିବା ବେଳେ ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଗୌଡଦେଓପାଲ୍ଲି, ଜି.ଦେଓପାଲି, ଦିଗି, ପାତ୍ରପୁଟ, ଝରିଗୁମ୍ମା ପଞ୍ଚାୟତର ଗୋଟିଏ ଲେଖାଏଁ ଗାଁ ଓ କୋଣ୍ଟାଗାଁ ପଞ୍ଚାୟତର ୨ଟି, ମଞ୍ଚାଗାଁ ପଞ୍ଚାୟତର ୫ଟି ଗାଁକୁ ଆଦୌ ରାସ୍ତା ହୋଇ ନାହିଁ। ଏହି ଗାଁ ଗୁଡିକ ମଧ୍ୟରୁ ମାତ୍ର ୨ଟି ଗାଁକୁ ବହୁ କଷ୍ଟରେ ସାଇକଲ ଯାଉଛି। ଅନ୍ୟ ଗାଁ ଗୁଡିକୁ କେବଳ ପାଦଚଲା ରାସ୍ତା ରହିଛି। ରାସ୍ତା ନଥିବା ଗାଁ ଗୁଡିକରେ ବିଦ୍ୟୁତ ବି ପହଞ୍ଚି ପାରି ନାହିଁ। ସେହିପରି ଉମରକୋଟ ବ୍ଲକର କୁର୍ସି ପଞ୍ଚାୟତର ୧୫ଟି, ରାଜପୁର ପଞ୍ଚାୟତର ୩ଟି, ସୁନାବେଡା, କାରଗାଁ, ତାରାବେଡା, ବଡକୁମାରୀ, ଯୋଡାବନ୍ଧ ପଞ୍ଚାୟତର ଗୋଟିଏ ଲେଖାଏଁ ଗାଁର ଅବସ୍ଥା ଅନୁରୂପ।

ନନ୍ଦାହାଣ୍ଡି ବ୍ଲକର କୋକଟସିଲି, ପୁଟଘର ଓ ଡାବୁଗାଁ ବ୍ଲକର ବାରାଜୋଡି ଗାଁକୁ ରାସ୍ତା ନାହିଁ। ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଫଟକି ଓ ସରଧାପୁର ପଞ୍ଚାୟତର ୩ଟି ଲେଖାଏଁ, ବେହେରାମୁଣ୍ଡା ପଞ୍ଚାୟତର ୨ଟି, ପାଟଖାଲିଆ ପଞ୍ଚାୟତର ୧୪ଟି, ଧୋଡିପାଣି ପଞ୍ଚାୟତର ୨ଟି, ଡାଳବେଡା ପଞ୍ଚାୟତର ୧୦ଟି, କୁହୁଡି ପଞ୍ଚାୟତର ୪ଟି ଗାଁ କୁ ରାସ୍ତା ନାହିଁ। କୋଷାଗୁମୁଡା ବ୍ଲକର ଉକିଆପଲ୍ଲି ପଞ୍ଚାୟତର ୪ଟି, ବାଣକୁଲି ପଞ୍ଚାୟତ ଓ ମୋତିଗାଁ ପଞ୍ଚାୟତର ଗୋଟିଏ ଲେଖାଏଁ ଏବଂ ସନ୍ତୋଷପୁର ପଞ୍ଚାୟତର ୨ଟି ଗାଁକୁ ସଂଯୋଗ ପାଇଁ ପକ୍କା ରାସ୍ତା କରିବାରେ ସରକାର ବିଫଳ ହୋଇଛନ୍ତି। ପାପଡାହାଣ୍ଡି ବ୍ଲକର ତୁମ୍ବରଲା, ଜଟାବାଲ ଓ ମାଝିଗୁଡା ପଞ୍ଚାୟତର ଗୋଟଏ ଲେଖାଏଁ ଏବଂ ସାନବାର୍ଲ୍ଲି, ପତ୍ରି, ମଇଦଲପୁର ପଞ୍ଚାୟତର ୨ଟି ଗାଁ କୁ ରାସ୍ତା ନାହିଁ। ରାଇଘର ବ୍ଲକର ନାକଟିସିମଡା ପଞ୍ଚାୟତର ୭ଟି, ଗଞ୍ଜାପାରା ଓ ପାରୁଆ ପଞ୍ଚାୟତର ଗୋଟିଏ ଲେଖାଏଁ, ଖୁଡୁକୁ ପଞ୍ଚାୟତର ୫ଟି, ହଳଦି ପଞ୍ଚାୟତର ୧୩ଟି, ମୁଣ୍ଡିବେଡା ପଞ୍ଚାୟତର ୧୦ଟି, ଟିମନପୁର ପଞ୍ଚାୟତର ୮ଟି ଗାଁକୁ ପକ୍କା ରାସ୍ତା ନାହିଁ। ସେହିପରି ଝରିଗାଁ ବ୍ଲକ ମହକୁମା ପଞ୍ଚାୟତର ୧୧ ଖଣ୍ଡ ଗାଁକୁ ପକ୍କା ରାସ୍ତା ନାହିଁ।

ଚକଲାପଦର ପଞ୍ଚାୟତର ୮ଟି, ଚଚା ପଞ୍ଚାୟତର ୭ଟି, ଏକାମ୍ବ ପଞ୍ଚାୟତର ୪ଟି ଗାଁ, ଗୁରୁସିଙ୍ଗା ପଞ୍ଚାୟତର ୫ଟି, କଟ୍ରିଛାପର ପଞ୍ଚାୟତର ୬ଟି, ବଡଟେମେରା ପଞ୍ଚାୟତର ଗୋଟିଏ, କନାକୋଟ ପଞ୍ଚାୟତର ୪ଟି, ତାଳଣ୍ଡି ପଞ୍ଚାୟତର ୧୨ଟି, ପାଲିଆ ପଞ୍ଚାୟତର ୪ଟି ଗାଁକୁ ରାସ୍ତା ହୋଇପାରୁ ନାହିଁ। ନବରଙ୍ଗପୁର ବ୍ଲକର ୬ଟି ଗାଁକୁ ମଧ୍ୟ ରାସ୍ତା ନିର୍ମାଣ ହୋଇପାରୁ ନାହିଁ। ଜିଲ୍ଲାର ୨୧୨ଖଣ୍ଡ ଗାଁକୁ ରାସ୍ତା ନଥିବା ବେଳେ ସେଥିମଧ୍ୟରୁ ୫୫ଖଣ୍ଡ ଗାଁକୁ କେବଳ ପାଦ ଚଲା ରାସ୍ତା ଅଛି। ଅନ୍ୟ ଗାଁ ଗୁଡିକୁ କଷ୍ଟେମଷ୍ଟେ ୨ ଚକିଆ ଯାଉଥିଲେ ହେଁ ନାଳ ଯୋଗୁଁ ବର୍ଷା ଦିନରେ ସମସ୍ୟା ହେଉଛି। ପୁଣି ୭୦ଟି ଗାଁକୁ ପାହାଡିଆ ରାସ୍ତା ଦେଇ ଅତିକ୍ରମ କରିବା ପାଇଁ ପଡେ। ବଳକା ସବୁ ଗାଁ ଗୁଡିକୁ ଜଙ୍ଗଲ ଦେଇ ଯିବା ପାଇଁ ପଡିଥାଏ। ଏହି ସବୁ ରାସ୍ତା ନଥିବା ଗାଁ ଗୁଡିକରେ ଅଙ୍ଗନଓ୍ଵାଡି କେନ୍ଦ୍ର, ଆଶା ସେବା, ଖାଉଟି ସାମଗ୍ରୀ, ପ୍ରାଥମିକ ବିଦ୍ୟାଳୟ ପାଇଁ ରାସ୍ତା ନଥିବାରୁ ସୁବିଧା ପାଇଁ ନିମନ୍ତେ ଦୂରକୁ ଯିବାକୁ ପଡୁଛି।

ବର୍ଷା ଦିନେ ଏହି ସବୁ ଗାଁର ଗର୍ଭବତୀ ଓ ରୋଗୀଙ୍କୁ ଭାର କରି ଆଣିବାର ବହୁ ନଜିର ରହିଛି। ଏହିସବୁ ରାସ୍ତା ନଥିବା ଗାଁକୁ ପ୍ରଧାନମନ୍ତ୍ରୀ ସଡକ ଯୋଜନା, ମୁଖ୍ୟମନ୍ତ୍ରୀ ସଡକ ଯୋଜନା, ଗୋପବନ୍ଧୁ ଗ୍ରାମୀଣ ଯୋଜନା ଓ ବିକେବିକେ ଯୋଜନାରେ ସାମିଲ କରାଯାଇ ୩ବର୍ଷ ମଧ୍ୟରେ ପ୍ରାୟ ସମସ୍ତ ଗାଁକୁ ପକ୍କା ରାସ୍ତା ପାଇଁ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲା ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଏବେ ଦେଖିବାକୁ ବାକି ରହିଲା ଏହି ଗାଁ ଗୁଡିକୁ କେବେ ରାସ୍ତା ହେବ ଲୋକେ ମୌଳିକ ସୁବିଧା ପାଇବେ।

ସମ୍ବନ୍ଧିତ ଖବର