୨ବର୍ଷର ଶିଶୁକୁ ହତ୍ୟା:ନିଶାସକ୍ତ ଜେଜେବାପା ବିରୋଧରେ ଅଭିଯୋଗ

ରାଇଘର,: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ବିରିପୁର (ଆଦିବାସୀ) ଗ୍ରାମର ଜଣେ ନାବାଳିକାଙ୍କ ଶ୍ୱାସରୁଦ୍ଧ କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ନାବାଳିକା ଜଣକ ସ୍ଥାନୀୟ ମନୁ ଗଣ୍ଡଙ୍କ ୨ବର୍ଷର ଝିଅ ଜ୍ୟୋତ୍ସ୍ନା ଗଣ୍ଡ ବୋଲି ଜଣାପଡିଛି। ନିଜ ଜେଜେବାପା ନିଶାସକ୍ତ ଅବସ୍ଥାରେ ଏଭଳି କାଣ୍ଡ କରିଥିବା ପରିବାର ଲୋକ କହିଛନ୍ତି। ତେବେ ଖବର ଲେଖା ହେବା ସୁଦ୍ଧା ଏନେଇ ଥାନାରେ କେହି ଲିଖିତ ଅଭିଯୋଗ କରିନାହାନ୍ତି। କିନ୍ତୁ ପୁଲିସକୁ ସୂଚନା ମିଳିଛି ଏବଂ ତଦନ୍ତ କରାଯିବ ବୋଲି ରାଇଘର ଥାନା ଅଧିକାରୀ କହିଛନ୍ତି।
ଅଭିଯୋଗ ଅନୁଯାୟୀ, ଆଜି ସଂଧ୍ୟା ପ୍ରାୟ ୫ଟାରେ ଜେଜେ ବାପା ରାଇମନ ଗଣ୍ଡ ନିଶାସକ୍ତ ଅବସ୍ଥାରେ ନାତୁଣୀ ଜ୍ୟୋତ୍ସ୍ନାକୁ ମିକ୍ସଚର ଖାଇବାକୁ ଘରୁ ଡାକି ନେଇଥିଲା। କିଛି ସମୟ ପରେ ରାଇମନ ଫେରିଥିଲେ ହେଁ ଜ୍ୟୋତ୍ସ୍ନାର ପତ୍ତା ମିଳି ନଥିଲା। ପରିବାର ଲୋକ ଦେଖିବା ବେଳକୁ ରାଇମନ ନିଶାସକ୍ତ ଅବସ୍ଥାରେ ଘର ଅଗଣାରେ ପଡି ରହିଥିଲା। ପ୍ରାୟ ଦୁଇ ଘଣ୍ଟା ଧରି ଝିଅର ସନ୍ଧାନ ନିମିଳିବାରୁ ମନୁଙ୍କ ପତ୍ନୀ ତଥା ଜ୍ୟୋତ୍ସ୍ନାର ମା’ ଖୋଜିବା ଆରମ୍ଭ କରିଥିଲେ। ବହୁ ସମୟ ଧରି ଖୋଜାଖୋଜି ପରେ ଶେଷରେ ଘର ପଛପଟ ଗୋଟିଏ ପାଳ ଗଦା ଭିତରେ ଝିଅ ନିସ୍ତେଜ ହୋଇ ପଡିଥିବା ଦେଖିବାକୁ ପାଇଥିଲେ। ୧୦୮ ଆମ୍ବୁଲାନ୍‌ସକୁ ଡକାଇ ହାଟଭରଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ପରୀକ୍ଷା କରି ଡାକ୍ତର ନିହାର ସିଂହ ମୃତ ଘୋଷଣା କରିଥିଲେ। ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ଡାକ୍ତର କହିଥିଲେ। ଡାକ୍ତରଙ୍କ ସୂଚନା ଆଧାରରେ ରାଇଘର ଥାନା ଆଇଆଇସି ନରେନ୍ଦ୍ର ମାଝୀ ବିରିପୁର ଗାଁକୁ ଯାଇଥିଲେ। ଖବର ଲେଖା ହେବା ସୁଦ୍ଧା ଥାନାରେ ଏତଲା ଦିଆଯାଇ ନଥିଲା। ସେହିପରି ଅଭିଯୁକ୍ତ ଜେଜେବାପା ରାଇମନକୁ ଗିରଫ କରାଯାଇ ନଥିଲା।
ସୂଚନାଯୋଗ୍ୟ, ପୂର୍ବରୁ ବି ଗୋଟିଏ ହତ୍ୟା ମାମଲାରେ ଗିରଫ ହୋଇ ଅଭିଯୁକ୍ତ ରାଇମନ ଜେଲକୁ ଯାଇଥିଲା। ଆଜି ମଧ୍ୟ ଶେଷଥର ପାଇଁ ଜ୍ୟୋତ୍ସ୍ନାକୁ ରାଇମନ ସହ ଦେଖିବାକୁ ମିଳିଥିଲା। ତେଣୁ ପରିବାର ଲୋକ ସିଧାସଳଖ ତାଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଛନ୍ତି। କିନ୍ତୁ କେଉଁ କାରଣରୁ ରାଇମନ ଏଭଳି ଜଘନ୍ୟକାଣ୍ଡ ଘଟାଇଲା ସେନେଇ ପରିବାର ଲୋକ କିଛି ସ୍ପଷ୍ଟ ରୂପେ କହିପାରୁ ନାହାନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟ ଏବଂ ଅଭିଯୁକ୍ତକୁ ଗିରଫ ପରେ କାରଣ ସ୍ପଷ୍ଟ ହୋଇଯିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର