୩ମାସର ଭାଲୁ ଛୁଆ ଉଦ୍ଧାର:ମା’କୁ ଖୋଜୁଛି ବନ ବିଭାଗ

ତେନ୍ତୁଳିଖୁଣ୍ଟି/ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପାତ୍ରପୁଟ ପଞ୍ଚାାୟତ ଅନ୍ତର୍ଗତ ଖରକିଗୁଡା ଗାଁରେ ଏକ ୩ ମାସର ଭାଲୁ ଛୁଆକୁ ଗ୍ରାମବାସୀ ଉଦ୍ଧାର କରିଛନ୍ତି । କୁକୁର ଦଳ ଭାଲୁ ଛୁଆକୁ ଗୋଡାଇବା ଫଳରେ ଭାଲୁ ଛୁଆ ନିଜ ମା’କୁ ଛାଡି ଅନ୍ୟତ୍ର ଚାଲି ଆସିଥିବା ଅନୁମାନ କରାଯାଉଛି। ଆଜି ଭୋରୁ ଗାଁ ନିକଟସ୍ଥ ଆମ୍ବ ତୋଟା ନିକଟକୁ ଗ୍ରାମର ଟିକି ହିଆଲ ଶୌଚ ପାଇଁ ଯିବା ବେଳେ କୁକୁର ଦଳ ଭାଲୁ ଛୁଆକୁ ଗୋଡାଉ ଥିବା ଦେଖି ପାଟି କରିଥିଲେ। କୁକୁର ଦଳ ଭାଲୁଛୁଆକୁ ଛାଡି ଚାଲି ଯାଇଥିଲେ । ଖବର ପାଇ ଗାଁର ଗୌତମ ହିଆଲ, ମନୁ ହିଆଲ, ପିଙ୍କୁ ହିଆଲ, ଲିଙ୍ଗରାଜ ମାଝୀ, ମୁନା ହିଆଲ ପ୍ରମୁଖ ପହଞ୍ଚି ଭାଲୁ ଛୁଆକୁ ଉଦ୍ଧାର କରିଥିଲେ। ଏ ସଂପର୍କରେ ବନ ବିଭାଗକୁ ସୂଚନା ଦେବା ପରେ ନବରଙ୍ଗପୁର ବନାଞ୍ଚଳ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ନନ୍ଦଙ୍କ ନିର୍ଦ୍ଦେଶରେ ବନପାଳ ମନୋରଂଜନ ପଟ୍ଟନାୟକ, ଏ.ମନୋଜଙ୍କ ସମେତ ୧୫ ଜଣିଆ ଟିମ୍ ପହଞ୍ଚିଥିଲେ । ବନ କର୍ମଚାରୀ ଭାଲୁ ଛୁଆକୁ ତା ମା ନିକଟରେ ଛାଡିବା ପାଇଁ ଖୋଜାଖୋଜି ଆରମ୍ଭ କରିଛନ୍ତି । ମା ଭାଲୁର ସନ୍ଧାନ ମିଳିବା ପରେ ଉକ୍ତ ଛୁଆକୁ ଛଡାଯିବାର ବ୍ୟବସ୍ଥା କରାଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି । ମା ଭାଲୁର ସନ୍ଧାନ ନମିଳିଲେ ଭାଲୁ ଛୁଆର ରକ୍ଷଣା ବେକ୍ଷଣ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି। ଭାଲୁ ଛୁଆକୁ ଦେଖିବା ପାଇଁ ଲୋକଙ୍କ ଭିଡ ଲାଗିଛି ।

ସମ୍ବନ୍ଧିତ ଖବର