ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି କୁସମିଯୋର ଡାକବଙ୍ଗଳା

ନବରଙ୍ଗପୁର: ନବରଙ୍ଗପୁର ଉପକଣ୍ଠସ୍ଥ କୁସମିଯୋର ଡାକବଙ୍ଗଳା ଏବେ ଭୂତ କୋଠୀ ପାଲଟିଛି। କ୍ଷୁଦ୍ର ଜଳସେଚନ ବିଭାଗ ଦ୍ଵାରା ହିର୍ଲିି ଠାରେ କୁସମିଯୋର ପ୍ରକଳ୍ପ ନିକଟରେ ୧୯୯୭ ମସିହାରେ ଏହି ଡାକବଙ୍ଗଳାର ଭିତ୍ତି ପ୍ରସ୍ଥର ସ୍ଥାପିତ ହୋଇଥିବା ବେଳେ ୨୦୦୦ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ଓ ଜଳସମ୍ପଦ ମନ୍ତ୍ରୀ ବସନ୍ତ କୁମାର ବିଶ୍ୱାଳ ଏହାର ଉଦ୍‌ଘାଟନ କରିଥିଲେ। ଏକ ଉନ୍ନତ ମାନର ହୋଇଥିବାରୁ ସେହି ସମୟରେ ବହୁ ମାନ୍ୟଗଣ୍ୟ ଅତିଥି ଆସି ଏଠାରେ ବିଶ୍ରାମ ନେଉଥିଲେ। କୁସମିଯୋର ଡ୍ୟାମକୁ ଲାଗି ରହିଥିବାରୁ ଡ୍ୟାମର ଜଳରାଶି ଓ ମନୋରମ ଦୃଶ୍ୟ ଅତିଥି ମାନଙ୍କୁ ଖୁବ୍‌ ବିମୋହିତ କରୁଥିଲା। ତେବେ କୁସମଯୋର ପ୍ରକଳ୍ପ ନିର୍ମାଣ ହେଲା ପରେ ଏହି ଡାକବଙ୍ଗଳା ଅକାମି ହୋଇପଡିଥିଲା। ଏହି ଡାକବଙ୍ଗଳାର ବ୍ୟବହାର କରାଗଲା ନାହିଁକି ରକ୍ଷଣା ବେକ୍ଷଣ କରାଗଲା ନାହିଁ। ଯାହା ଫଳରେ ଆଜି ଏହା ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି।

ଡାକବଙ୍ଗଳା ଚାରିପଟେ ମଦବୋତଲ ପଡି ରହିଛି। କୋଠରୀରୁ କବାଟ ଓ ଝରକା ସମେତ ବହୁ ମୁଲ୍ୟବାନ ଜିନିଷ ଗୁଡିକ ଚୋରି ହୋଇଗଲାଣି। ଏପରିକି ସିଲିଂ ଗୁଡିକ ବି ତାଡି ନେବା ସହ ନଷ୍ଟ ହୋଇଯାଇଛି। ବୈଦ୍ୟୁତିକ ଜିନିଷ ଗୁଡିକ ବି ଚୋରି ହୋଇଯିବାରୁ ମୁକୁଳା ପାଲଟିଛି ଡାକବଙ୍ଗଳା। ତେବେ ଏହି ଡାକ ବଙ୍ଗଳାର ପୁନରୁଦ୍ଧାର କରିବା ସହ ଏହାର ରକ୍ଷଣା ବେକ୍ଷଣ କରିପାରିଲେ ଏକ ଦର୍ଶନୀୟ ସ୍ଥାନ ପାଲଟିବା ସହ ଅତିଥି ମାନଙ୍କ ୁ ଆକୃଷ୍ଟ କରିପାରିବ ବୋଲି ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି। ଏ ନେଇ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନିର୍ବାହୀ ଯନ୍ତ୍ରୀ ସୁରେଶ ଚନ୍ଦ୍ର ଶତପଥୀଙ୍କ ସହ ଯୋଗାଯୋଗ କରିବାରୁ ଏହାର ପୁନରୁଦ୍ଧାର ପାଇଁ ଜିଲ୍ଲା ପ୍ରଶାସନ ଦୃଷ୍ଟିକୁ ନିଆଯାଇଛି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର