ତିନି ସନ୍ତାନ ପ୍ରସବ

ଚନ୍ଦାହାଣ୍ଡି: ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ମହିଳା ଏକାଙ୍ଗେ ତିନି ସନ୍ତାନଙ୍କୁ ଜନ୍ମ ଦେଇଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଧୋଡିପାଣି ଗ୍ରାମର ପ୍ରେମାନନ୍ଦ ଜଗତଙ୍କ ପତ୍ନୀ ଦିନମଣି ଜଗତ ଗତକାଲି ନିଜ ଘରେ ପ୍ରଥମେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଏହାପରେ ପୁଣି ଯନ୍ତ୍ରଣା ହେବାରୁ ଆଶା କର୍ମୀ ନେପୁର ଜଗତ ଉଭୟ ମା’ ଓ ପୁଅକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଣି ଭର୍ତି କରିଥିଲେ। ଡାକ୍ତରଖାନାରେ ପୁଣି ଗୋଟିଏ ଝିଅ ଓ ଗୋଟିଏ ପୁଅ ଜନ୍ମ ହୋଇଥିଲେ। ଉଭୟ ମା’ ଓ ଶିଶୁ ସୁସ୍ଥ ରହିଥିବା ବେଳେ ଶିଶୁ ମାନଙ୍କ ଓଜନ କମ୍‌ ଥିବାରୁ ସମସ୍ତଙ୍କୁ ଉମରକୋଟ ଡିଏନକେ ହସ୍ପିଟାଲ ଶିଶୁ ବିଶେଶଜ୍ଞ ଡା. ସନ୍ତୋଷ ପଣ୍ଡାଙ୍କ ନିକଟକୁ ପଠାଯାଇଛି। ପ୍ରଥମ ଜନ୍ମ ହୋଇଥିବା ଶିଶୁର ଓଜନ ୧ କେଜି ୧୪୦ ଗ୍ରାମ, ଦ୍ୱିତୀୟ ଶିଶୁ ୧ କେଜି ୯୦ ଗ୍ରାମ ଏବଂ ତୃତୀୟ ଶିଶୁର ଓଜନ ୯୯୦ ଗ୍ରାମ ରହିଥିବା ଭାରପ୍ରାପ୍ତ ଗୋଷ୍ଠୀ ଚିକିତ୍ସା ଅଧିକାରୀ ଡା. ବିଜୟଲକ୍ଷ୍ମୀ ପ୍ରଧାନ ପ୍ରକାଶ କରିଛନ୍ତି। ପ୍ରକାଶ ଥାଉକି, ଏହା ଦିନମଣିଙ୍କ ଚତୁର୍ଥ ପ୍ରସବ ଥିଲା।

ସମ୍ବନ୍ଧିତ ଖବର