ପରିତ୍ୟକ୍ତ କୂଅ ନିକଟରେ ରକ୍ତ ଛିଟା

ଚନ୍ଦାହାଣ୍ଡି: ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ବୋରିଗଡା ଓ ଆମ୍ବଗୁଡା ଗ୍ରାମ ମଝିରେ ଥିବା ଗୋଟିଏ ଆମ୍ବତୋଟାରେ ରକ୍ତ ଜୁଡୁବୁଡୁ ଚପଲ ଏବଂ ନିକଟସ୍ଥ କୂଅରେ ରକ୍ତ ଛିଟା ସ୍ଥାନୀୟ ଅଞ୍ଚଳରେ ଚଞ୍ଚଲ୍ୟ ଖେଳାଇ ଦେଇଛି। ଏହି ରକ୍ତ କାହାର ଏବଂ କେମିତି ରକ୍ତ ଛିଟା ପଡିଲା ତାହାକୁ ନେଇ ନାନା ଆଲୋଚନା ହେଉଛି। ଅନ୍ୟପଟେ ପୁଲିସ ଓ ଅଗ୍ନିଶମ ବିଭାଗ ଖୋଜାଖୋଜି କରିବା ସତ୍ୱେ କିଛି ମିଳି ନଥିବା ଜଣାପଡିଛି।
ସୂଚନା ଅନୁଯାୟୀ, ଆଜି ସକାଳେ ବୋରିଗୁଡା ଓ ଆମ୍ବଗୁଡା ଗ୍ରାମର କିଛି ବ୍ୟକ୍ତି ସକାଳେ ଶୌଚ ପାଇଁ ଯିବା ସମୟରେ ଆମ୍ବ ବଗିଚା ନିକଟ ପରିତ୍ୟକ୍ତ କୂଅକୁ ଲାଗି ରକ୍ତ ପଡିଥିବା ଦେଖିଥିଲେ। ସନ୍ଦେହ ହେବାରୁ ଆଖପାଖ ଅଞ୍ଚଳ ଦେଖିବା ବେଳକୁ ଗୋଟିଏ ରକ୍ତ ଜୁଡୁବୁଡୁ ଚପଲ ପଡିଥିଲା। ସେହିପରି ଆମ୍ବତୋଟା ଠାରୁ ୩ଶହ ମିଟର ଦୂର ଆମ୍ବଗୁଡା-ବାବୁରିଆ ଗାଁକୁ ସଂଯୋଗ କରୁଥିବା କଲଭର୍ଟରେ ବି ରକ୍ତ ପଡିଥିବା ଦେଖିବାକୁ ପାଇଥିଲେ। ଏନେଇ ଚନ୍ଦାହାଣ୍ଡି ଥାନା ଅଧିକାରୀ ପ୍ରଦିପ ମହନ୍ତଙ୍କୁ ଅବଗତ କରାଯିବାରୁ ପୁଲିସ ଟିମ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।

ହତ୍ୟା କରି କୂଅରେ ଶବ ଫିଙ୍ଗି ଦିଆଯାଇଥିବା ନେଇ ସନ୍ଦେହ କରି ଚନ୍ଦାହାଣ୍ଡି ଅଗ୍ନିଶମ ବିଭାଗକୁ ସୂଚନା ଦିଆଯାଇଥିଲା। ଅଗ୍ନିଶମ ବିଭାଗ ଅଧିକାରୀ ପବିତ୍ର ମୋହନ ପୂଜାରୀଙ୍କ ନେତୃତ୍ୱରେ ଅଗ୍ନିଶମ କର୍ମଚାରୀ କୂଅରେ ପଶି ପ୍ରାୟ ଘଣ୍ଟାଏ ଧରି ଖୋଜିଥିଲେ। କୂଅରୁ କିଛି ନମିଳିବାରୁ ମୁଣ୍ଡବ୍ୟଥା ବଢି ଯାଇଥିଲା। ପୁଲିସ ତଦନ୍ତ ଜାରି ରଖିଥିଲେ ହେଁ କିଛି ମିଳିନାହିଁ। ଉମରକୋଟ ଏସଡିପିଓ ହେମନ୍ତ କୁମାର ପାଢୀ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଚନ୍ଦାହାଣ୍ଡି ଥାନାରେ କେହି ନିଖୋଜ ଥିବା ମାମଲା ରୁଜୁ ହୋଇ ନଥିବାରୁ ସୀମାନ୍ତ ଛତିଶଗଡ ଅଂଚଳରେ କାହାକୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ତେଣୁ ଛତିଶଗଡ ପୁଲିସକୁ ବି ଅବଗତ କରାଯାଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର