ଛତିଶଗଡ଼ରେ ଶିକ୍ଷକ ଅଟକ

ଚନ୍ଦାହାଣ୍ତି.: ନିର୍ବାଚନ ଆଚରଣବିଧି ଲାଗୁ ହୋଇଥିବା ବେଳେ ସନ୍ଦିଗ୍ଧ ଅବସ୍ଥାରେ ୧୦ଲକ୍ଷ ଟଙ୍କା ନେଇ ଯାଉଥିବା ନବରଙ୍ଗପୁର ଜିଲ୍ଲାର ଜଣେ ଶିକ୍ଷକଙ୍କୁ ଛତିଶଗଡ଼ ପୁଲିସ ଓ ପ୍ରଶାସନ ଅଟକ ରଖିଛି। ପଚରା ଉଚୁରା ସମୟରେ ଜମି ବିକ୍ରି କରି ଏହି ଟଙ୍କା ପାଇଥିବା କହୁଥିଲେ ମଧ୍ୟ ଏହି ସଂପର୍କିତ କୌଣସି କାଗଜପତ୍ର ଦେଇପାରି ନାହାନ୍ତି ସଂପୃକ୍ତ ଶିକ୍ଷକ। ତେଣୁ ପୁଲିସ ପକ୍ଷରୁ ତଦନ୍ତ ଚାଲିଥିବା ବେଳେ ଆୟର ସ୍ରୋତ ଜାଣିବା ନିମନ୍ତେ ସ୍ଥାନୀୟ ଆୟକର ବିଭାଗକୁ ସୂଚନା ଦିଆଯାଇଛି। ଅଟକ ଶିକ୍ଷକ ଜଣକ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ହଳଦୀ ଗାଁର ବଂଶୀଧର ଦାଶ ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, ସୀମାନ୍ତ ଛତିଶଗଡ଼ରେ ବିଧାନସଭା ନିର୍ବାଚନ ପାଇଁ ଆଦର୍ଶ ଆଚରଣବିଧି ଲାଗୁ ହୋଇଛି। ଏଥିପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ୫୦ହଜାରରୁ ଅଧିକ ଟଙ୍କା ନେଇ ନ ବୁଲିବାକୁ ବି ଘୋଷଣା କରାଯାଇଛି। ଅନ୍ୟପଟେ ପୁଲିସ ଓ ପ୍ରଶାସନର ମିଳିତ ନିର୍ବାଚନ ସ୍କ୍ବାଡ୍ ପକ୍ଷରୁ ଗାଡ଼ି ଯାଞ୍ଚକୁ ଜୋରଦାର କରାଯାଇଛି। ଏଭଳି ସମୟରେ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ଶିକ୍ଷକ ବଂଶୀଧର ଦାଶ ଆଜି ୨୦ଟି ୫ଶହ ଟଙ୍କିଆ ବିଡ଼ା (୧୦ଲକ୍ଷ) ଟଙ୍କା ନେଇ ଧର୍ମଗଡ଼ରୁ ବାହାରିଥିଲେ।

ସୀମାନ୍ତ ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲା ଅନ୍ତର୍ଗତ ଦେଓଭୋଗ ଦେଇ ବାଇକ (ଓଡି ୨୪ବି ୧୯୬୧) ଯୋଗେ ଚନ୍ଦାହାଣ୍ଡି ଆସିବା ସମୟରେ ବାଟରେ ତାଙ୍କୁ ପୁଲିସ ଅଟକାଇଥିଲା। ବାଇକ ଏବଂ ସେ ଧରିଥିବା ବ୍ୟାଗକୁ ଯାଞ୍ଚ କରିବାରୁ ସେଥିରୁ ଟଙ୍କା ବାହାରିଥିଲା। ସ୍ଥାନୀୟ ତହସିଲଦାରଙ୍କ ଉପସ୍ଥିତିରେ ପଚରା ଉଚୁରା କରାଯାଇଥିବା ବେଳେ ଜମି ବିକ୍ରି କରି ଟଙ୍କା ନେଇ ଚନ୍ଦାହାଣ୍ଡି ଯାଉଥିବା କହିଥିଲେ। କିନ୍ତୁ ଜମି ବିକ୍ରି ସଂପର୍କିତ କୌଣସି କାଗଜପତ୍ର କିମ୍ବା ପ୍ରମାଣ ସେ ଦେଖାଇ ପାରି ନଥିଲେ।
ଏହାପରେ ତାଙ୍କୁ ଦେଓଭୋଗ ଥାନାକୁ ନେଇ ପଚରା ଉଚୁରା କରାଯାଉଛି। ଏନେଇ ସ୍ଥାନୀୟ ଆୟକର ବିଭାଗକୁ ବି ସୂଚନା ଦିଆଯାଇଛି। ବର୍ତମାନ ଯାଞ୍ଚ ଚାଲିଛି। ସରିବା ପରେ ହିଁ କିଛି କହିହେବ ବୋଲି ତହସିଲଦାର କ୍ରିଷ୍ଣାମୂର୍ତି ୟାଦବ ଗଣମାଧ୍ୟମକୁ କହିଛନ୍ତି। ଅନ୍ୟପଟେ ଏହି ଘଟଣା ଚନ୍ଦାହାଣ୍ଡି ବ୍ଲକରେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର