ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ତଥା ଉମରକୋଟ ବ୍ଲକ ଅଧୀନସ୍ଥ ସିଂସାରୀ ପଞ୍ଚାୟତର ଜଣେ ନାବାଳିକାକୁ ଅପହରଣ ନେଇ ଅଭିଯୋଗ ହୋଇଛି। ସିନେମାର ଦୃଶ୍ୟ ଭଳି ନାବାଳିକାଙ୍କୁ ଅପହରଣ କରାଯାଇଥିବା ଉଭୟ ବାପା, ମା’ ଅଭିଯୋଗ କରିଛନ୍ତି। ତୁରନ୍ତ ନାବାଳିକାଙ୍କୁ ଉଦ୍ଧାର କରିବାକୁ ମା’ ଘର ଅଧ୍ୟକ୍ଷା କାଦମ୍ବିନୀ ତ୍ରିପାଠୀଙ୍କ ନିକଟରେ ପହଞ୍ଚିଛନ୍ତି। ନାବାଳିକାର ବାପାଙ୍କ କହିବା ହେଲା ଝିଅର ବୟସ ମାତ୍ର ୧୪ବର୍ଷ। ଗୋଟିବେଢ଼ା ଗାଁରେ ବିବାହ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ତେଣୁ ଗତ ଦିନରେ ନିର୍ବନ୍ଧ ବି ସରିଥିଲା। ୧୮ବର୍ଷ ବୟସ ହେବାପରେ ବିବାହ ହୋଇଥାନ୍ତା। ତେବେ କିଛି ଦିନ ପାଇଁ ଝିଅକୁ ପାଖରେ ରଖିବା ପାଇଁ ପୁଅ ଘର ପରିବାର ଅନୁରୋଧ କରିଥିଲେ। ତାଙ୍କ ଅନୁରୋଧ ଅନୁଯାୟୀ ଝିଅକୁ ସେଠାରେ ଛଡ଼ା ଯାଇଥିଲା। ୩ଦିନ ଧରି ଝିଅ ସେଠାରେ ରହିବା ପରେ ୧୧ତାରିଖ ନିଜ ପିଉସୀଙ୍କ ଘରକୁ ଯାଇଥିଲା। ସେଠାରୁ ପୁଣି ପରାସବେଢ଼ା ଗାଁକୁ ଯିବ ବୋଲି କହି ପିଉସୀ ଘରୁ ଝିଅ ବାହାରିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ପିଉସୀ ପୁଅ ବାଇକରେ ନେଇ ଯାଇଥିବା ବେଳେ ପରାସବେଢ଼ା ଗାଁ ମୁଣ୍ଡ ପୋଖରୀ ନିକଟରେ ଝିଅ ଓହ୍ଲାଇ ପଡ଼ିଥିଲା। ଏ ସଂକ୍ରାନ୍ତରେ ଖବର ଦିଆଯିବାରୁ ଦାଦାଙ୍କ ଦୁଇ ଝିଅ ଆଣିବାକୁ ପୋଖରୀ ନିକଟକୁ ଯାଇଥିଲେ। ସେହି ସମୟରେ ନାବାଳିକାକୁ ଜଣେ ଯୁବକ କାରରେ ବସାଇ ଭାଲୁଡଙ୍ଗରି ଗାଁର ସତମନ ଭତ୍ରା ନିକଟରେ ଛାଡି ଆସିଥିଲା। ପରିବାର ଲୋକେ ଖୋଜା ଖୋଜି ପରେ ସତମନ ପାଖରେ ଝିଅ ଥିବା ଖବର ପାଇଥିଲେ। ଏହାପରେ ଗତ ୧୮ତାରିଖରେ ଏନେଇ ପରିବାର ଲୋକ ଡାବୁଗାଁ ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତି କରି ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ନାବାଳିକାଙ୍କ ବାପା ନବରଙ୍ଗପୁର ଆସି ମା’ ଘର ଅଧ୍ୟକ୍ଷା କାଦମ୍ବିନୀ ତ୍ରିପାଠୀଙ୍କୁ କହିଛନ୍ତି। ଶ୍ରୀମତୀ ତ୍ରିପାଠୀ ଏନେଇ ଏସପିଙ୍କ ସହ ଆଲୋଚନା କରିଥିବା ବେଳେ ଗ୍ରାମବାସୀ ଏକ ଅଭିଯୋଗ ପତ୍ର ଏସପିଙ୍କ କାର୍ଯ୍ୟାଳୟରେ ଦେଇଥିବା କହିଛନ୍ତି।