ଜଙ୍ଗଲରୁ ଶବ ଉଦ୍ଧାର ଘଟଣା:ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଥାନା ଘେରାଉ

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ କୁସୁମବନ୍ଧ ଗ୍ରାମର ନବ ଭତ୍ରା(୨୩)ଙ୍କୁ ହତ୍ୟା କରାଯାଇଛି। ତେଣୁ ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା, ଘଟଣାର କ୍ରାଇମ୍‌ ବ୍ରାଞ୍ଚ ତଦନ୍ତ ଓ ୩ଜଣ ସନ୍ଦିଗ୍ଧଙ୍କ ଲାଇ ଡିଟେକ୍ସନ ଟେଷ୍ଟ କରିଯାଉ। ଏଭଳି ଦାବି ନେଇ ଆଜି କୁସୁମବନ୍ଧ ଗ୍ରାମବାସୀ ଡାବୁଗାଁ ଥାନା ଘେରାଉ କରିଛନ୍ତି।
ପ୍ରକାଶ ଥାଉକି, ଚଳିତ ବର୍ଷ ସେପ୍ଟେମ୍ବର ୬ତାରିଖରେ ଡାବୁଗାଁ ଥାନା ଅନ୍ତର୍ଗତ ମାଳିଗୁଡା ଜଙ୍ଗଲ ନିକଟରୁ କୁସୁମବନ୍ଧ ଗ୍ରାମର ନବ ଭତ୍ରାଙ୍କ ଶବ ଉଦ୍ଧାର ହୋଇଥିଲା। ପ୍ରାଥମିକ ତଦନ୍ତ ପରେ ଏହା ଏକ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଥିଲା। ଏହି ଘଟଣାରେ ପୁଲିସ ହଳଦୀ ଗ୍ରାମର କୃଷ୍ଣ ସିଂଙ୍କୁ ଅଭିଯୁକ୍ତ ଦର୍ଶାଇ କୋର୍ଟ ଚାଲାଣ କରିଥିଲା। ଅଭିଯୁକ୍ତ କୃଷ୍ଣ ସିଂ ବାର୍‌ହା ଶିକାର ପାଇଁ ବିଦ୍ୟୁତ ତାର ବିଛାଇଥିବା ବେଳେ ଏହି ତାର ସଂସ୍ପର୍ଶରେ ଆସି ନବଙ୍କ ମୃତ୍ୟୁ ହୋଇଥିବା ପୁଲିସ ସେହି ସମୟରେ କହିଥିଲା। ଅନ୍ୟପଟେ ପରିବାର ଲୋକ କହିବା ଅନୁଯାୟୀ, ଗତ ସେପ୍ଟେମ୍ବର ୪ତାରିଖରେ ନବ ହଳଦୀ ଗ୍ରାମର ଜଣେ ବ୍ୟକ୍ତିଙ୍କୁ ଘରକୁ ଯାଇଥିଲେ। ଏବଂ ସଂପୃକ୍ତ ବ୍ୟକ୍ତିଙ୍କ ଝିଅଙ୍କ ସହ ନବଙ୍କ ପ୍ରେମ ସଂପର୍କ ରହିଥିଲା। ତେବେ ୬ତାରିଖରେ ମାଳିଗୁଡା ଜଙ୍ଗଲ ନିକଟରୁ ନବଙ୍କ ଶବ ମିଳିଥିଲା। ନବଙ୍କ ଶରୀରରେ କ୍ଷତ ଚିହ୍ନ ଥିବାରୁ ପ୍ରେମିକାଙ୍କ ସମେତ ତାଙ୍କ ବାପା ଓ ଭାଇ ହିଁ ନବଙ୍କୁ ହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ ଆଣିଥିଲେ।

ଏହି ଘଟଣାରେ ପୁଲିସ କୃଷ୍ଣ ସିଂଙ୍କୁ କୋର୍ଟ ଚାଲାଣ କରି ଚୁପ୍‌ ବସିଥିଲା। ପରିବାର ଲୋକ ଏହାର ନିରପେକ୍ଷ ତଦନ୍ତ କରିବାକୁ ବହୁବାର ଡାବୁଗାଁ ପୁଲିସ ନିକଟରେ କହିଥିଲେ। କିନ୍ତୁ ତଦନ୍ତରେ ଶିଥିଳତା ଦର୍ଶାଇ ପରିବାର ଲୋକ ଗତ ଦିନରେ ଏସ୍‌ପିଙ୍କୁ ଭେଟି ନିରପେକ୍ଷ ତଦନ୍ତ ଦାବି କରିଥିଲେ। ଏହାପରେ ବି ତଦନ୍ତ ନଆଗେଇବାରୁ ଆଜି କୁସୁମବନ୍ଧ ଗ୍ରାମର ଶତାଧିକ ଗ୍ରାମବାସୀ ଓ ମୃତ ନବ ଭତରାଙ୍କ ପରିବାର ଲୋକ ଡାବୁଗାଁ ସ୍ଥିତ ସହିଦ ସନୁ ମାଝୀ ସ୍ତମ୍ଭ ନିକଟରୁ ଏକ ଶୋଭାଯାତ୍ରାରେ ବାହାରି ପୁଲିସ ପ୍ରଶାସନ ବିରୋଧରେ ନାରା ଦେଇ ନବର ହତ୍ୟାକାରୀଙ୍କୁ ଶୀଘ୍ର ଗରିଫ କରିବା ସହ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଥିଲେ। ଡାବୁଗାଁ ଥାନାରେ ଶୋଭାଯାତ୍ରା ପହଞ୍ଚିବା ପରେ ଥାନା ଅଧିକାରୀ ପ୍ରଭାତ କୁମାର ସେଠୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଡାବୁଗାଁ ପୁଲିସ ଏହି ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରୁଛି। ତେଣୁ ସନ୍ଧାନୀ କୁକୁର କିମ୍ବା ମୃତ ନବଙ୍କ ମୋବାଇଲ ରେକର୍ଡ ଯାଞ୍ଚ କରି ଘଟଣାର ତଦନ୍ତ କରିବାକୁ ଏସ୍‌ପିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ। ଦାବିପତ୍ର ଗ୍ରହଣ କରିବା ପରେ ଆସନ୍ତା ୭ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ପ୍ରଦାନ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ସେଠୀ କହିଥିଲେ। ଏହି ଘଟଣାର ତଦନ୍ତ ଚାଲିଛି ଏବଂ ଏନେଇ ଏସ୍‌ପିଙ୍କ ସହ ଆଲୋଚନା କରି ତଦନ୍ତରେ ସହଯୋଗ କରିବି ବୋଲି ଶ୍ରୀ ସେଠୀ ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀ ଘେରାଉରୁ ଓହରି ଥିଲେ।

ସମ୍ବନ୍ଧିତ ଖବର