ପୋଖରୀରୁ ବୃଦ୍ଧଙ୍କ ଶବ ଉଦ୍ଧାର

ମଇଦଲପୁର: ଗାଧୋଇବା ସମୟରେ ପୋଖରୀରେ ବୁଡି ନିଖୋଜ ଥିବା ପାପଡାହାଣ୍ଡି ବ୍ଲକ ମଇଦଲପୁର ପଞ୍ଚାୟତର ବରିପଦର ଗ୍ରାମର ସୁଜାକୁ ସାନ୍ତା(୬୦)ଙ୍କ ଶବ ଆଜି ଉଦ୍ଧାର ହୋଇଛି। ପ୍ରକାଶ ଥାଉକି, ଗତକାଲି ସକାଳେ ସୁଜାକୁ ସାନ୍ତା ଗାଁ ନିକଟସ୍ଥ ଡଙ୍ଗରୀଗୁଡା ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ତେବେ ଦୀର୍ଘ ସମୟ ପରେ ମଧ୍ୟ ସୁଜାକୁ ଘରକୁ ନଫେରିବାରୁ ପୁଅ ଶ୍ରୀୟା ସାନ୍ତା ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ଡଙ୍ଗରୀଗୁଡା ପୋଖରୀ ହିଡରେ ସାଜୁକୁଙ୍କ ଲୁଙ୍ଗି ଓ ଗାମୁଛା ପଡିଥିବା ଦେଖି ପୋଖରୀରେ ବୁଡି ଯାଇଥିବା ନେଇ ଶ୍ରୀୟା ସନ୍ଦେହ କରିଥିଲେ।

ପରେ ଗ୍ରାମର କିଛି ଯୁବକ ଓ ପାପଡାହାଣ୍ଡି ଅଗ୍ନିଶମ କର୍ମଚାରୀ ପୋଖରୀରେ ଖୋଜାଖୋଜି କରିଥିଲେ। ଦୀର୍ଘ ସମୟ ଖୋଜାଖୋଜି କରିବା ପରେ ମଧ୍ୟ ସୁଜାକୁଙ୍କ ସନ୍ଧାନ ମିଳିନଥିଲା। ଆଜି ସକାଳେ ପାପଡାହାଣ୍ଡି ଅଗ୍ନିଶମ କର୍ମଚାରୀ ଖୋଜାଖୋଜି ଆରମ୍ଭ କରିଥିଲେ। ଦୀର୍ଘ ସମୟ ପରେ ମଧ୍ୟ ସୁଜାକୁଙ୍କ ସନ୍ଧାନ ନମିଳିବାରୁ ନବରଙ୍ଗପୁର ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ। ସକାଳ ପ୍ରାୟ ୧୧ଟାରେ ପୋଖରୀରୁ ସୁଜାକୁଙ୍କ ଶବ ଉଦ୍ଧାର ହୋଇଥିଲା। ମଇଦଲପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ନବରଙ୍ଗପୁର ପଠାଇଥିଲା। ଏନେଇ ପାପଡାହାଣ୍ଡି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।

ସମ୍ବନ୍ଧିତ ଖବର