ଡିଜିଟାଲ ଡିସପେନସାରି କାର୍ଯ୍ୟ ଠପ୍‌

ନବରଙ୍ଗପୁର/ଝରିଗାଁ: ଦୁର୍ଗମ ଓ ଅପହଞ୍ଚ ଇଲାକାରେ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ଗତ ମାର୍ଚ୍ଚ ମାସ ଠାରୁ ନବରଙ୍ଗପୁର ଜିଲ୍ଲାରେ ଡିଜିଟାଲ ଡିସପେନସାରୀ ଖୋଲାଯାଇଛି। ଅନ୍‌ଲାଇନ ଓ ଭିସି ମାଧ୍ୟମରେ ରୋଗୀର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ରୋଗୀଙ୍କୁ ଆବଶ୍ୟକ ଚିକିିତ୍ସା ସୁବିଧା ଯୋଗାଇ ଦେବା ପାଇଁ ଏହାର ମୂଳ ଲକ୍ଷ ରହିଥିବା ବେଳେ ନବରଙ୍ଗପୁର ଜିଲ୍ଲାରେ ଆବଶ୍ୟକ ନେଟୱାର୍କ ସୁବିଧା ନଥିବାରୁ ୫ଟି ଗ୍ରାମରେ କାର୍ଯ୍ୟକ୍ଷମ ହୋଇପାରୁନାହିଁ। ଏଥିପାଇଁ କୋଲକତାର ଗ୍ଲୋକାଲ ହେଲଥ କେର ଲିମିଟେଡ୍‌ ନାମକ ସଂସ୍ଥା ଡିଜିଟାଲ ଡିସପେନସାରୀ ଖୋଲିବା ପାଇଁ ଅନୁମତି ପାଇଛି। ସରକାର ଏହା ଖୋଲିବା ପାଇଁ ଆବଶ୍ୟକ କୋଠା, ବିଦ୍ୟୁତ ସେବା ଓ ପାନୀୟ ଜଳ ଯୋଗାଇଦେବେ। ସ୍ୱାସ୍ଥ୍ୟ ସେବା ପ୍ରଦାନକାରି ସଂସ୍ଥା ୪ ଜଣ ଷ୍ଟାଫ, ସ୍ୱାସ୍ଥ୍ୟ ପରୀକ୍ଷା ସଂରଜାମ ଏବଂ ଓଷଧ ମହଜୁଦ ରଖି ରୋଗୀଙ୍କୁ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବ।

ପ୍ରଥମ ପର୍ଯ୍ୟାୟରେ ନବରଙ୍ଗପୁର ବ୍ଲକର ବଡମସିଗାଁ, ଉମରକୋଟ ବ୍ଲକର ବେନୋରା, କୋଷାଗୁମୁଡା ବ୍ଲକର ବିଞ୍ଜିଲି ଓ ମଝିଦାନୁଆ, ରାଇଘର ବ୍ଲକର କାଉଦୋଲା, ତେନ୍ତୁଳିଖୁଣ୍ଟି ବ୍ଲକର ମଞ୍ଚାଗାଁ, ଚନ୍ଦାହାଣ୍ଡି ବ୍ଲକର ଧୋଡିପାଣି, ଡାବୁଗାଁ ବ୍ଲକର ଘୋଡାଖୁଣ୍ଟା ଓ ନନ୍ଦାହାଣ୍ଡି ବ୍ଲକର ଝାଡବନ୍ଧଗୁଡା ଠାରେ ଖୋଲାଯାଇଥିଲା। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ଝରିଗାଁ ବ୍ଲକର ତେଲନଦୀ ଗାଁ, ବଡଟେମରା ଓ ଚକଲାପଦର, ରାଇଘର ବ୍ଲକର କସକଙ୍ଗା ଓ ପାପଡାହାଣ୍ଡି ବ୍ଲକର ସାନବରଲି ଗ୍ରାମରେ ଖୋଲାଯାଇଥିଲା। ତେବେ ୨ୟ ପର୍ଯ୍ୟାୟରେ ଖୋଲାଯାଇଥିବା ୫ଟି ଗ୍ରାମରେ ନେଟୱାର୍କ ଉପଲବ୍ଧ ନଥିବାରୁ ଏହି ଡିଜିଟାଲ ଡିସପେନସାରୀ କାର୍ଯ୍ୟକ୍ଷମ ହୋଇପାରୁ ନାହିଁ ବୋଲି ଜଣାପଡିଛି। ଅନ୍ୟ ପକ୍ଷରେ ପ୍ରତି ଡିସପେନସାରୀ ଖୋଲିବା ପାଇଁ ୧୧ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବାରୁ ସଂସ୍ଥା ଏହି ଅର୍ଥ ଦାବି କରୁଥିବା ଜଣାପଡିଛି। ଆମ ଝରିଗାଁ ପ୍ରତିନିଧି ଝରିଗାଁ ବ୍ଲକର ତେଲନଦୀ ଡିସପେନସେରୀ ପରିଦର୍ଶନ କରିଥିଲେ। ସେଠାରେ ରାଜୀବ ଗାନ୍ଧି ସେବା କେନ୍ଦ୍ରରେ ମାସେ ପୂର୍ବରୁ ଆରମ୍ଭ ହୋଇଥିଲେ ମଧ୍ୟ ନେଟୱାର୍କ ନଥିବାରୁ କାର୍ଯ୍ୟକ୍ଷମ ହୋଇପାରୁ ନାହିଁ।

ସେଠାରେ ଆବଶ୍ୟକ କର୍ମଚାରୀ, ପୂର୍ଣ୍ଣମାତ୍ରାରେ ଓଷଧ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆବଶ୍ୟକ ଉପକରଣ ମଧ୍ୟ ଆସିନାହିଁ। ତେଣୁ ଚିକିତ୍ସା ପାଇଁ ରୋଗୀ ଆସୁଥିଲେ ମଧ୍ୟ ସେବା ମିଳୁନଥିବାରୁ ଫେରିଯାଉଥିବା ଜଣାପଡିଛି। ଏହି ସ୍ୱାସ୍ଥ୍ୟ କେନ୍ଦ୍ର କାର୍ଯ୍ୟକ୍ଷମ ହେଲେ କଳାହାଣ୍ଡି ସୀମାନ୍ତ ତେଲନଦୀ ଓ ବେଲଗାଁ ପଞ୍ଚାୟତର ପ୍ରାୟ ୩୦ ଖଣ୍ଡ ଗ୍ରାମବାସୀ ଉପକୃତ ହୋଇପାରିବେ। ତେଣୁ ଏହା କାର୍ଯ୍ୟକ୍ଷମ କରିବା ପାଇଁ ଅଞ୍ଚଳବାସୀ ଦାବି କରିଥିଲେ। ଅନ୍ୟପଟେ ଅନେକ ଅଞ୍ଚଳକୁ ମୋବାଇଲ ଓ ଇଣ୍ଟେରନେଟ ସେବା ନଥିବାରୁ ଲୋକେ ମୋବାଇଲ ସେବାରୁ ବଞ୍ଚିତ ହୋଇଛନ୍ତି। ସୂଚନା ଥାଉକି, ଗତ ଜାନୁଆରୀ ମାସରେ ସାଂସଦ ବଳଭଦ୍ର ମାଝୀ ଟେଲି ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀଙ୍କ ସହ ସାକ୍ଷାତ କରି ନବରଙ୍ଗପୁର ଭଳି ଉପାନ୍ତ ଓ ଆଦିବାସୀ ବହୁଳ ଜିଲ୍ଲାର ସମସ୍ତ ଅଞ୍ଚଳକୁ ମୋବାଇଲ ସେବା ଯୋଗାଇଦେବାକୁ ଦାବି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ।

ସମ୍ବନ୍ଧିତ ଖବର