ଜିଲ୍ଲାପାଳଙ୍କ ଜଳବନ୍ଦୀ ଅଞ୍ଚଳ ଗସ୍ତ

ତେନ୍ତୁଳିଖୁଣ୍ଟି: ନବରଙ୍ଗପୁର ଜିଲ୍ଲାପାଳ ଡ. ଅଜିତ କୁମାର ମିଶ୍ର ଆଜି ତେନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚାଗାଁ ପଞ୍ଚାୟତ ତଥା ଇନ୍ଦ୍ରାବତୀ ଜଳଭଣ୍ଡାର ଅପରପାର୍ଶ୍ୱରେ ଥିବା ଜଳବନ୍ଦୀ ଗୁରୁମାଇଗୁଡା ଗ୍ରାମ ଗସ୍ତ କରି ବିିଭିନ୍ନ ସମସ୍ୟା ସଂପର୍କରେ ପଚାରି ବୁଝିଛନ୍ତି। ସରକାରୀ ଲଞ୍ଚରେ ଜଳଭଣ୍ଡାର ମଧ୍ୟରେ ୧୨କିଲୋମିଟର ଯାତ୍ରା କରିବା ପରେ ଜିଲ୍ଲାପାଳ ଗୁରୁମାଇଗୁଡାରେ ପହଞ୍ଚିଥିଲେ। ପରେ ଗ୍ରାମବାସୀଙ୍କ ସହ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ। ଗୁରୁମାଇଗୁଡାରେ ରାସ୍ତା ଓ ପାନୀୟ ଜଳ ସମସ୍ୟା ରହିଥିବା ଗ୍ରାମବାସୀ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଇଥିଲେ। ସେହିପରି ଗାଁରେ ଥିବା ବିଦ୍ୟାଳୟର ନିଜସ୍ୱ କୋଠା ନଥିବାରୁ ଇନ୍ଦିରା ଆବାସ ଗୃହରେ ପାଠପଢା ଚାଲୁଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ। ଗୁରୁମାଇଗୁଡାରେ ପିଡିଏସ ସାମଗ୍ରୀ ବଣ୍ଟନ କରାଗଲେ ଗ୍ରାମର ହିତାଧିକାରୀ ଉପକୃତ ହୋଇପାରିବେ ବୋଲି ଗ୍ରାମବାସୀ ଜିଲ୍ଲାପାଳଙ୍କୁ କହିଥିଲେ। ସେହିପରି ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିବାକୁ ଲୋକେ ଦାବି କରିଥିଲେ। ଗ୍ରାମର ବିଭିନ୍ନ ସମସ୍ୟା ସଂପର୍କରେ ଅବଗତ ହେବା ପରେ ଗାଁରେ ଥିବା କୂଅର ମରାମତି କରିବା ସହ ଗ୍ରାମବାସୀଙ୍କ ନିମନ୍ତେ ପାନୀୟ ଜଳ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ବ୍ଲକ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ।

ଗୁରୁମାଇଗୁଡା ସମେତ ଜଳବନ୍ଦୀ ଅଞ୍ଚଳ ଟାଙ୍ଗନିକୋଟ, ବାଗ୍ରା, ତଳଙ୍ଗ, ଝଲାଗୁଡାରେ ରାସ୍ତା, ପାନୀୟ ଜଳ ବ୍ୟବସ୍ଥା କରାଯିବା ସହ ଗୁରୁମାଇଗୁଡାରେ ଏକ ଅଙ୍ଗନଓ୍ଵାଡି କେନ୍ଦ୍ର ନିର୍ମାଣ କରାଯିବ ବୋଲି ଜଣାପଡିଛି। ଗୁରୁମାଇଗୁଡାରୁ ଢେପଗୁଡା ପର୍ଯ୍ୟନ୍ତ ୬କିଲୋମିଟର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ। ଗୁରୁମାଇଗୁଡାକୁ ମହିଳା ସ୍ୱାସ୍ଥ୍ୟକର୍ମୀ ଆସୁନଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ। ଅଞ୍ଚଳର ବିଦ୍ୟୁତ ସମସ୍ୟାକୁ ଗୁରୁତ୍ୱ ଦେଇ ପୂର୍ବରୁ ଲଗାଯାଇଥିବା ସୋଲାର ଲାଇଟ୍‌ ଗୁଡିକର ତୁରନ୍ତ ମରାମତି କରାଯାଇ ବିଦ୍ୟୁତ ସେବା ପ୍ରଦାନ କରାଯିବା ସହ ଆଗାମୀ ଦିନରେ ସମସ୍ତ ପରିବାରଙ୍କୁ ବିଦ୍ୟୁତ ସେବା ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ କହିଥିଲେ। ଏହି ଅବସରରେ ଜିଲ୍ଲାପାଳ ଡ. ମିଶ୍ର ଇନ୍ଦ୍ରାବତୀ ପ୍ରକଳ୍ପ ଡାକ୍ତରଖାନାକୁ ଅଚାନକ ଭାବେ ଗସ୍ତ କରିଥିଲେ। ଏହି ସମୟରେ ଡାକ୍ତରଖାନାରେ କୌଣସି କର୍ମଚାରୀ ନଥିବା ଦେଖି ଜିଲ୍ଲାପାଳ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଡା. ପ୍ରଦୀପ୍ତ କୁମାର ପ୍ରହରାଜଙ୍କ ସହ ଡାକ୍ତରଖାନାର ବିଭିନ୍ନ ସମସ୍ୟା ଆଲୋଚନା କରିବା ସହ ତୁରନ୍ତ ସମସ୍ତ ସମସ୍ୟାର ସମାଧାନ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଥିଲେ।

ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ତେନ୍ତୁଳିଖୁଣ୍ଟି ବିଡିଓ ଅଣାକାର ଠାକୁର, ତହସିଲଦାର ଦେବେନ୍ଦ୍ର ସିଂ ଧାରୁଆ, ଅତିରିକ୍ତ ତହସିଲଦାର ରାମ ଗୋବିନ୍ଦ ପରିଡା, ମଞ୍ଚାଗାଁ ରାଜସ୍ୱ ନିରୀକ୍ଷକ ସାଗର ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ରହି ଜଳବନ୍ଦୀ ଅଞ୍ଚଳର ବିକାଶ ନିମେନ୍ତ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର