ମନ୍ତ୍ରୀ ରମେଶ ମାଝୀ ଓ ସାଂସଦ ବଳଭଦ୍ର ମାଝୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼, ୩ କଂଗ୍ରେସ କର୍ମୀ ଅଟକ

ଉମରକୋଟ: ଆଦିବାସୀ ପଛୁଆବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ରମେଶ ମାଝୀ ଓ ନବରଂଗପୁର ସାଂସଦ ବଳଭଦ୍ର ମାଝୀଙ୍କ ଗାଡ଼ି ଉପରକୁ ବୁଧବାର ଅଣ୍ଡାମାଡ ହୋଇଛି। ଏଥି ସହିତ ମନ୍ତ୍ରୀ ଏବଂ ସାଂସଦଙ୍କୁ କଂଗ୍ରେସ କର୍ମୀମାନେ କଳା ପତାକା ପ୍ରଦର୍ଶନ କରିଛନ୍ତି। ଏହି ଘଟଣାରେ ପୁଲିସ ତିନି ଜଣ କଂଗ୍ରେସ କର୍ମୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ସୂଚନା ଅନୁସାରେ ‘ଆମ ଗାଁ, ଆମ ବିକାଶ’ କାର୍ଯ୍ୟକ୍ରମରେ ଯାଇଥିବା ବେଳେ ମନ୍ତ୍ରୀ ଓ ସାଂସଦଙ୍କ ଗାଡ଼ି ଉପରକୁ ଉମରକୋଟ ବ୍ଳକ ଅନ୍ତର୍ଗତ ନେଉରା ଓ ନେଉରା ପଞ୍ଚାୟତର ମୁଣ୍ଡାଗୁଡା ଗ୍ରାମରେ କଂଗ୍ରେସ କର୍ମୀମାନେ ଅଣ୍ଡାମାଡ଼ କରିଥିଲେ। ଏଥିରେ ମନ୍ତ୍ରୀ ଓ ସାଂସଦଙ୍କ କୌଣସି କ୍ଷତି ହୋଇ ନଥିବା ଜଣାପଡ଼ିଛି। ଅଣ୍ଡାମାଡ଼ ଘଟଣାରେ ପୁଲିସ ଜଗଦେବ ଗୌଡ଼, ଲଖିଧର ମାଝୀ ଓ ମଙ୍ଗଳ ଭତ୍ରାଙ୍କୁ ଅଟକ ରଖି ପଚରା କରୁଛି।

‘ଆମ ଗାଁ, ଆମ ବିକାଶ’ କାର୍ଯ୍ୟକ୍ରମରେ ଆଜି ମନ୍ତ୍ରୀ ରମେଶ ମାଝୀ ଓ ସାଂସଦ ବଳଭଦ୍ର ମାଝୀ ୧୫ରୁ ୨୦ଟି ଗାଁ ଗସ୍ତ କରିଥିଲେ। ସେମାନେ ବିଭିନ୍ନ ସ୍ଥାନରେ ବୈଠକ ଓ ସଭାରରେ ଯୋଗ ଦେଇଥିଲେ। ପୂର୍ବରୁ ଅଣ୍ଡାମାଡ଼ ଓ କଳାପତାକା ପ୍ରଦର୍ଶନ କରିବା ପାଇଁ ସ୍ଥାନୀୟ କଂଗ୍ରେସ କର୍ମୀମାନେ ଯୋଜନା ପ୍ରସ୍ତୁତ କରିଥିଲେ। ମନ୍ତ୍ରୀ ଓ ସାଂସଦ ମୁଣ୍ଡାଗୁଡ଼ାରେ ପହଞ୍ଚିବା ମାତ୍ରେ ଅଣ୍ଡାମାଡ଼ର ସମ୍ମୁଖୀନ ହୋଇଥିଲେ।

ସମ୍ବନ୍ଧିତ ଖବର