ଅବକାରୀ ଚଢ଼ାଉ, ୮ ଗିରଫ

ନବରଙ୍ଗପୁର/କୋଷାଗୁମୁଡା : ନବରଙ୍ଗପୁର ଜିଲ୍ଲାପାଳ ଡଃ.ଅଜିତ କୁମାର ମିଶ୍ର ଓ ଅବକାରୀ ଅଧୀକ୍ଷକ ଡମ୍ବୁରୁଧର ଖଣ୍ଡାଙ୍କ ନିର୍ଦେଶକ୍ରମେ କୋଷାଗୁମୁଡା ବ୍ଲକରେ ଅବକାରୀ ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ୧୬୦ ଲିଟର ଦେଶୀ ମଦ ଜବତ କରାଯିବା ସହ ୬ ଜଣଙ୍କୁ ଗିରଫ କରାଯାଇଛି। କୋଷାଗୁମୁଡା ବ୍ଲକର ଆଉଁରୀ ଗାଁର ସୁଦାମ ଗୁପ୍ତାଙ୍କ ଠାରୁ ୯୬ ଲିଟର ଦେଶୀ ମଦ, କାକଡଗୁଡାର ସୂର୍ଯ୍ୟ ଭତ୍ରାଙ୍କ ଠାରୁ ୧୫ ଲିଟର ଦେଶୀ ମଦ, ଖୁଟିଆରିଗୁଡାର କମଳଲୋଚନ ଭତ୍ରାଙ୍କ ଠାରୁ ୨୦ ଲିଟର ଦେଶୀ ମଦ, ଟେମରା ଗାଁର ଚନ୍ଦନ ଗୁପ୍ତା ଠାରୁ ୯ ଲିଟର ଦେଶୀ ମଦ, କୁଟିଆରିଗୁଡାର ସାବିତ୍ରୀ ହାଲବାଙ୍କ ଠାରୁ ୯ ଲିଟର ଦେଶୀ ମଦ, ଟେମରା ଗାଁର ଅର୍ଜୁନ ଭତ୍ରାଙ୍କ ଠାରୁ ୮ ଲିଟର ଦେଶୀ ମଦ ଜବତ କରାଯାଇଛି।

ଅବକାରୀ ନିରୀକ୍ଷକ ବିପ୍ର ଚରଣ ମଣ୍ଡଳଙ୍କ ନେତୃତ୍ବରେ ହୋଇଥିବା ଏହି ଚଢ଼ାଉରେ ଏସ୍‌ଆଇ ବୃନ୍ଦାବନ ମଣ୍ଡଳ, ଚିତ୍ତରଂଜନ ପଟ୍ଟନାୟକ, ରଂଜୁଲତା ବାରିକ, ରା‌େଜନ୍ଦ୍ର ପଟ୍ଟନାୟକଙ୍କ ସମେତ କୋଷାଗୁମୁଡା ଓ ଛତିଶଗଡ ପୁଲିସ କର୍ମଚାରୀ ସାମିଲ ହୋଇଥିଲେ। ବର୍ତମାନ ଛତିଶଗଡରେ ନିର୍ବାଚନ ଚାଲିଥିବାରୁ ଛତିଶଗଡ ସୀମାନ୍ତକୁ ଲାଗିଥିବା କୋଷାଗୁମୁଡା ବ୍ଲକର ବିଭିନ୍ନ ଅଞ୍ଚଳରେ ଦେଶୀ ମଦ ରାନ୍ଧି ଚାଲାଣ ହେଉଥିବା ନେଇ ଅଭିଯୋଗ ହୋଇ ଆସୁଥିଲା। ସେହିପରି କୋଷାଗୁମୁଡା ଥାନା ଅଧିକାରୀ ପୁ‌ଷ୍ପେନ୍ଦୁ ସାଗର ଓ କୋଡିଙ୍ଗା ତହସିଲଦାର ପୂର୍ଣ୍ଣଚନ୍ଦ୍ର ଜେନାଙ୍କ ନେତୃତ୍ବରେ ମାଝିଧନୁଆ ପଞ୍ଚାୟତର ମୁଣ୍ଡାଗଡ ଗ୍ରାମରେ ଚଢାଉ କରାଯାଇ ରାଜେନ୍ଦ୍ର ପ୍ରଧାନଙ୍କ ଘରୁ ୨୦ଲିଟର ବିଦେଶୀ ମଦ ଜବତ କରାଯାଇଥିଲା। ସେହିପରି ଆଉଳି ଗ୍ରାମରେ ଚଢାଉ କରାଯାଇ ବବୁଲ କୁମାର ଗୁପ୍ତାଙ୍କ ଦୋକାନରୁ ୧୯ଲିଟର ବିଦେଶୀ ମଦ ଜବତ କରାଯାଇଥିଲା। ରାଜେନ୍ଦ୍ର ଓ ବବୁଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଏହି ଚଢାଉରେ ଏସ୍ଆଇ ଲତିତ କୁମାର ପଣ୍ଡା, ଅଶ୍ବିନୀ କୁମାର ପଟ୍ଟନାୟକ, ମୁନା ମଲ୍ଲିକ, ଶିବ ଭଣ୍ଡାରୀ, କୈଳାଶ ପୂଜାରୀ, ସରୋଜ ବାଘ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର