ନବରଙ୍ଗପୁର: ଜାଲ୍ ଟିଡିଆର ଦାଖଲ କରି ଲକ୍ଷାଧିକ ଟଙ୍କାର କାମ ପାଇଥିବା ଠିକାଦାର ଗୋପାଳ କୃଷ୍ଣ ନାୟକଙ୍କୁ ଗିରଫ କରିଛି ନବରଙ୍ଗପୁର ପୁଲିସ। ନବରଙ୍ଗପୁର ଜଳସେଚନ ଡିଭିଜନ ଅର୍ନ୍ତଗତ ୪ଟି କାମରେ ଗୋପାଳ ୨୧ ଲକ୍ଷ ଟଙ୍କାର ଜାଲ ଟିଡିଆର ଦେଇଥିଲେ। ଏନେଇ ଜଳସେଚନ ବିଭାଗ ଜାଣିବା ପରେ ଗତ ଦିନରେ ତାଙ୍କ ବିରୋଧରେ ନବରଙ୍ଗପୁର ଥାନାରେ ଏତଲା ଦେଇଥିଲା। ତେବେ ଗୋପାଳ ଫେରାର ଥିବାରୁ ପୁଲିସ ଗିରଫ କରିପାରି ନଥିଲା। କିନ୍ତୁ ଗୋପାଳଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରଖିଥିଲା ପୁଲିସ। ଶେଷରେ ଆଜି ସେ ଜୟପୁର ଠାରେ ଥିବା ସୂଚନା ପାଇଁ ନବରଙ୍ଗପୁର ପୁଲିସର ଗୋଟିଏ ଟିମ୍ ପହଞ୍ଚି ତାଙ୍କୁ ଗିରଫ କରିଥିଲା। ଆଜି ସଂଧ୍ୟାରେ ହିଁ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।
ସୂଚନା ଅନୁଯାୟୀ, ନବରଙ୍ଗପୁର ଜଳସେଚନ ଡିଭିଜନ ଅନ୍ତର୍ଗତସତି ନଦୀର ଡିମଲା, ତାରିଟିପୁଟ, ଟାଙ୍କୁଆ ଏବଂ ଇନ୍ଦ୍ରାବତୀ ନଦୀ ପଠାର ଆଳୁପଦର ଠାରେ ଗାର୍ଡ ଓ୍ଵାଲ୍ ନିର୍ମାଣ ନିମନ୍ତେ କାର୍ଯ୍ୟାଦେଶ ପାଇଥିଲେ ଠିକଦାର ଗୋପାଳ କୃଷ୍ଣ ନାୟକ। ଏଥିପାଇଁ ସେ ବିଭାଗ ନିକଟରେ ୨୧ଲକ୍ଷ ଟଙ୍କାର ୧୦ଟି ଜାଲ ଟିଡିଆର ଦାଖଲ କରିଥିଲେ। ସେହିପରି ଗୋପାଳଙ୍କ ଠିକାଦାର ବାପା ଗୌରାଙ୍ଗ ପ୍ରସାଦ ନାୟକ ମଧ୍ୟ ନବରଙ୍ଗପୁର ଜଳସେଚନ ବିଭାଗ ଅଧୀନରେ ବିଭିନ୍ନ ଠିକା କାମ ପାଇଁ ୫ଲକ୍ଷ ୨୨ହଜାର ଟଙ୍କାର ଜାଲ ଟିଡିଆର ଦେଇଥିଲେ। ଜଳସେଚନ ବିଭାଗ ପକ୍ଷରୁ ଯାଞ୍ଚ ସମୟରେ ଉଭୟ ବାପା, ପୁଅ ଦେଇଥିବା ବୋରିଗୁମ୍ମା ଭାରତୀୟ ଓଭରସିଜ୍ ବ୍ୟାଙ୍କର ଟିଡିଆର ଜାଲ୍ ବୋଲି ଜଣାପଡିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଏହାପରେ ବିଭାଗ ପକ୍ଷରୁ ଥାନାରେ ଦୁଇଟି ପୃଥକ ମାମଲା ବାପା, ପୁଅଙ୍କ ନାମରେ ଦିଆଯାଇଥିଲା। ପୁଲିସ ଦୁହିଁଙ୍କୁ ଗିରଫ କରିବାକୁ ଉଦ୍ୟମ କରିଥିଲେ ହେଁ ସେମାନେ ଫେରାର ହୋଇଯାଇଥିଲେ। ଯାହାକି ପୁଲିସର ମୁଣ୍ଡବ୍ୟଥାକୁ ବଢାଇ ଦେଇଥିଲା। ସମ୍ଭେଦନଶୀଳ ଘଟଣା ହୋଇଥିବାରୁ ଉଭୟଙ୍କୁ ଗିରଫ ପାଇଁ ନବରଙ୍ଗପୁର ଏସପି ମୁକେଶ କୁମାର ଭାମୋ ନିଜେ ଏହି ମାମଲା ଉପରେ ତୀକ୍ଷ୍ଣ ନଜର ରଖିବା ସହ ତଦାରଖ କରୁଥିଲେ। ଶେଷରେ ଆଜି ଗୋପାଳ ଜୟପୁର ଠାରେ ଥିବା ନେଇ ନବରଙ୍ଗପୁର ଥାନା ଅଧିକାରୀ ତାରିକ ଅହମ୍ମଦ ସୂଚନା ପାଇଥିଲେ। ଏହାପରେ ଏସଆଇ ଦିଲୀପ କୁମାର ପ୍ରଧାନଙ୍କ ନେତୃତ୍ୱରେ ଗୋଟିଏ ଟିମ୍ ଜୟପୁରରେ ଚଢାଉ କରି ଗୋପାଳଙ୍କୁ ଗିରଫ କରିଥିଲା। ଦଫା ୪୨୦, ୪୬୫, ୪୬୭, ୪୬୮, ୪୭୧ରେ ଗୋପାଳଙ୍କୁ କୋର୍ଟ ଚାଲାଣ କରାଯାଇଛି।