ହଷ୍ଟେଲ ଛାତରୁ ଫ୍ୟାନ ଖସି ଛାତ୍ରୀ ଗୁରୁତର

ନବରଙ୍ଗପୁର: ନବରଙ୍ଗପୁର ସ୍ଥିତ ଜିଏନ୍‌ଏମ୍‌ ଛାତ୍ରୀ ନିବାସ ଛାତରୁ ଚଳନ୍ତା ଫ୍ୟାନ ଖସିପଡିଲା। ଫଳରେ ଜଣେ ପ୍ରଥମ ବର୍ଷ ଛାତ୍ରୀ ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୯ଟାରେ ପ୍ରଥମ ବର୍ଷ ଛାତ୍ରୀ ରାଜଲକ୍ଷ୍ମୀ ଖୁଣ୍ଟିଆ ନିଜ ବେଡରେ ବସି ପାଠ ପଢ଼ୁଥିଲେ। ହଠାତ୍‌ ତାଙ୍କ ମୁଣ୍ଡ ଉପରେ ଘୂରି ବୁଲୁଥିବା ସିଲିଂ ଫ୍ୟାନ ଖସି ପଡ଼ିଥିଲା। ତେଣୁ ମୁଣ୍ଡ, କାନ୍ଧ ଓ ହାତରେ ଗଭୀର ଆଘାତ ଲାଗିଥିଲା। ଏହାପରେ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଆହତ ଛାତ୍ରୀ ଜଣକ ବାଲେଶ୍ୱର ଅଞ୍ଚଳର ବୋଲି ଜଣାପଡିଛି। ତେବେ ଗତକାଲି ରାତିର ଘଟଣା ପରେ ଅନ୍ୟ ଛାତ୍ରୀମାନେ ଆତଙ୍କିତ ହୋଇପଡିଛନ୍ତି। ହଷ୍ଟେଲରେ ଗତ ୨ ବର୍ଷ ତଳେ ପଙ୍ଖା ଗୁଡିକ ଲାଗିଥିବା ବେଳେ ଏହାର ତନଖି କରିବାକୁ ଅନ୍ତେବାସୀ ଦାବି କରିଛନ୍ତି।
ଅନ୍ୟପକ୍ଷରେ ଜିଏନଏମ୍‌ ଅନୁଷ୍ଠାନ ଏବଂ ହୋଷ୍ଟେଲ ବହୁ ସମସ୍ୟା ଦେଇ ଗତି କରୁଛି। ୨୦୧୨ ମସିହାରେ ସ୍ଥାପିତ ଏହି ଅନୁଷ୍ଠାନରେ ୨୩୦ ଜଣ ଛାତ୍ରୀ ଅଧ୍ୟୟନ କରୁଛନ୍ତି। ୨୦୧୫ ଅକ୍ଟୋବର ମାସରେ ଏହାର ନୂତନ କୋଠା ଉଦ୍‌ଘାଟନ ହୋଇଥିଲା। ୧୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲରେ ୧୬୭ ଜଣ ଅନ୍ତେବାସୀ ରହୁଛନ୍ତି। ୪ ଜଣଙ୍କ ପାଇଁ ଉଦ୍ଧିଷ୍ଟ ବଖରାରେ ୭ ଜଣ ରହୁଛନ୍ତି। ଯାହା ଫଳରେ ପାଠ ପଢ଼ାରେ ସମସ୍ୟା ହେଉଛି। ଏହାର ସମାଧାନ ପାଇଁ ଶହେ ଶଯ୍ୟା ବିଶିଷ୍ଟ ନୂତନ ହଷ୍ଟେଲ ନିର୍ମାଣ ପାଇଁ ଯୋଜନା ରହିଥିଲେ ମଧ୍ୟ ଏହି ଅନୁଷ୍ଠାନ ପାର୍ଶ୍ୱ ଦେଇ ଜାତୀୟ ରାଜପଥ ବାଇପାସ ରାସ୍ତା ନିର୍ମାଣ ପାଇଁ ପରିକଳ୍ପନା ରହିଥିବାରୁ ହୋଇପାରୁନାହିିଁ। ସେହିଭଳି ଜିଏନଏମ୍‌ ନର୍ସିଂ ତାଲିମ କେନ୍ଦ୍ରରେ ୧୪ ଜଣ ଅଧ୍ୟାପିକା ଆବଶ୍ୟକତା ରହିଥିବା ବେଳେ ମାତ୍ର ୬ ଜଣ ରହିଛନ୍ତି। ଦୁଇ ବର୍ଷ ହେଲା ଅଧ୍ୟକ୍ଷ ପଦବି ଖାଲି ପଡିଛି। ୬ ଜଣ ଅଧ୍ୟାପିକାଙ୍କ ମଧ୍ୟରୁ ଜଣେ ଅଧ୍ୟକ୍ଷ ଦାୟିତ୍ୱ ତୁଲାଉଥିବା ବେଳେ ୨ଜଣଙ୍କୁ ଅନ୍ୟତ୍ର ବଦଳି ହୋଇଛି। ସେହିପରି ୱାର୍ଡେନ ନଥିବାରୁ ଅଧ୍ୟାପିକା ମାନେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି। ଛାତ୍ରୀ ମାନେ ଦିନରେ ଓ ରାତିରେ ମେଡିକାଲକୁ ତାଲିମ ଗ୍ରହଣ ପାଇଁ ଯାଉଛନ୍ତି। ମେଡିକାଲ ଠାରୁ ଏହି ଅନୁଷ୍ଠାନ ପ୍ରାୟ ୪୦୦ ମିଟର ଦୂର ହୋଇଥିବା ବେଳେ ପକ୍କା ରାସ୍ତା କିମ୍ବା ଷ୍ଟ୍ରିଟ୍‌ ଲାଇଟ ବ୍ୟବସ୍ଥା ନାହିଁ। ତେଣୁ ଖାଲି ପଡିଥିବା ଅଧ୍ୟାପକ ଓ ଅନ୍ୟ ପଦବି ପୂରଣ ପାଇଁ କଟକ ସ୍ଥିତ ନର୍ସିଂ ନିର୍ଦେଶକଙ୍କ ନିକଟକୁ ଚିଠି କରାଯାଇଛି ଏବଂ ପକ୍କା ରାସ୍ତା ଓ ଷ୍ଟ୍ରିଟ ଲାଇଟ ପାଇଁ ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇଥିବା ଭାରପ୍ରାପ୍ତ ଅଧ୍ୟକ୍ଷା ଜ୍ୟୋତି ମଞ୍ଜୁ ବରୁଆ କହିଛନ୍ତି।

ସମ୍ବନ୍ଧିତ ଖବର