୫ଟି ଶ୍ରେଣୀର ପିଲାଙ୍କୁ ୨ଟି କକ୍ଷ:ବର୍ଷା ହେଲେ ଗଳୁଛି ପାଣି, ପାଠପଢ଼ା ବାଧାପ୍ରାପ୍ତ

ପାପଡାହାଣ୍ଡି: ଦୀର୍ଘ ବର୍ଷ ହେଲା ଦୁଇଟି ଶ୍ରେଣୀ ଗୃହରେ ୫ଟି ଶ୍ରେଣୀର ପିଲାଙ୍କୁ ପଢ଼ାଯାଉଛି। ବହୁ ପୁରୁଣା ‌ହୋଇଥିବାରୁ ଦୁଇଟି ଶ୍ରେଣୀ ଗୃହ ଛାତରୁ ପାଣି ଗଳୁଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଛି। ୨ବର୍ଷ ହେଲାଣି ନଳକୂପ ଅଚଳ ଥିବାରୁ ବିଦ୍ୟାଳୟରେ ପାନୀୟ ଜଳ ସମସ୍ୟା ଦେଖାଦେଇଛି। ବିଦ୍ୟାଳୟରେ ଏଭଳି ଅନକେ ସମସ୍ୟା ଦେଖାଦେଇଥିଲେ ହେଁ ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଏଦିଗରେ ଦୃଷ୍ଟି ଦେଉନଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଭଳି ଅବ୍ୟବସ୍ଥା ଦେଖାଦେଇଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ପଣ୍ଡିକୋଟ ପଞ୍ଚାୟତର ବାଙ୍କସରଗି ପ୍ରାଥମିକ ବିଦ୍ୟାଳୟରେ।
୧୯୭୧ ମସିହାରେ ସ୍ଥାପିତ ଏହ‌ି ବିଦ୍ୟାଳୟରେ ପ୍ରଥମେ ଦୁଇଟି ଶ୍ରେଣୀ ଗୃହରେ ପାଠପଢ଼ା ଆରମ୍ଭ ହୋଇଥିଲା। ଚଳିତ ବର୍ଷ ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୬୪ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଶିକ୍ଷାଦାନ ନିମନ୍ତେ ମାତ୍ର ୨ଜଣ ଶିକ୍ଷକଙ୍କୁ ନିଯୁକ୍ତ ଦିଆଯାଇଛି। ପ୍ରଧାନ ଶିକ୍ଷୟତ୍ରୀ ବନଲତା କର କାର୍ଯ୍ୟାଳୟ କାମ ସହ ଛାତ୍ରଛାତ୍ରୀଙ୍କୁ ପାଠ ବଢ଼ାଉଛନ୍ତି। କିନ୍ତୁ ବର୍ଷା ହେବା ମାତ୍ରେ ବହୁ ପୁରୁଣା ୨ଟି ଶ୍ରେଣୀ ଗୃହରେ ପାଣି ଗଳୁଛି। ଏଥିଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଛି। ଅନ୍ୟପଟେ ଚାରିପଟେ ପାଚେରୀ ନଥିବାରୁ କିଛି ଅସାମାଜିକ ବ୍ୟକ୍ତି ସ୍କୁଲ ଭିତରେ ପଶି ଫୁଲ ବଗିଚା ନଷ୍ଟ କରିବା ସହ ଜୁଆ ଖେଳୁଛନ୍ତି। ଏପରିକି ସଂଧ୍ୟା ହେଲେ ସ୍କୁଲ ପରିସରରେ ମଦ୍ୟପଙ୍କ ଆଡ୍ଡା ଜମୁଛି। ସ୍କୁଲରେ ପାନୀୟ ଜଳ ସମସ୍ୟା ଲାଗି ରହିଛି। ନଳକୂପ ଥିଲେ ସୁଦ୍ଧା ୨ବର୍ଷ ହେଲାଣି ଅଚଳ ଥିବାରୁ ଛାତ୍ରଛାତ୍ରୀ ପାଣି ପାଇଁ ସ୍କୁଲ ବାହାରକୁ ଯାଉଛନ୍ତି। ପାଣି ନଥିବାରୁ ମଧ୍ୟାହ୍ନ ଭୋଜନ ରୋଷେଇ ସମୟରେ ମଧ୍ୟ ସମସ୍ୟା ଦେଖାଦେଉଛି। ନଳକୂପ ମରାମତି କରିବାକୁ ପଞ୍ଚାୟତ କାର୍ଯ୍ୟାଳୟ ଅଭିଯୋଗ କଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଉନାହିଁ ବୋଲି ଶିକ୍ଷକ ତନ୍ମମୟ ପାତ୍ର କହିଛନ୍ତି। ପ୍ରାଥମିକ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନକେ ଯୋଜନା ପ୍ରଣୟନ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ବାଙ୍କସରଗି ପ୍ରାଥମିକ ବିଦ୍ୟାଳୟର ସମସ୍ୟାର ସମାଧାନ ହୋଇନପାରିବା ପରିତାପର ବିଷୟ ବୋଲି ସ୍କୁଲ ସଭାପତି ଚୈତନ ଜାନୀ କହିଛନ୍ତି। ବିଦ୍ୟାଳୟର ସମସ୍ୟା ନେଇ ବହୁବାର ବିଇଓ କାର୍ଯ୍ୟାଳୟ ଓ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରାଯାଇଛି। କିନ୍ତୁ ଏଥିପ୍ରତି କେହି ଦୃଷ୍ଟି ଦେଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଶୀଘ୍ର ବିଦ୍ୟାଳୟରେ ଆବଶ୍ୟକୀୟ ଶ୍ରେଣୀ ଗୃହ ନିର୍ମାଣ ସହ ଅନ୍ୟ ସମସ୍ୟାର ସମାଧାନ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମର ଦେବଘନ ଗାଣ୍ଡା, କ୍ଷେମା ହରିଜନ, ଲଚମନ ହରିଜନ, ଧନ ଗୌଡ, ରତନ ଜାନୀ, ନନ୍ଦ ହରିଜନ, କମଳା ସୌରା ପ୍ରମୁଖ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର