ପତ୍ନୀଙ୍କ ଗଳା କାଟିଲା ସ୍ୱାମୀ

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ସଦର ମହକୁମାରେ ଅଭାବନୀୟ ଘଟଣା ଘଟିଛି। ଘରକୁ ଯିବାକୁ ମନା କରିବାରୁ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ଗଳା କାଟି ଦେଇଛନ୍ତି। ମହିଳା ଜଣକ ସଂକଟାପନ୍ନ ଅବସ୍ଥାରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିିକିତ୍ସିତ ହେଉଛନ୍ତି। ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଘଟଣା ସମଗ୍ର ଉମରକୋଟ ଅଞ୍ଚଳରେ ଚର୍ଚାର ବିଷୟ ପାଲଟିଛି।
ସୂଚନା ଅନୁଯାୟୀ, ଉମରକୋଟ ବ୍ଲକ ଅନ୍ତର୍ଗତ ସିଲାଟି ଗ୍ରାମର ନାଥୁ ହରିଜନ ଉମରକୋଟ ବ୍ଲକ ସଦର ମହକୁମାର ଢେପଗୁଡା ଗ୍ରାମର ରୁବିନା ହରିଜନଙ୍କୁ ଦୀର୍ଘ ବର୍ଷ ତଳେ ବିବାହ କରିଥିଲେ। ତେବେ କୌଣସି କାରଣରୁ ୮ବର୍ଷ ହେଲା ରୁବିନା ସ୍ୱାମୀଙ୍କ ପାଖରେ ନରହି ଢେପଗୁଡାରେ ନିଜ ଭାଇଙ୍କ ଘରେ ରହୁଥିଲେ। ଗତକାଲି ନାଥୁ ଢେପଗୁଡାରେ ପହଞ୍ଚି ଘରକୁ ଯିବାକୁ ରୁବିନାଙ୍କୁ କହିଥିଲେ। ତେବେ ରୁବିନା ମନା କରି ଦେବାରୁ ନାଥୁ ଚାଲି ଯାଇଥିଲେ। ପୁଣି ଥରେ ଆଜି ସକାଳ ୯ଟାରେ ନାଥୁ ରୁବିନାଙ୍କୁ ଡାକିବାକୁ ଆସିଥିଲେ। କିନ୍ତୁ ରୁବିନା ଯିବାକୁ ରୋକଠୋକ୍‌ ମନା କରି ଦେଇଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ନାଥୁ ଏକ ବ୍ଲେଡ୍‌ରେ ରୁବିନାଙ୍କ ଗଳାକୁ କାଟି ଦେଇ ଫେରାର ହୋଇଯାଇଥିଲେ। ଖବର ପାଇ ଉମରକୋଟ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ରୁବିନାଙ୍କୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା। ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିବାରୁ ପରେ ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ଥାନାନ୍ତର କରାଯାଇଛି। ପୁଲିସ ଅଭିଯୁକ୍ତ ନାଥୁଙ୍କୁ ଗିରଫ କରିବାରେ ସଫଳ ହୋଇଛି।

ସମ୍ବନ୍ଧିତ ଖବର