ଅସୁସ୍ଥ ମହିଳାଙ୍କ ଆତ୍ମହତ୍ୟା 

ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଛେଳିଡଙ୍ଗରି ଗ୍ରାମର ଜଣେ ମହିଳା ଦୀର୍ଘ ଦିନ ଧରି ରୋଗାକ୍ରାନ୍ତ ଥିଲେ। ତେବେ ଠିକ୍ ରୂପେ ଚିକିତ୍ସିତ ହୋଇ ନପାରି ଅସହାୟ ମନେ କରିବାକୁ  କୀଟନାଶକ ପିଇ ଆତ୍ମହତ୍ୟା କରିଥବା ସୂଚନା ମିଳିଛି। ମୃତ ମହିଳା ଜଣକ ମନୁରାମ୍ ଗଣ୍ଡଙ୍କ ପତ୍ନୀ ପାର୍ବତୀ ଗଣ୍ଡ (୪୦) ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, ପାର୍ବତୀ ଗତ କିଛି ବର୍ଷ ହେଲା ରୋଗାକ୍ରାନ୍ତ ଥିଲେ। ସ୍ବାମୀ ମନୁରାମ୍ ବିଭିନ୍ନ ମେଡିକାଲକୁ ନେଇ ଚିକିତ୍ସା କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ପାର୍ବତୀ ରୋଗକୁ ନେଇ ଚିନ୍ତିତ ରହୁଥିବା ‌ବେଳେ ସୁସ୍ଥ ହେବେ ବୋଲି ଆଶା ଛାଡି ଦେଇଥିଲେ। ଅନ୍ୟପଟେ ସ୍ବାମୀ ମନୁରାମ୍ ଘରେ ଥିବା ସମସ୍ତ ଟଂକା ଖର୍ଚ୍ଚ କରି ପାର୍ବତୀଙ୍କ ଚିକିତ୍ସା କରାଇ ହାର ମାନି ନେଇଥିଲେ। ଏହାପରେ ଜୀବନ ହାରିବା ପାଇଁ ପାର୍ବତୀ ନିଷ୍ପତ୍ତି ନେଇ କାହାକୁ କିଛି କହି ନଥିଲେ। ଗତକାଲି ଅନ୍ୟ ଦିନ ଭଳି  ସମସ୍ତଙ୍କୁ ଖାଇବାକୁ ଦେଇ ନିଜେ ଖାଇବା ପରେ ଶୋଇବାକୁ ଯାଇଥିଲେ। କିଛି ସମୟ ପରେ ବାନ୍ତି ଆରମ୍ଭ ହୋଇଥିଲା। ଏନେଇ ସ୍ବାମୀ ପଚାରିବାରୁ ଚାଷ ପାଇଁ ଘରେ ଥିବା କୀଟନାଶକ ପିଇ ଦେଇଥିବା କହିଥିଲେ। ରାତିରେ ମନୁରାମ ପତ୍ନୀଙ୍କୁ ନେଇ ରାଇଘର ମେଡିକାଲକୁ ଆସିଥିଲେ। ରାତି ପ୍ରାୟ ୯ଟାରେ ଚିକିତ୍ସାଧୀନ ଅବସ୍ଥାରେ  ପାର୍ବତୀଙ୍କ ମୃତ୍ୟୁ ଘଟିଥିଲା। ଉପଯୁକ୍ତ ଚିକିତ୍ସା କରାଇ ନପାରିବାରୁ ଅସହ୍ୟ ଯନ୍ତ୍ରଣାରେ ପାର୍ବତୀ ଆତ୍ମହତ୍ୟା କରିଥିବା ମନୁରାମ୍ ପ୍ରକାଶ କରିଛନ୍ତି। ପୁଲିସ ଶବ ଜବତ କରିବା ସହିତ ଏକ ଆପମୃତୁ ମାମଲା ରୁଜୁ କରି ତଦନ୍ତ ଚଲାଇଛି।

ସମ୍ବନ୍ଧିତ ଖବର