ଶତପ୍ରତିଶତ ଟୀକାକରଣ ଲକ୍ଷ୍ୟ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଆସନ୍ତା ୨୯ତାରିଖରୁ ମିଳିମିଳା ଓ ରୁବେଲା ନିରାକରଣ ପାଇଁ ଟୀକାକରଣ କରାଯିବ। ଏହି ଟୀକାକରଣ ଏମ ମାସ ଧରି ଚାଲିବ। ଜିଲ୍ଲାରେ ଯେପରି ଶତ ପ୍ରତିଶତ ଶିଶୁଙ୍କୁ ଟୀକାକରଣ କରାଯିବ ସେ ନେଇ ସ୍ୱାସ୍ଥ୍ୟ ବିଭାଗ ଲକ୍ଷ୍ୟ ରଖିଛି। ଯଦି ୯୫ ପ୍ରତିଶତରୁ କମ ହେବ ତାହାହେଲେ ଏହା ବିଫଳ ବୋଲି ଧରାଯିବ ବୋଲି ନବରଙ୍ଗପୁର ସିଡିଏମ୍‌ଓ ରମେଶ ଚନ୍ଦ୍ର ପଣ୍ଡା କହିଛନ୍ତି। ନବରଙ୍ଗପୁର ଜିଲ୍ଲାରେ ୯ମାସରୁ ୧୫ବର୍ଷ ମଧ୍ୟରେ ୪ଲକ୍ଷ ୬୨ହଜାର ୫ଜଣ ଶିଶୁଙ୍କୁ ଟୀକାକରଣ କରାଯିବ। ଆସନ୍ତା ୨୯ତାରିଖ ଠାରୁ ଏକ ମାସ ପର୍ଯ୍ୟନ୍ତ ପ୍ରତି ସରକାରୀ ଓ ଘରୋଇ ବିଦ୍ୟାଳୟ, ଅଙ୍ଗନାଓ୍ଵାଡି କେନ୍ଦ୍ର ଓ ଘର ଗୁଡିକରେ ଶିଶୁ ମାନଙ୍କୁ ଟୀକା ଦିଆଯିବ। ଯେପରି ଗୋଟିଏ ବି ଶିଶୁ ଏଥିରୁ ବାଦ ନପଡନ୍ତି ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ରଖାଯିବ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଶିକ୍ଷା ବିଭାଗ, ମଙ୍ଗଳ ବିଭାଗ, ଶିଶୁ ମଙ୍ଗଳ ବିଭାଗ ଓ ପଞ୍ଚାୟତରାଜ ବିଭାଗକୁ ସାମିଲ କରାଯାଇଛି।

ଜିଲ୍ଲା ଆରଆରଟି ସଭ୍ୟ ଡା.ଅରୁଣ କୁମାର ପାଢ଼ୀ କହିଥିଲେ ଯେ ମିଳିମିଳା ଓ ରୁବେଲା ଏକ ବାୟୁବାହିତ ଓ ଭୂତାଣୁ ଜନିତ ରୋଗ। ଏହା ବିଶେଷକରି ମହିଳାଙ୍କୁ ଅଧିକ ମାତ୍ରାରେ ସଂକ୍ରମଣ କରିଥାଏ। ମିଳିମିଳା ଆକ୍ରାନ୍ତ ହେଲେ ଶିଶୁକୁ ତରଳ ଝାଡା ହେବା ସହ ଦୁର୍ବଳ ହୋଇଥାଏ। ଏହାବ୍ୟତୀତ ମସ୍ତିଷ୍କ ସଂକ୍ରମଣର ଅଧିକ ଆଶା ଥାଏ। ସେହିପରି ରୁବେଲା ଗର୍ଭାବସ୍ଥାର ପ୍ରଥମ ମାସରେ ଆକ୍ରାନ୍ତ ହେଲେ ଗର୍ଭସ୍ଥ ଶିଶୁର ଆଖି, କାନ, ମସ୍ତିଷ୍କ ଓ ହୃତପିଣ୍ଡ ଜନିତ ଇତ୍ୟାଦି ସମସ୍ୟା ଦେଖାଦିଏ। ଏହି ଶିଶୁ ଜନ୍ମ ନେବା ପରେ ବଞ୍ଚିବା ପାଇଁ ଅନ୍ୟ ଉପରେ ନିର୍ଭର କରିବାକୁ ପଡେ। ଏଣୁ ମିଳିମିଳା ଓ ରୁବେଲା ଯୋଗୁଁ ଶିଶୁ ମୃତ୍ୟୁ ହାର ଅଧିକ ହୋଇଥାଏ। ଏହାକୁ ସମ୍ପୁର୍ଣ୍ଣ ଭାବେ ଭାରତରୁ ହଟାଇବା ପାଇଁ ଟୀକାକରଣ ଯୋଜନା ଆରମ୍ଭ ହୋଇଛି।

ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଦ୍ୟାଳୟ ସ୍ଥରରେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଶିକ୍ଷକ ଓ ଛାତ୍ର ସଚେତନତା ହୋଇପାରିଲେ ଏହି ଟୀକାକରଣ ଶତପ୍ରତିଶତ ଲକ୍ଷ ହାସଲ ହୋଇପାରିବ ବୋଲି କହିଥିଲେ। ପ୍ରତି ବିଦ୍ୟାଳୟରେ ଆସନ୍ତା ୨୬ରେ ସାଧାରଣତନ୍ତ୍ର ଦିବସ ଅବସରରେ ଏମଆର ଟୀକାକରଣ ନେଇ ଛାତ୍ରଛାତ୍ରୀ ଶପଥ ନେବେ। ୨୦୯୩ ଟି ବିଦ୍ୟାଳୟ ଓ ୨୨୨୧ଟି ଅଙ୍ଗନଓ୍ଵାଡି କେନ୍ଦ୍ରରେ ଏହି ଟୀକାକରଣ କରାଯିବ। ସେହିପରି ଆସନ୍ତା ୩୦ରୁ ମାହାତ୍ମାଗାନ୍ଧୀଙ୍କ ତିରୋଧାନ ଦିବସରୁ ଲେପ୍ରୋସି ରୋଗ ଦୂରୀକରଣ ପାଇଁ ସଚେତନତା କରାଯିବ ବୋଲି ସିଡିଏମଓ ଡା.ଶ୍ରୀ ପଣ୍ଡା କହିଥିଲେ। ସାମ୍ବାଦିକ ସମ୍ମିଳନୀରେ ଏଡିଏମଓ ଡା.ଶୋଭାରାଣି ମିଶ୍ର, ଡା. ସୁୁକାନ୍ତ କୁମାର ରଥ, ଡା.ଦେବଦତ୍ତ ରଣା, ଡିପିଏମଓ ସୁୁଶାନ୍ତ କୁମାର ପ୍ରହରାଜ ପ୍ରମୁଖ ଉପସ୍ଥିତ ଥିଲେ। 

ସମ୍ବନ୍ଧିତ ଖବର