ଦୁଷ୍କର୍ମ ମାମଲାରେ ୧୦ବର୍ଷ ଜେଲ୍‌

ନବରଙ୍ଗପୁର: ନବରଙ୍ଗପୁର ଫାଷ୍ଟଟ୍ରାକ୍‌ କୋର୍ଟ ବିଚାରପତି ଶିବ ପ୍ରସାଦ ମହାପାତ୍ର ଆଜି କୋଡିଙ୍ଗା ଥାନା ଅନ୍ତର୍ଗତ ମଦେଗାଁର ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ମାମଲାର ରାୟ ଶୁଣାଇଛନ୍ତି। ଅଭିଯୁକ୍ତକୁ ୧୦ବର୍ଷ ସଶ୍ରମ କାରାଦଣ୍ଡ ସହିତ ୫୦ହଜାର ଟଙ୍କା ଦେବାକୁ ନିର୍ଦେଶ ଦେଇଛନ୍ତି। ସୂଚନା ଅନୁଯାୟୀ ମଦେଗାଁର ଚିଙ୍ଗୁଡୁ ଧୁରୁଆ ଗତ ୨୦୧୬ ଏପ୍ରିଲ ୧୦ ତାରିଖରେ ସେହି ଗାଁର ଜଣେ ଯୁବତୀଙ୍କୁ ଘରେ କେହି ନଥିବା ସମୟରେ ଦୁଷ୍କର୍ମ କରିଥିଲା। ଏନେଇ ବାହାରେ ପ୍ରକାଶ କଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲା। ପରେ ବିବାହ ପ୍ରଲୋଭନ ଦେଖାଇ ଏକାଧିକ ବାର ଦୁଷ୍କର୍ମ କରିଥିଲା। ଯୁବତୀ ଜଣକ ସେହିବର୍ଷ ଡିସେମ୍ବର ୧୪ ତାରିଖରେ ମେଡିକାଲରେ ପରୀକ୍ଷା କରିବା ପରେ ୭ ମାସର ଗର୍ଭବତୀ ଥିବା ଜାଣିପାରିଥିଲେ। ଏହାପରେ ସେ ଚିଙ୍ଗୁଡୁକୁ ବିବାହ ପାଇଁ ଅନୁରୋଧ କରିଥିଲେ। ତେବେ ଚିଙ୍ଗୁଡୁ ବିବାହ ପାଇଁ ସଫା ସଫା ମାନ କରି ଦେଇଥିଲା। ଏ ନେଇ କୋଡିଙ୍ଗା ଥାନାରେ ଗତ ୨୦୧୬ ଡିସେମ୍ବର ୧୫ ତାରିଖରେ ଏତଲା ଦେଇଥିଲେ। କୋଡିଙ୍ଗା ଥାନା ପକ୍ଷରୁ କେସ ନଂ-୨୦୫/୨୦୧୬ରେ ମାମଲା ରୁଜୁ କରି ଅଭିଯୁକ୍ତ ଚିଙ୍ଗୁଡୁକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ଏହି ମାମଲା ନବରଙ୍ଗପୁର କୋର୍ଟରେ ବିଚରାଧୀନ ରହିଥିଲା। କୋର୍ଟ ପକ୍ଷରୁ ଡାକ୍ତର ସମେତ ୧୯ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଫାଷ୍ଟଟ୍ରାକ୍‌ କୋର୍ଟ ବିଚାରପତି ଶିବ ପ୍ରସାଦ ମହାପାତ୍ର ଅଭିଯୁକ୍ତ ଚିଙ୍ଗୁଡୁକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୫୦ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି। ତେବେ ଜରିମାନା ଅନାଦେୟରେ ଅତିରିକ୍ତ ୧ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି। ଏହି ମାମଲାକୁ ଏପିପି ସୁଧାକର ପଟ୍ଟନାୟକ ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର