ଗାଁ ଦାଣ୍ଡରେ ଅମାନୁଷିକ ଅତ୍ୟାଚାର : ମହିଳା ଓ ପୁରୁଷଙ୍କୁ ଲଣ୍ଡା କରି ପିଟିଲେ 

ଅନୈତିକ ସଂପର୍କ ଅଭିଯୋଗ : ଦଉଡିରେ ବାନ୍ଧି ଗାଁରେ ବୁଲାଇଲେ:ମହିଳାଙ୍କ ସ୍ୱାମୀ ସମେତ ୩ଗିରଫ

ଝରିଗାଁ/ନବରଙ୍ଗପୁର: ଅନୈତିକ ସଂପର୍କ ଅଭିଯୋଗ କରି ଆଇନ ହାତକୁ ନେଲେ। ଗାଁ ଦାଣ୍ଡରେ ଜଣେ ବିବାହିତା ମହିଳାଙ୍କୁ ପିଟିଲେ। ପିନ୍ଧା ଲୁଗାକୁ ଖୋଲି ଦେବାକୁ ଚେଷ୍ଟା କଲେ। ଗତକାଲି ରାତିରେ ତାଙ୍କ ଘରେ ରାତିରେ ଆଶ୍ରୟ ନେଇଥିବା ଜଣେ ପୁରୁଷଙ୍କ ପୋଷାକ ଚିରି ନିର୍ଧୁମ ବାଡ଼େଇଲେ। ଏତିକରେ ବି ଗାଁ ଲୋକଙ୍କ ରାଗ ଶାନ୍ତ ହୋଇ ନଥିଲା। ଉଭୟଙ୍କୁ ସର୍ବସାଧାରଣଙ୍କ ସମ୍ମୁଖରେ ଲଣ୍ଡା କଲେ। ଦଉଡିରେ ବାନ୍ଧି ଗାଁ ସାରା ବୁଲାଇଲେ। ନିର୍ଯାତନାର ଭିଡିଓକୁ ମୋବାଇଲରେ ଭାଇରାଲ କରିବାକୁ ବି ପଛାଇ ନଥିଲେ। ଏଭଳି ଏକ ଅଭାବନୀୟ ଘଟଣା ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରେ ଆଲୋଡ଼ନ ସୃଷ୍ଟି କରିଛି। ଖବର ପାଇ ଉମରକୋଟ ଥାନା ପୁଲିସ ପହଞ୍ଚି ଗ୍ରାମବାସୀଙ୍କ ଦ୍ୱାରା ବନ୍ଦି ମହିଳା ଓ ପୁରୁଷଙ୍କୁ ଉଦ୍ଧାର କରିଥିଲା। ଉଭୟଙ୍କ ପୃଥକ ପୃଥକ ଏତଲାକୁ ଗ୍ରହଣ କରି ୩ଜଣଙ୍କ ନାମରେ ମାମଲା ରୁଜୁ କରିଛି। ତେବେ ଏହି ଘଟଣାକୁ ସଭ୍ୟ ସମାଜ ଆଦୌ ଗ୍ରହଣ କରିପାରି ନାହାନ୍ତି। ରାସ୍ତା ମଝିରେ ଜଣେ ମହିଳାଙ୍କ ଇଜ୍ଜତ ସହ ଏମିତି ଘୃଣ୍ୟ ଖେଳ ଖେଳିବା ଗ୍ରହଣୀୟ ନୁହେଁ। ଅତ୍ୟାଚାରର ସବୁ ସୀମା ଟପି ଯାଇଥିବାରୁ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି।
ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଝରିଗାଁ ବ୍ଲକ ତଥା ଉମରକୋଟ ଥାନା ଅନ୍ତର୍ଗତ କାମକୋଟ ପଞ୍ଚାୟତର ବୁଆଲିବେଡା ଗାଁ ମୁଣ୍ଡରେ ଗୋଟିଏ କଳା ରଙ୍ଗର ସ୍କୋର୍ପିଓ ଗାଡି ଆସି ଲାଗିଥିଲା। ଦୀର୍ଘ ସମୟ ଧରି ଗାଡ଼ି ସେଠାରେ ରହିଥିବା ବେଳେ ସେଥିରେ କେହି ନଥିଲେ। ତେଣୁ ଗାଁର ଯୁବକ ମାନଙ୍କୁ ସନ୍ଦେହ ହୋଇଥିଲା। ଗାଁରେ ଚୋର ପଶିଥିବା ଅନୁମାନ କରି ଗାଁ ଲୋକଙ୍କୁ ଫୋନ କରି ଡକାଇଥିଲେ। ଆଖପାଖ ଅଞ୍ଚଳରେ ଖୋଜାଖୋଜି କରିବା ପରେ ବି କାହାର ଦେଖା ମିଳି ନଥିଲା। ତେଣୁ ଗାଁର ବିଭିନ୍ନ ସ୍ଥାନରେ ଦଳ ଦଳ ହୋଇ ଗ୍ରାମବାସୀ ଜଗି ରହିଲେ। ଭୋର ପ୍ରାୟ ୪ଟା ବେଳେ ନିକଟସ୍ଥ ନିରଣ୍ଡି ଗାଁର ଗୋଟିଏ ଘରୁ ଜଣେ ବିବାହିତା ମହିଳା ବାହାରିଥିଲେ। ତାଙ୍କ ସହ ଜଣେ ଅପରିଚିତ ପୁରୁଷ ଥିଲେ। ଦୁହିଁଙ୍କୁ ଅଟକ ରଖି ପଚରା ଉଚୁରା କରିଥିଲେ। ଜଣାପଡିଥିଲା ଯେ ମହିଳାଙ୍କ ସ୍ୱାମୀ କୌଣସି କାମରେ ରାଇଘର ଯାଇଥିଲେ। ତେଣୁ ପାପଡାହାଣ୍ଡି ଗାଁର ସେହି ପୁରୁଷ ତାଙ୍କ ଘରେ ଗତ ରାତିରେ ରହିଥିଲେ। ସାରା ରାତି ଚୋରକୁ ଅପେକ୍ଷା କରିଥିବା ଗ୍ରାମବାସୀଙ୍କ ସନ୍ଦେହ ପୁଣି ଭିନ୍ନ ମୋଡ ନେଇଥିଲା। ମହିଳା ଜଣକ ପରପୁରୁଷ ସହ ଅନୈତିକ ସଂପର୍କ ରଖିଥିବା ଅଭିଯୋଗ କରିଥିଲେ। ମହିଳାଙ୍କ ସ୍ୱାମୀଙ୍କୁ ଫୋନ କରି ଘଟଣା ସଂକ୍ରାନ୍ତରେ ଜଣାଇଥିଲେ। କିନ୍ତୁ ଆଲୋଚନା କରି ଶାନ୍ତିପୂର୍ଣ୍ଣ ଭାବେ କୌଣସି ନିଷ୍ପତ୍ତି ନେବା ବଦଳରେ ଗ୍ରାମବାସୀ ଉତ୍ତେଜିତ ହୋଇ ଆକ୍ରମଣ କରିଥିଲେ। ଗୋଟିଏ ଦୁଉଡିରେ ବାନ୍ଧି ଦୁହିଁଙ୍କୁ ବାନ୍ଧି ଗାଁ ସାରା ବୁଲାଇଥିଲେ। ସ୍କୋର୍ପିଓ ଗାଡିକୁ ଭଙ୍ଗାରୁଜା କରିବା ସହ ଲୁଗାପଟା ଖୋଲି ଦେବାକୁ ଚେଷ୍ଟା କରିଥିଲେ। ଶେଷରେ ଲଣ୍ଡା କରି ସମସ୍ତଙ୍କ ସାମ୍ନାରେ ବେଇଜ୍ଜତ କରିଥିଲେ।
ଦୀର୍ଘ ସମୟ ଧରି ଅମାନୁଷିକ ନିର୍ଯାତନା ପରେ ଖବର ପାଇ ଉମରକୋଟ ପୁଲିସ ଗାଁରେ ପହଞ୍ଚିଥିଲା। ଉଭୟ ମହିଳା ଓ ପୁରୁଷଙ୍କୁ ଉଦ୍ଧାର କରିଥିଲା। ଉଭୟଙ୍କ ଅଭିଯୋଗକୁ ଆଧାର କରି ପୁଲିସ କେସ ନଂ ୧୧୫/୧୮ରେ ୩ଜଣଙ୍କ ନାମରେ ମାମଲା ରୁଜୁ କରିଛି। ମହିଳାଙ୍କ ସ୍ୱାମୀ ସହ ନବୀନ କୋଚିମ ଓ ପରମାନନ୍ଦ ଖରାକଙ୍କୁ ଗିରଫ କରାଯାଇଛି। ଘଟଣାରେ ସଂପୃକ୍ତ ଅନ୍ୟମାନଙ୍କୁ ଧରିବା ପାଇଁ ଗ୍ରାମରେ ଚଢ଼ାଉ ଜାରି ରହିଛି ବୋଲି ଉମରକୋଟ ଥାନା ଅଧିକାରୀ ବୀରେନ୍ଦ୍ର କୁମାର ସେନାପତି କହିଛନ୍ତି। ସେହିପରି ଗ୍ରାମବାସୀଙ୍କ କହିବା ଅନୁଯାୟୀ ଗାଁରେ ଅନୈତିକ କାର୍ଯ୍ୟକୁ ଆଦୌ ବରଦାସ୍ତ କରାଯିବ ନାହିଁ। ତେଣୁ ଦୁହିଁଙ୍କୁ ସମସ୍ତଙ୍କ ସାମ୍ନାରେ ଦଣ୍ଡ ଦିଆଗଲା। ଯାହାଫଳରେ ଗାଁର ମା’ ଓ ଝିଅଙ୍କ ଇଜ୍ଜତ ସହ ଖେଳିବା ପାଇଁ କେହି ସାହସ କରିବେ ନାହିଁ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର