ଗୁଣି ସନ୍ଦେହରେ ଜଗୁଙ୍କୁ ହତ୍ୟା!:୬ଜଣ ଅଭିଯୁକ୍ତଙ୍କୁ ଜେରା କରୁଛି ପୁଲିସ

ରାଇଘର: ଦୀର୍ଘ ୫୦ଦିନ ହେଲା ନିଖୋଜ ଥିବା ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ମାଓପ୍ରବଣ ରାହାସପାରା ଗ୍ରାମର ଜଗୁ ମାଝୀ(୫୮)ଙ୍କୁ ଗୁଣି ସନ୍ଦେହରେ ହତ୍ୟା କରି ପୋଡି ଦିଆଯାଇଥିଲା। ପ୍ରାଥମିକ ତଦନ୍ତ ପରେ ପୁଲିସ ଏହି ଘଟଣାର ପର୍ଦାଫାଶ କରିବାରେ ସଫଳ ହୋଇଛି। ରାହାସପାରା ଗ୍ରାମର ୬ଜଣ ଅଭିଯୁକ୍ତ ଜଗୁଙ୍କୁ ହତ୍ୟା କରିଥିବା ନେଇ ପୁଲିସ ସମ୍ମୁଖରେ ସ୍ୱୀକାର କରିଥିବା ଜଣାପଡିଛି। ତେବେ ତଦନ୍ତରେ ବାଧା ଉପୁଜିବା ଆଶଙ୍କା ରହିଥିବାରୁ ପୁଲିସ ଅଧିକ ସୂଚନା ଦେବାକୁ ମନା କରି ଦେଇଛି।
ପ୍ରକାଶ ଥାଉକି, ଏପ୍ରିଲ ୨୪ତାରିଖରେ ଉପାନ୍ତ ହଳଦୀ ପଞ୍ଚାୟତ ଅନ୍ତର୍ଗତ ରାହାସପାରା ଗ୍ରାମର ଜଗୁ ମାଝୀ(୫୮) ଗାଁରେ ଅନୁଷ୍ଠିତ ହୋଇଥିିବା ଏକ ବୈଠକରେ ଯୋଗ ଦେଇଥିଲେ। ଏହି ଦିନ ଗ୍ରାମର କିଛି ବ୍ୟକ୍ତିଙ୍କ ସହ ଜଗୁଙ୍କ ପାଟିତୁଣ୍ଡ ହୋଇଥିବା ବେଳେ ଏହା ପରଠାରୁ ସେ ନିଖୋଜ ହୋଇଯାଇଥିଲେ। ପରେ ପରିବାର ଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ମଧ୍ୟ ଜଗୁଙ୍କୁ ନପାଇବାରୁ ୨୬ତାରିଖରେ ରାଇଘର ଥାନାରେ ଏତଲା ଦେଇଥିଲେ।

ତେବେ ଗତ ୨ତାରିଖରେ ରାହାସପାରା ଗାଁ ଠାରୁ ୧୦କିଲୋମିଟର ଦୂରରେ ଥିବା ଛତିଶଗଡ ଗରିଆବନ୍ଧ ଜିଲ୍ଲା ଚୁଙ୍ଗଡା ଥାନା ଅନ୍ତର୍ଗତ କଦୁମାଳି ଅଞ୍ଚଳର ଜବିନାଳ ଜଙ୍ଗଲ ଭିତରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା ପରେ ପୋଡି ଦିଆଯାଇଥିବା ଖବର ପ୍ରଚାରିତ ହୋଇଥିଲା। ଖବର ପାଇ ଗତ ୫ତାରିଖରେ ନିଖୋଜ ଜଗୁଙ୍କ ପରିବାର ଲୋକ, ଗ୍ରାମବାସୀ ଓ ହଳଦୀ ସରପଞ୍ଚ ଉପେନ୍ଦ୍ର ଗଣ୍ଡ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଟଣାସ୍ଥଳରେ କେବଳ ପାଉଁଶ ଓ ହାଡ ପଡି ରହିଥିବା ଦେଖିବାକୁ ମିଳିଥିଲା। ସେଠାରୁ ଆସିବା ପରେ ଜଗୁଙ୍କୁ ହତ୍ୟା ପରେ ପୋଡି ଦିଆଯାଇଥିବା ନେଇ ସରପଞ୍ଚ ଶ୍ରୀ ଗଣ୍ଡ ଓ ଜଗୁଙ୍କ ପରିବାର ଲୋକ ରାଇଘର ଥାନାରେ ୧୨ତାରିଖରେ ଏତଲା ଦେଇଥିଲେ। ନିଖୋଜ ହେବା ଦିନ ଜଗୁଙ୍କ ସହ ଗ୍ରାମର ୪ଜଣ ବ୍ୟକ୍ତିଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିବାରୁ ସଂପୃକ୍ତ ୪ଜଣ ବ୍ୟକ୍ତିଙ୍କ ବିରୋଧରେ ଏତଲା ଦିଆଯାଇଥିଲା।

ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଗତ ୧୩ତାରିଖରେ ୪ଜଣ ଓ ୧୪ତାରିଖରେ ଗ୍ରାମର ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଥାନାକୁ ଆଣି ପଚରାଉଚୁରା କରିଥିଲା। ଆଜି ପୁଣି ଥରେ ଗ୍ରାମର ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଏହି ଘଟଣାରେ ଥାନାକୁ ଆଣି ପଚରାଉଚୁରା କରିିଥିଲା। ଜଗୁ ମାଝୀଙ୍କୁ ଗୁଣି ସନ୍ଦେହରେ ହତ୍ୟା କରିଥିବା ନେଇ ଅଟକ ଥିବା ୬ଜଣ ଅଭିଯୁକ୍ତ ସ୍ୱୀକାର କରିଥିବା ପୁଲିସ କହିଛି। ଏହି ଘଟଣାରେ ପୁଲିସ ରାହାସପାରା ଗ୍ରାମର ସୁନାଧର ରାଉତ, କରନ ରାଉତ, ପୁରନ ରାଉତ, ଦିନବନ୍ଧୁ ରାଉତ, ସମ୍ବାରୁ ମାଝୀ ଓ ଦେବ ମାଝୀଙ୍କୁ ଅଟକ ରଖି ଅଧିକ ପଚରାଉଚୁରା କରୁଛି। ତେବେ କିଭଳି ଭାବେ ଜଗୁଙ୍କୁ ହତ୍ୟା କରାଯାଇଥିଲା ସେନେଇ ଅତିଶୀଘ୍ର ସ୍ପଷ୍ଟ ହେବ ବୋଲି ଥାନା ଅଧିକାରୀ ନରେନ୍ଦ୍ର କୁମାର ମାଝୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର