କୁଷନଗୁଡା-ପାପଡାହାଣ୍ଡି ରାସ୍ତା ଅବସ୍ଥା ଶୋଚନୀୟ

ନବରଙ୍ଗପୁର: ତେନ୍ତୁଳିଖୁଣ୍ଟି ବ୍ଲକ ଅମଳାଭଟା ପଞ୍ଚାୟତ ଅନ୍ତର୍ଗତ କୁଷନଗୁଡା ଠାରୁ ପାପଡାହାଣ୍ଡି ଭାୟା ପଣ୍ଡିକୋଟ ରାସ୍ତା ଶୋଚନୀୟ ହୋଇପଡିଛି। କୁଷନଗୁଡା ଠାରୁ ପଣ୍ଡିକୋଟ ଦେଇ ପାପଡାହାଣ୍ଡିକୁ ପ୍ରାୟ ୧୨ କିମି ପଡୁଛି। ତେବେ ଏହି ରାସ୍ତା ମାଟି ଓ ଅଣଓସାରିଆ ରହିଥିବା ବେଳେ ସ୍ଥାନେ ସ୍ଥାନେ ବର୍ଷା ପାଣି ପ୍ରବାହିତ ହୋଇ ରାସ୍ତା ସାରା ଖାଲୁଅ ହୋଇପଡିଛି। ତେଣୁ ଏହି ରାସ୍ତାରେ ଚାଲି ଯିବା ମଧ୍ୟ କଷ୍ଟକର ହୋଇପଡୁଛି। ବିଶେଷ କରି କୁଷନଗୁଡା ଠାରୁ ପଣ୍ଡିକୋଟ ପ୍ରାୟ ୫ କିମି ରାସ୍ତା ଉପରେ ଅଞ୍ଚଳବାସୀ ବହୁତ ନିର୍ଭର କରୁଛନ୍ତି। କୁଷନଗୁଡା ଗାଁର ଛାତ୍ରଛାତ୍ରୀ ମାନେ ହାଇସ୍କୁଲ ପାଠ ପଢ଼ିବା ପାଇଁ ପଣ୍ଡିକୋଟ ଉଚ୍ଚ ବିଦ୍ୟାଳୟ ଉପରେ ନିର୍ଭର କରିବାକୁ ପଡୁଛି। ସାମାନ୍ୟ ବର୍ଷା ହେଲେ ସେହି ରାସ୍ତାରେ ସାଇକେଲ ଯିବା କଷ୍ଟକର ହୋଇପଡୁଛି।

ତେଣୁ ବର୍ଷା ହେଲେ ପିଲାଙ୍କ ପାଠ ପଢ଼ା ବନ୍ଦ ହୋଇଯାଏ। କୁଷନଗୁଡା, ଗୁମିଦୋରା ଓ ନିଲଗୁଣ୍ଡିଗୁଡା ଗାଁର ଲୋକେ ଯାବତୀୟ କାର୍ଯ୍ୟ ପାଇଁ ପଞ୍ଚାୟତ ସଦର ମହକୁମା ପଣ୍ଡିକୋଟ ଉପରେ ନିର୍ଭର କରୁଛନ୍ତି। ତେବେ ବର୍ଷା ହେଲେ କୁଷନଗୁଡା ଓ ପଣ୍ଡିକୋଟ ମଧ୍ୟରେ ଥିବା ଏକ ପୋଲ ପାର୍ଶ୍ୱରେ ରାସ୍ତା ଗତ ବର୍ଷେ ହେଲା ଧୋଇ ହୋଇଯାଇଥିଲେ ମଧ୍ୟ ଏହାର ମରାମତି ହୋଇପାରୁ ନାହିଁ। ସେହିପରି ପଣ୍ଡିକୋଟ ଗାଁ ଦେଇ ଯାଇଥିବା ସିମେଣ୍ଟ ରାସ୍ତାରେ କଂକ୍ରିଟ ଛାଡି ଯାଇ ଖାଲଖମା ହୋଇଛି। ପଣ୍ଡିକୋଟ ଠାରୁ ପାପଡାହାଣ୍ଡି ରାସ୍ତା ବି ଶୋଚନୀୟ ହୋଇପଡିଛି। ଏହି ରାସ୍ତାରେ ବର୍ଷା ଦିନେ ଆମ୍ବୁଲାନ୍‌ସ ଆସିବା କଷ୍ଟକର ହୋଇପଡୁଛି। କୁଷନଗୁଡା ଠାରୁ ପଣ୍ଡିକୋଟ ରାସ୍ତା ଉପରେ ତେନ୍ତୁଳିଖୁଣ୍ଟି, ପାପଡାହାଣ୍ଡି ଓ ନବରଙ୍ଗପୁର ବ୍ଲକର ବହୁ ଗ୍ରାମ ନିର୍ଭର କରୁଛନ୍ତି। ତେଣୁ କୁଷନଗୁଡା ଠାରୁ ପାପଡାହାଣ୍ଡି ଭାୟା ପଣ୍ଡିକୋଟ ରାସ୍ତାକୁ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ସାମିଲ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ସେହିପରି କୁଷନଗୁଡା ଠାରୁ କାମତା ପ୍ରାୟ ୩ କିମି ରାସ୍ତାକୁ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ସାମିଲ କରିବା ପାଇଁ କାମତା ଗ୍ରାମବାସୀ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଏକ ଦାବିପତ୍ର ପ୍ରଦାନ କରିଥିବା କହିଛନ୍ତି।

ସମ୍ବନ୍ଧିତ ଖବର