ଦାଦନ ଦୁଃଖ : ଚେନ୍ନାଇରେ ଦୁର୍ଘଟଣା ପରେ ଦଲାଲ ଫେରାର

ଫେରିବା ବେଳେ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ ୧୫ ମାସ ପରେ ଘରକୁ ଫେରିଲେ ଦାଦନ

ନବରଙ୍ଗପୁର/ଝରିଗାଁ: ନବରଙ୍ଗପୁର ଜିଲ୍ଲାରେ ଦାଦନ ଦୁଃଖ ଦିନକୁ ଦିନ ବଢ଼ିବାରେ ଲାଗିଛି। ଜିଲ୍ଲାରେ କାମ ଧନ୍ଦା ଅଭାବରୁ ଗ୍ରାମାଞ୍ଚଳ ଜନତା ପେଟପାଟଣା ପାଇଁ ଦଲାଲଙ୍କ ଜରିଆରେ ରାଜ୍ୟ ବାହାରକୁ ଯାଉଛନ୍ତି। ରାଜ୍ୟ ବାହାରେ କୌଣସି ଅଘଟଣ ହେଲେ ଦଲାଲ ସେଠାରୁ ଛାଡି ଛୁ ମାରୁଛନ୍ତି। ନବରଙ୍ଗପୁର ଜିଲ୍ଲା‌େର ବହୁ ଦାଦନ ଶ୍ରମିକ ବାହାର ରାଜ୍ୟକୁ ଯାଇ ନିଖୋଜ ରହିଥିବା ବେଳେ ବହୁ ସଂଖ୍ୟାରେ ନିର୍ଯାତିତ ହୋଇ ଫେରିଥିବା ନଜିର ରହିଛି। ଏଭଳି ସ୍ଥିତିରେ ସଂପ୍ରତି ଏକ ସଦ୍ୟତମ ଘଟଣାରେ ନିର୍ଯ୍ୟାତନାର ଶୀକାର ହୋଇ ଝରିଗାଁ ବ୍ଲକ ଚଚ୍ଚା ପଞ୍ଚାୟତ ଗବାଗୁଡା ଗାଁର ଯୁବରାଜ ଗୌଡ ଦାଦନ ଖଟିବା ପାଇଁ ଚେନ୍ନାଇ ଯାଇ ୧୫ ମାସ ଧରି ନିଖୋଜ ରହିଥିଲେ । ଦୀର୍ଘ ମା ପରେ ଏବେ ସେ ଘରକୁ ଫେରିଛନ୍ତି। ଗାଁକୁ ଫେରିବା ପରେ ଦାଦନର ଦୁଃଖ ବଖାଣିଛନ୍ତି ।
ଯୁବ ରାଜ ଗୌଡ କହିବା ଅନୁଯାୟୀ ଡାବୁଗାଁ ବ୍ଲକ ଅଞ୍ଚଳା ଗ୍ରାମର ଜଣେ ମଧ୍ୟସ୍ଥି ଚେନ୍ନାଇରେ ଏକ ରାସ୍ତା ନିର୍ମାଣ କାରୀ ସଂସ୍ଥାରେ କାମ କଲେ ଖାଇବା ସହ ମାସିକ ୯ ହଜାର ଟଙ୍କା ମିଳିବ ବୋଲି ପ୍ରଲୋଭନ ଦେଖାଇଥିଲେ। ତାଙ୍କ କଥାରେ ଗତ ୧୫ ମାସ ପୂର୍ବେ ବିଭିନ୍ନ ଅଞ୍ଚଳର ୨୦ ଜଣ ଚେନ୍ନାଇ ଯାଇଥିଲା। ତାଙ୍କ ଗାଁରୁ ସେ ଓ ଅନ୍ୟ ଜଣେ ମୂକ ଓ ବଧିର ଯୁବକ ଯାଇଥିଲେ । ଚେନ୍ନାଇ ଷ୍ଟେସନରେ ଓଲ୍ଲାଇବା ପରେ ପୁଲିସ ସେମାନଙ୍କୁ ଷ୍ଟେସନରେ ଅଟକ ରଖିଥିଲେ। ଏହି ସମୟରେ ଯୁବରାଜ ପରିସ୍ରା ଆଳରେ ବାହାରକୁ ଆସିବା ବେଳେ ଏକ ମୋଟର ସାଇକେଲ ଧକ୍କା ଦେଇଥିଲା। ଦୁର୍ଘଟଣାରେ ତାଙ୍କ ଗୋଡ ଓ ହାତ ଭାଙ୍ଗିଯାଇଥିଲା। ସେ ମରିଯାଇଥିବା ଆଶଙ୍କା କରି ଦଲାଲ ଚମ୍ପଟ ମାରିଥିବା କହିଛନ୍ତି । ସ୍ଥାନୀୟ ଯୁବକ ଏକ ମେଡିକାଲରେ ଭର୍ତ୍ତି କରିଥିଲେ । ସ୍ବାସ୍ଥ୍ୟ ଭଲ ପାଇଁ ୨ମାସ ୧୫ ଦିନ ଲାଗିଥିଲା। ମେଡିକାଲରେ ସେ ଓଡିଶା ଯିବାକୁ କହିବାରୁ ରୋଗୀ ମାନେ ଚାନ୍ଦା କରି କିଛି ଟଙ୍କା ଦେଇଥିଲେ। ଓଡିଶା ଫେରିବା ବେଳେ ଭୁଲରେ ଆସାମ ଯାଉଥିବା ଟ୍ରେନରେ କେହି ଜଣେ ବସାଇ ଦେଇଥିଲେ। ଆସାମରେ ପହଞ୍ଚିବା ପରେ ପୁଣି ଚେନ୍ନାଇ ଫେରିବା ପାଇଁ ଏକ ଟ୍ରେନରେ ବସିଥିଲେ। ଉକ୍ତ ଟ୍ରେନଟି ବିହାରରେ ପହଞ୍ଚିବା ପରେ ସେଠାରୁ ଅନ୍ୟ ଏକ ଟ୍ରେନରେ ତାମିଲନାଡୁର କୋଲପୁର ଷ୍ଟେସନରେ ପହଞ୍ଚିଥିଲେ। ପାଖରେ ଅର୍ଥ ନଥିବାରୁ ଏକ ହୋଟେଲରେ କାମ କରିଥିଲେ । ହୋଟେଲ ମାଲିକ ଖାଇବା ପିଇବା ସହ ମାସିକ ୫ ହଜାର ଟଙ୍କା ଲେଖାଏଁ ଦେଇଥିଲେ। କିଛି ମାସ ପରେ ସଂଚୟ ଅର୍ଥକୁ ନେଇ ସେ ଓଡିଶା ଆସିବା ଟ୍ରେନରେ ବସିଥିଲେ। ଟ୍ରେନରେ ଚଢ଼ିବା ବେଳେ କେହି ଦୁର୍ବୃତ୍ତ ନିକଟରେ ଥିବା ୨୭ ହଜାର ଟଙ୍କା ଲୁଟି ନେଇଥିଲେ । ଅନ୍ୟ ପକେଟରେ ଥିବା ୧ ହଜାର ଟଙ୍କା ନେଇ ବ୍ରହ୍ମପୁର ଷ୍ଟେସନରେ ପହଞ୍ଚିଥିଲେ। ବ୍ରହ୍ମପୁରରୁ ଆସି ଝରିଗାଁ ପହଞ୍ଚିଥିଲେ। ଗାଁକୁ ଯିବା ପାଇଁ ପାଖରେ କିଛି ଅର୍ଥ ନଥିବାରୁ ସେ ବାଧ୍ୟ ହୋଇ ଚାଲି ଚାଲି ଗାଁକୁ ଫେରିଥିବା କହିଛନ୍ତି ।
ପ୍ରକାଶ ଥାଉକି ଯୁବରାଜଙ୍କୁ ଦାଦନ ଖଟିବାକୁ ଯିବା ନଫେରିବା ପରେ ପତ୍ନୀ ମଙ୍ଗଦେଇ ଦଲାଲ ନିକଟକୁ ଯାଇ ପଚାରଥିଲେ । କିଛି ସୁଫଳ ନମିଳିବାରୁ ଥାନାରେ ଏତଲା ଦେଇଥିଲେ । ଥାନାରେ କୌଣସି ସୁଫଳ ନମିଳିବାରୁ ଗତ ଜୁନ୍ ୧୩ ତାରିଖ ଦିନ ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟରେ ଫେରାଦ ହୋଇଥିଲେ। ଯୁବରାଜ ଫେରିବା ପରେ ପରିବାରରେ ଆନନ୍ଦଉଲ୍ଲାସ ଫେରିଆସିଛି ସତ କିନ୍ତୁ ଯେଉଁ ଦଲାଲ ଜଣକ ନେଇଥିଲା ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ସମ୍ବନ୍ଧିତ ଖବର