ଜଳିଗଲା ୩ଲକ୍ଷରୁ ଊର୍ଧ୍ୱ ଟଙ୍କାର ଧାନ

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ଅନ୍ତର୍ଗତ ବୋରଦେଇ ଗ୍ରାମର ଏକ ଖଳାରେ ଅଗ୍ନିକାଣ୍ଡ ଘଟି ୪ଟି ଧାନଗଦା ପୋଡି ପାଉଁଶ ହୋଇଯାଇଛି। ଏହି ଅଗ୍ନିକାଣ୍ଡରେ ୩ଜଣ ଚାଷୀଙ୍କ ୨୫୦କୁଇଣ୍ଟାଲ ତଥା ୩ଲକ୍ଷରୁ ଊର୍ଧ୍ୱ ଟଙ୍କାର ଧାନ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ଧାନ ନଷ୍ଟ ହୋଇଯିବା ପରେ ପରିବାର ଚଳାଇବା ଓ ଋଣ ପରିଶୋଧ ନେଇ କ୍ଷତିଗ୍ରସ୍ତ ଚାଷୀ ଚିନ୍ତାରେ ରହିଛନ୍ତି।
ସୂଚନା ଅନୁଯାୟୀ, ବୋରଦେଇ ଗ୍ରାମର ପୂର୍ଣ୍ଣଚନ୍ଦ୍ର ଟାକ୍ରି, ତାଙ୍କ ଭାଇ ଗନଚାଏ ଟାକ୍ରି ଓ ପୁତୁରା ସରୋଜ କୁମାର ଟାକ୍ରି ନିଜ ଜମିରେ କରିଥିବା ଧାନ ଅମଳ କରି ଗାଁର ଏକ ଖଳାରେ ୪ଟି ଗଦା କରି ରଖିଥିଲେ। ତେବେ ଆଜି ଅପରାହ୍ନ ପ୍ରାୟ ୫ଟାରେ କୌଣସି କାରଣରୁ ଏହି ଧାନ ଗଦାରେ ନିଆଁ ଲାଗି ଯାଇଥିଲା। ଏହା ଦେଖିବା ପରେ ଗ୍ରାମବାସୀ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିବା ସହ ଡାବୁଗାଁ ଅଗ୍ନିଶମ କାର୍ଯ୍ୟାଳୟକୁ ଫୋନ କରିଥିଲେ। ତେବେ ଫୋନ୍‌ ନଲାଗିବାରୁ ଲୋକେ ଡାବୁଗାଁ ପୁଲିସକୁ ଖବର ଦେଇଥିଲେ। ପୁଲିସ ଏସଂପର୍କରେ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଦମକଳ ଗାଡି ଘଟଣାସ୍ଥଳରେ ପହଞ୍ଚିଥିଲା। ତେବେ ଏହି ସମୟ ମଧ୍ୟରେ ୪ଟି ଯାକ ଧାନ ଗଦା ସଂପୂର୍ଣ୍ଣ ଭାବେ ପୋଡି ଯାଇଥିଲା। ଏହି ଅଗ୍ନିକାଣ୍ଡରେ ପୂର୍ଣ୍ଣଚନ୍ଦ୍ରଙ୍କ ୧୫୦କୁଇଣ୍ଟାଲ, ଗନଚାଏଙ୍କ ୫୦କୁଇଣ୍ଟାଲ ଓ ସରୋଜଙ୍କ ୫୦କୁଇଣ୍ଟାଲ ଧାନ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। ଧାନ ନଷ୍ଟ ହେବା ପରେ ପରିବାର ଚଳାଇବା ଓ ଋଣ ପରିଶୋଧ ନେଇ କ୍ଷତିଗ୍ରସ୍ତ ଚାଷୀ ଚିନ୍ତାରେ ପଡିଛନ୍ତି। ଶୀଘ୍ର ପ୍ରଶାସନ ପକ୍ଷରୁ କ୍ଷୟକ୍ଷତିର ଆକଳନ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି।

ସମ୍ବନ୍ଧିତ ଖବର