ନବରଙ୍ଗପୁର/କୋଷାଗୁମୁଡା/ଉମରକୋଟ,୨୧/୬(ଇମିସ): ନବରଙ୍ଗପୁର ଜିଲ୍ଲାରେ ଆଜି ଦିନକ ମଧ୍ୟରେ ବଜ୍ରାଘାତରେ ୩ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଦୁଇ ଜଣ କୋଷାଗୁମୁଡା ବ୍ଲକର ହୋଇଥିବ ବେଳେ ଅନ୍ୟ ଜଣେ ଉମରକୋଟ ବ୍ଲକର ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, କୋଷାଗୁୁମୁଡା ବ୍ଲକ ଅନ୍ତର୍ଗତ ଉକିଆପାଲ୍ଲୀ ଗାଁର ପଦ୍ମନ ପୂଜାରୀ (୩୫) ଏବଂ ରାମ ଭତ୍ରା (୪୮) ଭାସ୍କେଲ ନଦୀ କୂଳରେ ଥିବା ଜମିକୁ କାମରେ ଯାଇଥିଲେ। ସଂଧ୍ୟାରେ ହଠାତ୍ କଳା ମେଘ ଘୋଟି ଯାଇ ପ୍ରବଳ ବର୍ଷା ହୋଇଥିଲା। ତେଣୁ ଦୁହେଁ ଜମି ନିକଟରେ ଥିବା ଅସ୍ଥାୟୀ କୁଡିଆକୁ ଚାଲି ଯାଇଥିଲେ। ତେବେ ଏହି ଅସ୍ଥାୟୀ ଘରେ ଉପରେ ବଜ୍ରପାତ ହୋଇ ଘଟଣା ସ୍ଥଳରେ ଦୁହିଁଙ୍କ ମୃତ୍ୟୁ ହୋଇଯାଇଥିଲା। ସେହିପରି ବିଜୁଳି ପଡ଼ି ଅସ୍ଥାୟୀ ଘର ହୁତ୍ହୁତ ହୋଇ ଜଳି ଯାଇଥିଲା। ଏହି ଦୃଶ୍ୟକୁ ଗାଁର ଜଣେ ବୃଦ୍ଧା ଦେଖିଥିଲେ ବି ଏତେମାତ୍ରାରେ ଭୟଭୀତ ହୋଇଯାଇଥିଲେ ଉଦ୍ଧାର କରିବାକୁ ଯାଇପାରି ନଥିଲେ। ବର୍ଷା ଛାଡ଼ିବା ପରେ ଗାଁ ଲୋକଙ୍କୁ ଡାକି ଘଟଣା ସ୍ଥଳକୁ ଯାଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସେତେବେଳକୁ ଦୁହିଁଙ୍କର ଶବରେ ନିଆଁ ଲାଗି ଅଧାଅଧି ପୋଡ଼ି ଯାଇଥିଲା ଖବର ପାଇ ରାତିରେ ବଡଆମ୍ବଡା ଫାଣ୍ଡି ଅଧିକାରୀ ରାମଲାଲ ଦରିଆ ଓ ଷ୍ଟାଫ ଘଟଣା ସ୍ଥଳରେ ପହଞ୍ଚିଥିଲେ। ରାତି ହୋଇଯାଇଥିବାରୁ ଶବ ଉଦ୍ଧାର କରିପାରି ନଥିଲେ। ଆସନ୍ତକାଲି ସକାଳୁ ବ୍ୟବଚ୍ଛେଦ ପାଇଁ ପଠାଯିବ। ଏହି ଘଟଣା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି। ବରିଷ୍ଠ ନେତା ଯୋଗେନ୍ଦ୍ର ସ୍ୱାଇଁ ଓ ସରପଞ୍ଚ ଦେବରାଜ ମାଝୀ ଶୋକ ପ୍ରକାଶ କରିବା ସହ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ପ୍ରଶାସନକୁ ଅନୁରୋଧ କରିଛନ୍ତି।
ସେହିପରି ଉମରକୋଟ ବ୍ଲକର କାରାଗାଁ ପଞ୍ଚାୟତ ଅନ୍ତର୍ଗତ ମୁଣ୍ଡିବେଡ଼ା ଗାଁର ରବି ଭତ୍ରା (୩୮)ଙ୍କ ବଜ୍ରପାତରେ ମୃତ୍ୟୁ ହୋଇଛି। ସଂଧ୍ୟା ପ୍ରାୟ ସାଢ଼େ ୬ଟାରେ ଘର ନିକଟସ୍ଥ ଗୋଟିଏ ଗଛ ନିକଟରେ ରବି ଚଲାବୁଲା କରିବା ସମୟରେ ଏହି ଅଭାବନୀୟ ଘଟଣା ଘଟିଥିବା ସୂଚନା ମିଳିଛି। ଏହାପରେ ଗ୍ରାମବାସୀ ଶବ ଉମରକୋଟ ମେଡିକାଲକୁ ନେଇଥିଲେ। ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଏହି ବ୍ଲକର ଲହରାଗୁଡା ଗାଁରେ ବର୍ଷା ମାଡ଼ରେ ଗୋଟିଏ ଘର କାନ୍ଥ ଭୁଶୁଡିଯାଇ ଗୋଟିଏ ପରିବାରର ୩ଜଣ ଆହତ ହୋଇଛନ୍ତି।