ନବରଙ୍ଗପୁର: ଭିଡିଓ କନ୍‌ଫରେନ୍ସିଂ ଯୋଗେ ମକା ପ୍ରକ୍ରିୟାକରଣ କାରଖାନାର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ନବରଙ୍ଗପୁର: ନବରଙ୍ଗପୁରରେ ବହୁ ଦିନ ଧରି ରହିଥିବା ମକା ପ୍ରକ୍ରିୟାକରଣ କାରଖାନାର ଦାବି ପୂରା ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ନବରଙ୍ଗପୁର ଜିଲ୍ଲା କୋଷଗୁମୁଣ୍ଡା ବ୍ଲକ୍‌ ଅନ୍ତର୍ଗତ ବାମୁଣିଠାରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ସୂଚନା ରହିଛି ଯେ ୫୨ ଏକର ଜମିରେ ୭୨ କୋଟି ଟଙ୍କା ବ୍ୟୟ କରାଯାଇ ଏହି ମକା ପ୍ରକ୍ରିୟାକରଣ କାରଖାନା ତିଆରି କରାଯିବ। ତେବେ, ବିଜୟନଗରମ ବାୟୋଟେକ୍ ପ୍ରାଇଭେଟ୍‌ ଲିମିଟେଡ୍‌ କମ୍ପାନି ଏହି କାରଖାନା ତିଆରି କରିବ ବୋଲି ଜାଣିବାକୁ ମିଳିଛି। ଏହି ମକା ପ୍ରକ୍ରିୟାକରଣ କାରଖାନା ଖୋଲିଲେ ରାଜ୍ୟରେ ନିଯୁକ୍ତି ସଂଖ୍ୟା ବି ବୃଦ୍ଧି ପାଇବ। ଏହି କାରଖାନାରେ ପ୍ରାୟ ୪୦୦ କର୍ମଚାରୀ କାମ କରିବାର ସୁଯୋଗ ପାଇବେ।

ଶନିବାର ଆୟୋଜିତ କରାଯାଇଥିବା ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ବିଧାୟକ ମନୋହର ରନ୍ଧାରୀ, ଅତିରିକ୍ତ ଜିଲ୍ଲାପାଳ ପରୀକ୍ଷିତ ସେଠୀ ଓ ବିଜୟ ନଗରମ ବାୟୋଟେକ୍ ପ୍ରାଇଭେଟ୍‌ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ବିବେକାନନ୍ଦ ରାଜୁଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ  ସାମିଲ୍‌ ହୋଇଥିଲେ।

ସମ୍ବନ୍ଧିତ ଖବର