ବିବାହିତ ମହିଳାଙ୍କୁ ହତ୍ୟା ଅଭିଯୋଗ : ଶ୍ୱଶୁର, ସ୍ୱାମୀ ଓ ଦିଅର ଅଟକ

ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧୀନସ୍ଥ ଗମ୍ଭାରିଗୁଡା ଗ୍ରାମରେ ବିବାହ କରିଥିବା ରିଙ୍କି ସାହୁଙ୍କୁ ଶ୍ୱଶୁର ଘରେ ହତ୍ୟା କରାଯାଇଥିବା ଗତକାଲି ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏହାପରେ ଆଜି ପୁଲିସ ସ୍ୱାମୀ ପ୍ରଭାସ ସାହୁ, ଶ୍ୱଶୁର ବୀରେନ୍ଦ୍ର ସାହୁ ଏବଂ ଦିଅର କୈଳାସ ସାହୁଙ୍କୁ ଥାନାକୁ ଡାକି ପଚରା ଉଚୁରା ଆରମ୍ଭ କରିଛି। ଅପ୍ୟପକ୍ଷରେ ଗତକାଲି ସନ୍ଧ୍ୟା ହୋଇଯାଇଥିବାରୁ ଶବ ବ୍ୟବଚ୍ଛେଦ ହୋଇପାରି ନଥିଲା। ତେଣୁ ସକାଳେ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଚନ୍ଦାହାଣ୍ଡି ଅତିରିକ୍ତ ତହସିଲଦାର ଶରତ ଶବର ଏବଂ ଉମରକୋଟ ଏସଡିପିଓ ହେମନ୍ତ କୁମାର ପାଢୀ ଘଟଣା ସ୍ଥଳରେ ପହଂଚିବା ପରେ ଚନ୍ଦାହାଣ୍ଡି ଥାନା ଏସଆଇ ତରଣୀସେନ ନାୟକ ପରିବାର ବର୍ଗ ଏବଂ ଗ୍ରାମବାସୀଙ୍କ ବୟାନ ନେଇଥିଲେ। ଏହାପରେ ଶବ ବ୍ୟବଚ୍ଛେଦ ପାଇଁ ଚନ୍ଦାହାଣ୍ଡି ମେଡିକାଲକୁ ନିଆଯାଇଥିଲା। ଡାକ୍ତର କଳ୍ପେଶ ସୁନା, ଡାକ୍ତର ପ୍ରଶାନ୍ତ କୁମାର ଦାଶ ଶବ ବ୍ୟବଚ୍ଛେଦ କରିବା ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି।
ସୂଚନାଯୋଗ୍ୟ, ଗମ୍ଭାରିଗୁଡା ଗ୍ରାମର ମୁକୁନ୍ଦ ସାହୁଙ୍କ ଝିଅ ରିଙ୍କି ସାହୁ (୨୧) ତିନିି ବର୍ଷ ପୂର୍ବେ ସେହି ଗ୍ରାମର ବିରେନ୍ଦ୍ର ସାହୁଙ୍କ ପୁଅ ପ୍ରଭାସ ରଂଜନ ସାହୁଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ତେବେ ଗତାକାଲି ମଧ୍ୟାହ୍ନରେ ସନ୍ଦେହ ଜନକ ଅବସ୍ଥାରେ ଝିଅର ମୃତ୍ୟୁ ହୋଇଥିବା ବାପା ମୁକୁନ୍ଦ ସୂଚନା ପାଇଥିଲେ। ଏହାପରେ ସେ ଥାନାକୁ ଯାଇ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ। ପୂର୍ବରୁ ବି ଝିଅକୁ ଶ୍ୱଶୁର ଘରେ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହେବାରୁ ଗାଁରେ ବୈଠକ ବସିଥିଲା। ଆପୋଷ ବୁଝାମଣାରେ ସମାଧାନ ହୋଇଥିବା ବେଳେ ପରବର୍ତୀ ସମୟରେ ଝିଅକୁ ହତ୍ୟା କରାଯାଇଥିବା ମୁକୁନ୍ଦ ଥାନାରେ କହିଥିଲେ। ଅଭିଯୋଗ ପାଇବା ପରେ ପୁଲିସ ୩ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖିଛି। ଆସନ୍ତାକାଲି ସମସ୍ତ ଅଭିଯୁକ୍ତଙ୍କୁ ଉମରକୋଟ ପ୍ରଥମ ଶ୍ରେଣୀ ବିଚାରପତଙ୍କ ଅଦାଲତକୁ ପ୍ରେରଣ କରାଯିବ ବୋଲି ଥାନା ଅଧିକାରୀ ପ୍ରଦୀପ ମହନ୍ତ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର