ନ୍ୟାୟ ଦାବି କରି ଥାନାର ଦ୍ୱାରସ୍ଥ ହେଲେ ୨ ଜଣ ଗର୍ଭବତୀ ନାବାଳିକା

ନବରଙ୍ଗପୁର/କେନ୍ଦୁଝର: ନ୍ୟାୟ ଦାବି କରି କେନ୍ଦୁଝର ଓ ନବରଙ୍ଗପୁର ଜିଲ୍ଲାରେ ୨ଜଣ ନାବାଳିକା ଥାନାର ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି। କେନ୍ଦୁଝର ଜିଲ୍ଲା ପାଟଣା ଥାନାରେ ଜଣେ ୧୪ ବର୍ଷିଅ ନାବାଳିକା ଗର୍ଭବତୀ ଥିବା ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି। ସେହିଭଳି ସମାନ ପ୍ରକାର ଘଟଣା ନବରଙ୍ଗପୁର ଜିଲ୍ଲାର ଝରିଗାଁ ଥାନା ଅଞ୍ଚଳରେ ଘଟିଥିବା ଜଣାପଡ଼ିଛି।

ଝରିଆ ଅଞ୍ଚଳରେ ୧୫ ବର୍ଷିଅ ନାବାଳିକାକୁ ସେହି ଗ୍ରାମର ଯୁବକ ଭଲ ପାଇବା ଆଳରେ ବିବାହର ପ୍ରଲୋଭନ ଦେଖାଇ ଦୀର୍ଘ ଦିନରୁ ଦୁଷ୍କର୍ମ କରି ଆସୁଥିଲା। ଏବେ ନାବାଳିକା ୩ ମାସର ଗର୍ଭବତୀ ଥିବାର ଜାଣିପାରି ଯୁବକ ଜଣକ ଚିହ୍ନି ନଥିବାର ଅଭିଯୋଗ କରିବା ପରେ ଥାନାରେ ଅଭିଯୋଗ ହୋଇଛି। ମା’ଘର ଅଧ୍ୟକ୍ଷା କାଦମ୍ବିନୀ ତ୍ରିପାଠୀ, ଉର୍ମିଲା ସାହୁ ପ୍ରମୁଖ ଅଭିଯୁକ୍ତଙ୍କୁ କୋଠର ଦଣ୍ଡ ମିଳୁ ବୋଲି ଦାବି କରିଛନ୍ତି।

ନାବାଳିକାର ଅଭିଯୋଗ ଅନୁସାରେ ଆର୍ଥିକ ପରିସ୍ଥିତ ଭଲ ନଥିବାରୁ ପରିବାର ଭରଣପୋଷଣ ପାଇଁ ଗାଁର ଗାଈଗୋରୁ ଚରାଇବାକୁ ଜଙ୍ଗଲକୁ ଯାଇଥାଏ। ସେହି ଗାଁର ଦେବ କୁମାର ସାନ୍ତା ମଧ୍ୟ ଜଙ୍ଗଲକୁ ଗାଈ ଚରାଇବାକୁ ଯାଇଥାଏ। ଏହାରି ଭିତରେ ଦେବ କୁମାର ନାବାଳିକାକୁ ଦିନେ ଜୋରଜବରଦସ୍ତି ଦୁଷ୍କର୍ମ କରିଥିଲା ଓ ଘଟଣାକୁ ବାହାରେ ପ୍ରଘଟ କଲେ ହତ୍ୟା ଧମକ ଦେଇଥିଲା। ନାବାଳିକା ଡରିଯାଇଥିବାର ସୁଯୋଗ ନେଇ ବାରମ୍ବାର ଦୁଷ୍କର୍ମ କରିଥିଲା ଓ ପରେ ବିବାହର ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ୩ ମାସର ଗର୍ଭବତୀ ଥିବାର ଜାଣିପାରି ନଚିହ୍ନିଲା ଭଳି ଅଭିନୟ କରିବା ପରେ ଥାନାରେ ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର