ହତ୍ୟା ପରେ ପୋଡ଼ି ଦେଇଥିବା ସନ୍ଦେହ : ନିଖୋଜ ବ୍ୟକ୍ତିଙ୍କ ପତ୍ତା ମିଳୁନି

୫୦ଦିନ ହେଲା ଖୋଜୁଛନ୍ତି ପରିବାର : ୫ସନ୍ଦିଗ୍ଧଙ୍କୁ ଜେରା କରୁଛି ପୁଲିସ

ରାଇଘର: ଦୀର୍ଘ ୫୦ଦିନ ହେଲା ନିଖୋଜ ଥିବା ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ମାଓପ୍ରବଣ ଅଞ୍ଚଳ ରାହାସପାରା ଗ୍ରାମର ଜଣେ ବ୍ୟକ୍ତିଙ୍କ ପତ୍ତା ମିଳୁନାହିଁ। ହତ୍ୟା କରି ପୋଡି ଦିଆଯାଇଥିବା ନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୁଲିସ ସନ୍ଦେହରେ ଗ୍ରାମର ୫ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି। ଅତିଶୀଘ୍ର ଏହି ଘଟଣାର ପର୍ଦାଫାସ ହେବ ବୋଲି ଉମରକୋଟ ଏସଡିପିଓ ହେମନ୍ତ କୁମାର ପାଢୀ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ଗତ ଏପ୍ରିଲ ୨୪ତାରିଖରେ ଉପାନ୍ତ ହଳଦୀ ପଞ୍ଚାୟତ ଅନ୍ତର୍ଗତ ରାହାସପାରା ଗ୍ରାମର ଜଗୁ ମାଝୀ(୫୮) ଗାଁରେ ହୋଇଥିବା ଏକ ବୈଠକରେ ଯୋଗ ଦେଇଥିଲେ। ଏହି ଦିନ ଗ୍ରାମର କିଛି ବ୍ୟକ୍ତିଙ୍କ ସହ ଜଗୁଙ୍କ ପାଟିତୁଣ୍ଡ ହୋଇଥିବା ବେଳେ ଏହା ପରଠାରୁ ସେ ନିଖୋଜ ହୋଇଯାଇଥିଲେ। ପରେ ପରିବାର ଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ମଧ୍ୟ ଜଗୁଙ୍କୁ ନପାଇବାରୁ ୨୬ତାରିଖ ଦିନ ରାଇଘର ଥାନାରେ ଏତଲା ଦେଇଥିଲେ। ପୁଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। ତେବେ ଗତ ୨ତାରିଖରେ ରାହାସପାରା ଗାଁ ଠାରୁ ୧୦କିଲୋମିଟର ଦୂରରେ ଥିବା ଛତିଶଗଡ ଗରିଆବନ୍ଧ ଜିଲ୍ଲା ଚୁଙ୍ଗଡା ଥାନା ଅନ୍ତର୍ଗତ କଦୁମାଳି ଅଞ୍ଚଳର ଜବିନାଳ ଜଙ୍ଗଲ ଭିତରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା ପରେ ପୋଡି ଦିଆଯାଇଥିବା ଖବର ପ୍ରଚାରିତ ହୋଇଥିଲା। ଖବର ପାଇ ଗତ ୫ତାରିଖରେ ନିଖୋଜ ଜଗୁଙ୍କ ପରିବାର ଲୋକ, ଗ୍ରାମବାସୀ ଓ ହଳଦୀ ସରପଞ୍ଚ ଉପେନ୍ଦ୍ର ଗଣ୍ଡ ଘଟଣାସ୍ଥଳ ଅଭିମୁଖେ ବାହାରିଥିଲେ।

ସେଠାକାର ସରପଞ୍ଚ ଅର୍ଜୁନ ମାରକାମ, ପୂର୍ବତନ ସରପଞ୍ଚ ରୁପସିଂ ମାରକାମଙ୍କ ସହଯୋଗରେ ସମସ୍ତେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଟଣାସ୍ଥଳରେ କେବଳ ପାଉଁଶ ଓ ହାଡ ପଡି ରହିଥିବା ଦେଖିବାକୁ ମିଳିଥିଲା। ଘଟଣା ସ୍ଥଳକୁ ବାରମ୍ବାର କିଛି ବ୍ୟକ୍ତି ଆସିବା ସହ ତଥ୍ୟ ଓ ପ୍ରମାଣକୁ ନଷ୍ଟ କରିବା ପାଇଁ ହାଡ ଓ ପାଉଁଶକୁ ଏଣେତେଣେ ଫୋପାଡି ଦେଇଥିବା ସ୍ଥାନୀୟ କିଛି ଲୋକ ସୂଚନା ଦେଇଥିବା ସରପଞ୍ଚ ଉପେନ୍ଦ୍ର ଗଣ୍ଡ କହିଛନ୍ତି। ତେଣୁ ସନ୍ଦେହ ହେବାରୁ ଜଗୁଙ୍କୁ ହତ୍ୟା ପରେ ପୋଡି ଦିଆଯାଇଥିବା ନେଇ ସରପଞ୍ଚ ଶ୍ରୀ ଗଣ୍ଡ ଓ ଜଗୁଙ୍କ ପରିବାର ଲୋକ ରାଇଘର ଥାନାରେ ୧୨ତାରିଖରେ ଏତଲା ଦେଇଥିଲେ। ନିଖୋଜ ହେବା ଦିନ ଜଗୁଙ୍କ ସହ ଗ୍ରାମର ୪ଜଣ ବ୍ୟକ୍ତିଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିବାରୁ ସଂପୃକ୍ତ ୪ଜଣ ବ୍ୟକ୍ତିଙ୍କ ବିରୋଧରେ ଏତଲା ଦିଆଯାଇଥିଲା। ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଗତକାଲି ୪ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା ଆରମ୍ଭ କରିଥିଲା। ଆଜି ପୁଣି ଥରେ ପୁଲିସ ଗ୍ରାମର ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଥାନାକୁ ଆଣି ପଚରାଉଚୁରା ଜାରି ରଖିଛି। ଏହି ଘଟଣାର ଶୀଘ୍ର ପର୍ଦାଫାସ ହେବ ବୋଲି ଉମରକୋଟ ଏସଡିପିଓ ହେମନ୍ତ କୁମାର ପାଢୀ ସୂଚନା ଦେଇଛନ୍ତି। ସଠିକ୍‌ ରୂପେ ତଦନ୍ତ କରି ନ୍ୟାୟ ଦେବାକୁ ପରିବାର ଲୋକଙ୍କ ସମେତ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର