ମା’ପୁଅ ମିଶି ବାପାକୁ ହତ୍ୟା କଲେ

ରାଇଘର : ନିଶାସକ୍ତ ଅବସ୍ଥାରେ ଥିବା ଜଣେ ବ୍ୟକ୍ତି ସହ ତାଙ୍କ ପତ୍ନୀଙ୍କ ବଚସା ହୋଇଥିଲା। ଗାଳି କରିବାକୁ ଯାଇ ପୁଅ ସହ ଅନୈତିକ ସଂପର୍କ ରହିଥିବା କହି ପତ୍ନୀକୁ କଟୁ କଥା କହିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ମହିଳା ଜଣକ ଏକ ପିଢାରେ ସ୍ୱାମୀଙ୍କ କର୍ଣ୍ଣମୂଳକୁ ପ୍ରହାର କରିଥିଲା। କିଛି ସମୟ ପରେ ପୁଅ ପହଞ୍ଚି ଏକ କାଠ ଫାଳିଆରେ ବାପାଙ୍କୁ ପୁଣି ଆକ୍ରମଣ କରିବାରୁ ସେ ଅଚେତ ହୋଇଯାଇଥିଲେ। ପରେ ମା’ ଓ ପୁଅ ମିଶି ଘଟଣାସ୍ଥଳରୁ ଶହେ ମିଟର ଦୂରକୁ ଘୋଷାରି ଘୋଷାରି ଏକ ଜମି ନିକଟରେ ଛାଡ଼ି ଦେଇ ଚାଲି ଆସିଥିଲେ। ପ୍ରବଳ ରକ୍ତସ୍ରାବ ହେବା ଯୋଗୁଁ ଆଜି ସକାଳୁ ମୃତ୍ୟୁ ହୋଇଯାଇଥିଲା। ପୁଲିସ ଶବ ଜବତ କରିବା ସହ ଉଭୟ ମା’ ଓ ପୁଅକୁ ଅଟକ ରଖି ପଚରାଉଚରା କରୁଛି। ମା’ ଓ ପୁଅ ନିଜ ଦୋଷ ସ୍ୱୀକାର କରିଥିବା ପୁଲିସ କହିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଛେଳିଡଙ୍ଗରୀ ପଞ୍ଚାୟତ ଅନ୍ତର୍ଗତ ଦେଉଳପାରା ଗ୍ରାମରେ।

ସୂଚନା ଅନୁଯାୟୀ, ଦେଉଳପାରା ଗ୍ରାମର ବଳଦେବ ଗଣ୍ଡ(୫୦) ଗତକାଲି ରାତିରେ ମଦ୍ୟପାନ କରି ନିଜ ଗ୍ରାମର ସୁଡୁ ଗଣ୍ଡଙ୍କ ଘରେ ବସିଥିଲେ। ପତ୍ନୀ ରାମଦେଇ ବଳଦେବଙ୍କୁ ଡାକିବାକୁ ଯାଇଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପ୍ରବଳ ମଦ୍ୟପାନ କରିଥିବାରୁ ଘରକୁ ଯିବାକୁ ବଳଦେବ ମନା କରି ଦେଇଥିଲେ। ଏଥିରେ ରାଗି ଯାଇ ‘ତୁ ଆସେନା, ଆମେ ମା’ ପୁଅ ଖାଇକି ଶୋଇବାକୁ ଯାଉଛୁ’ ବୋଲି କହି ରାମଦେଇ ଫେରି ଆସୁଥିଲେ। ତେବେ ନିଶାଗ୍ରସ୍ତ ଥିବା ବଳଦେବ ତୁମ ମା’ ଓ ପୁଅଙ୍କ ମଧ୍ୟରେ ଅନୈତିକ ସଂପର୍କ ରହିଛି ବୋଲି ଆକ୍ଷେପ କରିଥିଲେ। ଏହି କଥା ଶୁଣିବା ପରେ ଉତ୍ତ୍ୟକ୍ତ ହୋଇ ରାମଦେଇ ନିକଟରେ ଥିବା ଏକ କାଠ ପିଢା ଉଠାଇ ବଳଦେବଙ୍କ କାନ ମୂଳକୁ ପାହାର ପକାଇଥିଲେ। ଏହି ଘଟଣା ଶୁଣିବା ପରେ ପୁଅ ବିଶ୍ୱକର୍ମା ସେଠାରେ ପହଞ୍ଚି ଏକ କାଠ ଫାଳିଆରେ ବାପା ବଳଦେବର ମୁଣ୍ଡରେ ଜୋରରେ ପ୍ରହାର କରିବାରୁ ସେ ଅଚେତ ହୋଇଯାଇଥିଲେ।

ଏହାପରେ ମା’ ଓ ପୁଅ ବଳଦେବଙ୍କୁ ଅଚେତ ଅବସ୍ଥାରେ ପ୍ରାୟ ଶହେ ମିଟର ଦୂରକୁ ଘୋଷାରି ନେଇ ଏକ ଜମି ନିକଟରେ ଛାଡି ଦେଇ ଘରକୁ ଚାଲି ଆସିଥିଲେ। ପ୍ରବଳ ରକ୍ତସ୍ରାବ ସହ ରାତିସାରା ଅଚେତ ଅବସ୍ଥାରେ ରହିଥିବା ବଳଦେବଙ୍କ ସକାଳୁ ମୃତ୍ୟୁ ହୋଇଯାଇଥିଲା। ସକାଳ ପ୍ରାୟ ୬ଟାରେ ଗ୍ରାମର ପ୍ରଭାସ ଗଣ୍ଡ ଏହି ରାସ୍ତା ଦେଇ ଯାଉଥିବା ବେଳେ ଜମିରେ ବଳଦେବଙ୍କ ଶବ ପଡିଥିବା ଦେଖି ଗ୍ରାମବାସୀଙ୍କୁ ଜଣାଇଥିଲେ। ଖବର ପାଇ ରାଇଘର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ପତ୍ନୀ ରାମଦେଇ ଓ ପୁଅ ବିଶ୍ୱକର୍ମାଙ୍କୁ ଅଟକ ରଖି ପଚରାଉଚରା କରୁଛି। ମା’ ଓ ପୁଅ ନିଜ ଦୋଷ ସ୍ୱୀକାର କରିଥିବା ପୁଲିସ ସୂଚନା ଦେଇଛି। ଏହି ଘଟଣା ସମଗ୍ର ରାଇଘର ଅଞ୍ଚଳରେ ଚର୍ଚାର ବିଷୟ ପାଲଟିଛି।

ସମ୍ବନ୍ଧିତ ଖବର