ନବରଙ୍ଗପୁର: ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ

ନବରଙ୍ଗପୁର: ଜିଲ୍ଳା ଦୌରା ଜଜ୍‌ ରାଜେନ୍ଦ୍ର ପାଣିଗ୍ରାହୀ ଗୁରୁବାର ତେନ୍ତୁଲିଖୁଣ୍ଟି ଥାନା ଅନ୍ତର୍ଗତ କୋଙ୍ଗ୍ରା ଗ୍ରାମର ଜଣେ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ୨୦୧୨ ଡିସେମ୍ବର ୨୬ରେ କୋଙ୍ଗ୍ରାଗ୍ରାମର କମୁଲୁ ମାଳିକୁ ହତ୍ୟା କରାଯାଇଥିଲା। ମୃତ୍ୟୁର ଶିକାର ହୋଇଥିବା କମୁଲୁର ପୁଅ ବେଣୁଧର ମାଳି ତେନ୍ତୁଳିଖୁଣ୍ଟି ଥାନାରେ ଦେଇଥିବା ଅଭିଯୋଗ ଅନୁଯାୟୀ ତାଙ୍କ ବାପା କମୁଲୁ ସକାଳ ୭ଟାରେ କଙ୍କଡାଜଡି ନାଳକୁ ଝାଡା ଯାଇ ଫେରିନଥିଲେ। ତାଙ୍କ ବାପାଙ୍କୁ ଅପେକ୍ଷା କରିଥିବା ପରିବାର ବର୍ଗ ଖୋଜାଖୋଜି କରିବା ପାଇଁ ବାହାରିବା ସମୟରେ ସେହି ଗାଁର ନାଥ ମାଳି, ରଘୁନାଥ ମାଳି, ପଦ୍ମନ ମାଳି, ଲକ୍ଷ୍ମଣ ମାଳି, ଲିଙ୍ଗରାଜ ମାଳି, ଗୌର ମାଳି, ଦମେଇ ମାଳି ପ୍ରମୁଖ ୯ ଜଣ ବ୍ୟକ୍ତି ଗାଁ ଦାଣ୍ଡରେ ପହଞ୍ଚି ଆମର ଶତ୍ରୁ କମୁଲୁ ମାଳିକୁ ଶେଷ କରିଦେଇଛୁ ବୋଲି କହିଥିଲେ।

ଏହା ପରେ କମୁଲୁ ର ପୁଅ ବେଣୁଧର ଘଟଣା ସ୍ଥଳକୁ ଯାଇ ଦେଖିବା ବେଳେ ରକ୍ତ ଜୁଡୁବୁଡୁ ଅବସ୍ଥା ରେ ମରିପଡିଥିବାର ଦେଖି ଥାନାରେ ଅଭିଯୋଗ କରିଥିଲେ ବୋଲି ଏତଲାରେ ଦର୍ଶାଇଛନ୍ତି। ତେନ୍ତୁଳିଖୁଣ୍ଟି ଥାନା ପକ୍ଷରୁ ତଦନ୍ତ କରାଯାଇ ଥାନା ରେ କେସ ନଂ ୩୬/୧୨ ରେ ଏକ ହତ୍ୟା ମାମଲା ରୁଜୁ କରି ସେହି ଗାଁର ଧବୁଲୁ ମାଳିର ୨ ପୁଅ ରଘୁନାଥ ଓ ନାଥ ମାଳିକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।

ନବରଙ୍ଗପୁର କୋର୍ଟ ରେ କେସ ନଂ ସିଟି ୧୩୧/୧୨ ରେ ଏହି ମାମଲା ବିଚରାଧିନ ଥିଲା। ଏ ମଧ୍ୟରେ ୨ ଜଣ ଅଭିଯୁକ୍ତ ଉଚ୍ଚ ନ୍ୟାୟାଳୟର ବେଲ ପାଇଥିଲେ। ଟ୍ରାଇଲ ଚାଲିଥିବା ବେଳେ ଅଭିଯୁକ୍ତ ରଘୁନାଥଙ୍କର ମୃତ୍ୟୁ ଘଟିଯାଇଥିଲା। ଏ ମଧ୍ୟରେ ନବରଙ୍ଗପୁର କୋର୍ଟ ରେ ୨୫ ଜଣ ସାକ୍ଷ ଗ୍ରହଣ କରାଯାଇଥିଲା। ଆଜି ମାନ୍ୟବର ଜିଲ୍ଲା ଦୌରା ଜଜ୍‌ ରାଜେନ୍ଦ୍ର ପାଣିଗ୍ରାହୀ ସମସ୍ତ ସାକ୍ଷ ପ୍ରମାଣକୁ ଭିତ୍ତି କରି ଅଭିଯୁକ୍ତ ନାଥ ମାଳିକୁ ଅଜୀବନ କାରାଦଣ୍ଡ ରେ ଦଣ୍ଡିତ କରିବା ସହ ୩ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି। ଏହି ମାମଲାକୁ ଅତିରିକ୍ତ ସରକାରୀ ପବ୍ଳିକ ପ୍ରସିକ୍ୟୁଟର ସଚ୍ଚି ନନ୍ଦନ ସ୍ୱାଇଁ ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର