ନବରଂଗପୁର ମେଡିକାଲ:୨ଘଣ୍ଟା ମଧ୍ୟରେ ୨ଶିଶୁ ମୃତ

ପରିବାର ଲୋକଙ୍କ ଅସନ୍ତୋଷ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ୨ଶିଶୁ ୨ଘଣ୍ଟାର ବ୍ୟବଧାନ ମଧ୍ୟରେ ମୃତ୍ୟୁବରଣ କରିଛନ୍ତି। ଉଭୟ ଶିଶୁ ସ୍ୱତନ୍ତ୍ର ନବଜାତ ଶିଶୁ ଯତ୍ନ କେନ୍ଦ୍ରରେ ଚିକିତ୍ସିତ ହେଉଥିଲେ। ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ଦିନ କୋଡଷାଗୁମୁଡା ବ୍ଲକ ଅନ୍ତର୍ଗତ ଝାରସେମଲା ଗାଁର ହଳନାଥ ଦୁର୍ଗା ଓ ରଶ୍ମିତା ଦୁର୍ଗାଙ୍କ ପ୍ରଥମ କନ୍ୟା ସନ୍ତାନ ଘରେ ହିଁ ପ୍ରସବ ହୋଇଥିଲା। ପ୍ରସବ ପରେ ଶିଶୁ କନ୍ୟାକୁ କୋଡିଙ୍ଗା ହସ୍ପିଟାଲ ନିଆଯାଇଥିଲା। ସେଠାରୁ ପୁଣି ବୁଧବାର ସକାଳୁ ନବରଙ୍ଗପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଡାକ୍ତର ପରୀକ୍ଷା କରି ସ୍ୱତନ୍ତ୍ର ନବଜାତ ଶିଶୁ ଯତ୍ନ ବିଭାଗରେ ଭର୍ତି କରିଥିଲେ। ତେବେ ଆଜି ଅପରାହ୍ନ ପ୍ରାୟ ୩ଟା ବେଳେ ମୃତ୍ୟୁ ହୋଇଯାଇଥିଲା।

ଅପରପକ୍ଷରେ ଚିକିତ୍ସା ଅବହେଳା ନେଇ ମୃତ ଶିଶୁ କନ୍ୟାର ବାପା ହଳନାଥ ଦୁର୍ଗା ଅଭିଯୋଗ ଆଣିଛନ୍ତି। ୭ଦିନ ଧରି ଝିଅକୁ ମେଡିକାଲରେ ରଖାଗଲା। ସେ ବାରମ୍ବାର କୋରାପୁଟ ସ୍ଥାନାନ୍ତର କରିବାକୁ ଅନୁରୋଧ କରିଥିଲେ ହେଁ ଡାକ୍ତର କରି ନଥିଲେ। ହସ୍ପିଟାଲରେ ଝିଅକୁ ଦେଖିବା ପାଇଁ ପରିବାର ଲୋକଙ୍କୁ ବାରଣ କରାଯାଇଥିଲା। ଆଜି ଅପରାହ୍ନ ପ୍ରାୟ ଗୋଟାଏ ବେଳେ ଦେଖିବା ପାଇଁ ଡାକିଲେ ଓ ଅବସ୍ଥା ଗୁରୁତର ରହିଥିବା କହିଥିଲେ। ଝିଅକୁ ଦେଖି ଆସିବା ପରେ ମୃତ୍ୟୁ ହୋଇଯାିଥିବା କୁହାଗଲା। ଯଦି ଝିଅର ଅବସ୍ଥା ଗୁରୁତର ଥିଲା ତେବେ କୋରାପୁଟକୁ କାହିଁକି ଭାବେ ରେଫର କଲେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି। ପରିବାର ସଦସ୍ୟଙ୍କୁ ଅନ୍ଧାରରେ ରଖି ସବୁ କରାଗଲା। ଏମିତି ଅନ୍ୟ କାହା ସହ ନହେଉ ବୋଲି ସେ ସିଡିଏମଓଙ୍କୁ ଭେଟି କହିଥିଲେ। ସିଡିଏମଓ ଡା.ଅରୁଣ ଦାସ ଶିଶୁର ଅବସ୍ଥା ଅନୁଯାୟୀ ଚିକିତ୍ସା କରାଯାଇଥିଲା। ତଥାପି ଏ ସଂକ୍ରାନ୍ତରେ ସେ ପଚାରିବୁଝିବି ବୋଲି କହିଥିଲେ।
ସେହିପରି ପାପଡହାଣ୍ଡି ବ୍ଲକ ଚେରଚେଟା ପଞ୍ଚାୟତ ଅନ୍ତର୍ଗତ ବରଦେଇ ଗାଁର ଫଗୁଣ ସିରାଗୁ ଓ କୁଷୁମା ସିରାଗୁଙ୍କ ଶିଶୁ ପୁତ୍ରର ଆଜି ମେଡିକାଲରେ ମୃତ୍ୟୁ ହୋଇଯାଇଛି। ପରିବାର ଲୋକଙ୍କ କହିବା ହେଲା ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରସବ ହୋଇଥିଲା। ଏହାପରେ ଶିଶୁକୁ ଘରକୁ ନେଇ ଆସିଥିଲୁ। ତେବେ ଶିଶୁ ଖିର ନଖାଇବାରୁ ଗତ କାଲି ନବରଙ୍ଗପୁର ମେଡିକାଲକୁ ଆଣିଥିଲୁ। ଡାକ୍ତର ସ୍ୱତନ୍ତ୍ର ନବଜାତ ଶିଶୁ ଯତ୍ନ ବିଭାଗରେ ରଖିଥିଲେ। ଆଜି ଅପରାହ୍ନ ପ୍ରାୟ ୫ଟା ବେଳେ ଶିଶୁ ପୁତ୍ରକୁ ଦେଖିବା ପାଇଁ ଡାକିଲେ। କିଛି ସମୟ ପରେ ପୁଅର ମୃତ୍ୟୁ ହୋଇଯାଇଥିବା ଜଣେ କର୍ମଚାରୀ କହିଥିଲେ। ଗୋଟିଏ ଦିନରେ ଦୁଇ ନବଜାତ ଶିଶୁଙ୍କର ଚିକିତ୍ସା ସମୟରେ ମୃତ୍ୟୁ ହେବାକୁ ଘଟଣାକୁ ପରିବାର ଲୋକ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଯାହାକୁ ନେଇ କିଛି ସମୟ ପାଇଁ ମେଡିକାଲରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା।

ସମ୍ବନ୍ଧିତ ଖବର