ନବରଙ୍ଗପୁର: ନବ ବିବାହିତ ଦମ୍ପତ୍ତିଙ୍କ ଠାରୁ ସାଢ଼େ ୪ଲକ୍ଷ ଟଙ୍କାର ସୁନା ଗହଣା ଲୁଟ୍‌

ନବରଙ୍ଗପୁର: ନବ ବିବାହିତ ଦମ୍ପତ୍ତିଙ୍କ ଠାରୁ ରବିବାର ଦିବାଲୋକରେ ସାଢ଼େ ୪ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟ୍‌ ହୋଇଥିବା ନବରଙ୍ଗପୁର ଥାନାରେ ଅଭିଯୋଗ ହୋଇଛି। ଦମ୍ପତ୍ତି ବାଇକ୍‌ରେ ଯାଉଥିବା ବେଳେ ଦୁର୍ବୃତ୍ତମାନେ ପଛପଟରୁ ଟାର୍ଗେଟ କରି ଏହି ଲୁଟ୍‌ କରିଛନ୍ତି। ସହର ଠାରୁ ମାତ୍ର ୭ କିଲୋମିଟର ଦୂର ସିଉନି ଛକ ଠାରେ ଏହି ଘଟଣା ଘଟିଥିବା ଅଭିଯୋଗ ହୋଇଛି।

ପୁଲିସ ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ ରାୟଗଡ଼ାର ଏସ୍‌ ନରେଶ ରାଓ ଗତ ମାର୍ଚ୍ଚ ୪ରେ ବିବାହ କରିଥିଲେ। ଅଷ୍ଟମଙ୍ଗଳା ପାଇଁ ସେ ମାର୍ଚ୍ଚ ୭ରେ ଶାଶୂ ଘରକୁ ଆସିଥିଲେ। ନରେଶ ଆଜି ତାଙ୍କ ପତ୍ନୀଙ୍କ ସହିତ ଶାଶୂ ଘରୁ ପତ୍ନୀଙ୍କ ବଡ଼ବାପାଙ୍କ ଘର ଡେଙ୍ଗାପଦରକୁ ବାଇକ୍‌ରେ ଯାଉଥିଲେ। ବଡ଼ ବାପାଙ୍କ ଘରେ ପହଞ୍ଚିବା ପୂର୍ବରୁ ପଛପଟରୁ ଟାର୍ଗେଟ କରିଥିବା ୫ଜଣ ଦୁର୍ବୃତ୍ତ ୨ଟି ବାଇକ୍‌ ଯୋଗେ ଆସି ବିବାହିତ ଦମ୍ପତ୍ତିଙ୍କୁ ଅଟକାଇଥିଲେ। ତା’ପରେ ମାତ୍ର ୧୦ରୁ ୧୫ ମିନିଟରେ ଲକ୍ଷାଧିକ ଟଙ୍କାର ସୁନା ଗହଣା ନେଇ ଫେରାର ହୋଇ ଯାଇଥିଲେ।

ପତି-ପତ୍ନୀ କିଛି କହିବା ପୂର୍ବରୁ ଦୁର୍ବୃତ୍ତମାନେ ଖଣ୍ଡା ଓ ଭୁଜାଲି ଦେଖାଇ ହତ୍ୟା ଧମକ ଦେଇଥିଲେ। ଉଭୟ ପତି-ପତ୍ନୀ ଭୟରେ ଡରି ଯାଇଥିଲେ। ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ୩ଟି ହାର, ୪ଟି ମୁଦି, ଗୋଟିଏ ମଙ୍ଗଳସୂତ୍ର, ଗୋଟିଏ ଚେନ୍‌, କାନଫୁଲ ଓ ଏକ ସ୍ମାର୍ଟ ଫୋନ୍‌ ଲୁଟି ଫେରାର ହୋଇ ଯାଇଥିଲେ। ଶେଷରେ ଘଟଣାସ୍ଥଳରୁ ପଳାଇ ଯିବାରେ ସକ୍ଷମ ହୋଇଥିଲେ। ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ଛାନ୍‌ଭିନ୍‌ କରୁଛି।

ସମ୍ବନ୍ଧିତ ଖବର