ନବରଙ୍ଗପୁର: ପାଞ୍ଚ ଦିନର ଭଡ଼ା ଦାବି କରି ରାଜପଥ ଅବରୋଧ କଲେ ନିର୍ବାଚନ ଡିୟୁଟିରେ ଲାଗିଥିବା ୪ ଚକିଆ ଗାଡ଼ିର ମାଲିକ

ନବରଙ୍ଗପୁର: ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ କାର୍ଯ୍ୟରେ ସୋନପୁରରେ ନିୟୋଜିତ ହୋଇଥିବା ପ୍ରାୟ ୨୫୦ ଚାରି ଚକିଆ ଯାନ ପାଇଁ ୫ ଦିନର ଭଡ଼ା ଦାବି କରି ଶୁକ୍ରବାର ପୂର୍ବାହ୍ନରେ ସମ୍ପୃକ୍ତ ଗାଡ଼ିର ମାଲିକମାନେ ନବରଙ୍ଗପୁର-କଳାହାଣ୍ଡି, ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି।
ନିର୍ବାଚନ କାର୍ଯ୍ୟ ଲାଗି ଏପ୍ରିଲ୍‌ ୧୪ ତାରିଖରୁ ୧୯ ତାରିଖ ଯାଏଁ ନବରଙ୍ଗପୁର ଜିଲ୍ଲାରୁ ୨୫୦ ସିରିକି ବିଭିନ୍ନ କିସମର ଏସ୍‌ୟୁଭି ଗାଡ଼ି ରିକ୍ୟୁଜିସନ୍‌ରେ ନିଆ ଯାଇଥିଲା। କିନ୍ତୁ ଗତକାଲି ଅର୍ଥାତ୍‌ ୧୮ ତାରିଖ ଅପରାହ୍ଣରେ ଭୋଟ୍‌ ଗ୍ରହଣ ଶେଷ ହେବା ପରେ ସମ୍ପୃକ୍ତ ଗାଡ଼ିଗୁଡ଼ିକୁ ଛାଡ଼ି ଦିଆଯାଇଥିଲା।

ସେହି ଏକା କାମରେ ରାୟଗଡ଼ା ଜିଲ୍ଲାରୁ ସୋନପୁର ଯାଇଥିବା ଗାଡ଼ିଗୁଡ଼ିକ ପାଇଁ ଭଡ଼ା ବାବଦରେ ୧୩, ୯୦୦ ଟଙ୍କା ଦିଆଯାଇଥିବା ବେଳେ ବଲାଙ୍ଗୀର ଗାଡ଼ିଗୁଡ଼ିକୁ ମିଳିଥିଲା ମାତ୍ର ୮, ୮୦୦ ଟଙ୍କା।

ରାୟଗଡ଼ାରୁ ସୋନପୁରର ଦୂରତା କମ୍‌। ବଲାଙ୍ଗୀରରୁ ସୋନପୁରର ଦୂରତା ଅଧିକ ହୋଇଥିବାରୁ ସେମାନଙ୍କୁ କ’ଣ ପାଇଁ କମ୍‌ ଟଙ୍କା ମିଳିଲା ବୋଲି ଯୁକ୍ତି କରି ସେମାନେ ପ୍ରତିବାଦ କରୁଛନ୍ତି। ଆଉ ଗୋଟିଏ ଦିନର ଭଡ଼ା ବାବଦରେ ୫ ହଜାର ଟଙ୍କା ଦିଆଯାଉ ବୋଲି ଦାବି କରି ସେମାନେ ରାସ୍ତା ଅବରୋଧ କରିଛନ୍ତି।

ଘଟଣାସ୍ଥଳରେ ପୁଲିସ ଉପସ୍ଥିତ ଅଛି। ଆଜି ଗୁଡ୍‌ ଫ୍ରାଇଡେ ପାଇଁ ଆର୍‌ଟିଓଙ୍କ କାର୍ଯ୍ୟାଳୟ ଛୁଟି। ଜିଲ୍ଲା ପ୍ରଶାସନରୁ ମଧ୍ୟ କୌଣସି ପ୍ରତିନିଧି ଅବରୋଧକାରୀଙ୍କୁ ପାଖକୁ ଏ ପର୍ଯ୍ୟନ୍ତ ଆସି ନାହାନ୍ତି।

ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଦୂର ଯାଏଁ ଶହ ଶହ ଗାଡ଼ିମଟର ଅଟକି ରହିଛି।

ସମ୍ବନ୍ଧିତ ଖବର