ଆମ୍ବଟାକୁଆ ଖାଇ ମୃତ୍ୟୁ ପାଇଁ ସରକାର ଦାୟୀ: ନିରଞ୍ଜନ

ନବରଙ୍ଗପୁର/ଝରିଗାଁ : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ମଇନାପଦର ଗାଁରେ ଆମ୍ବଟାକୁଆ ପିଠା ଖାଇ ୩ଜଣଙ୍କ ମୃତ୍ୟୁ ଘଟଣା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ଦାୟୀ। ଆଜି ମଇନାପଦର ଗାଁରେ ମୃତକଙ୍କ ପରିବାରକୁ ଭେଟି ଏହା କହିଛନ୍ତି ପ୍ରଦେଶ କଂଗ୍ରେସ କମିଟି ସଭାପତିି ନିରଞ୍ଜନ ପଟ୍ଟନାୟକ। ଘଟଣା ସଂପର୍କରେ ସେ ମୃତକଙ୍କ ପରିବାରକୁ ପଚାରି ବୁଝିବା ସହ ସମବେଦନା ଜଣାଇଥିଲେ। ଏହାପରେ ଗାଁରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ ଏଭଳିି ଦୁଃଖଦ ତଥା କରୁଣ ଘଟଣା ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଥିଲେ। ସରକାରଙ୍କ ଦାୟିତ୍ଵ ହୀନତା ଯୋଗୁଁ ଗୋଟିଏ ପରିବାରର ୩ଜଣଙ୍କ ଜୀବନ ଅକାଳରେ ଚାଲିଗଲା। ଲୋକଙ୍କ ଅଭାବ ଏବଂ ଅଭ୍ୟାସ ଯୋଗୁଁ ଏହି ଅଖାଦ୍ୟ ଖାଉଛନ୍ତି। ଯଦି ଅର୍ଥନୈତିକ ସ୍ତରରେ ପରିବର୍ତ୍ତନ ହୁଅନ୍ତା ଏବଂ ଯୋଗାଯୋଗର ଉନ୍ନତି ହୋଇପାରିଥାନ୍ତା ତେବେ ଲୋକେ କେବେ ମଧ୍ୟ ଏପରି ଅଖାଦ୍ୟ ଖାଇନଥାନ୍ତେ। ଆଉ ୩ଜଣଙ୍କ ମୃତ୍ୟୁ ହୋଇ ନଥାନ୍ତା ବୋଲି କହିଥିଲେ। ସେ ପୁଣି କହିଥିଲେ ଝରିଗାଁ ବ୍ଲକରେ ଖାଦ୍ୟ ଅଭାବରୁ ଲୋକେ ଆମ୍ବ ଟାକୁଆ ଖାଉଛନ୍ତି।

ପିସିସି ସଭାପତିଙ୍କ ଏହି ଗସ୍ତ ଅବସରରେ ପ୍ରଚାର କମିଟି ଅଧ୍ୟକ୍ଷ ତଥା ବରିଷ୍ଠ ନେତା ଭକ୍ତ ଚରଣ ଦାସ, ମିଡିଆ ସେଲର ସତ୍ୟ ପ୍ରକାଶ ନାୟକ, ପୂର୍ବତନ ସାଂସଦ ତଥା କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, କୋରାପୁଟ ବିଧାୟକ କୃଷ୍ଣ ଚନ୍ଦ୍ର ସଗରିଆ ପ୍ରମୁଖ ଗାଁରେ ପହଞ୍ଚି ଲୋକଙ୍କ ସମସ୍ୟା ସଂପର୍କରେ ପଚାରି ବୁଝିଥିଲେ।

ସମ୍ବନ୍ଧିତ ଖବର