୨ମାସ ହେଲା ଘର ପୋଡି ସହାୟତା ମିଳିନି

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କଙ୍ଗ୍ରା ପଞ୍ଚାୟତ ଅନ୍ତର୍ଗତ ଓଲମା ଗ୍ରାମରେ ଗତ ଦୁଇ ମାସ ତଳେ ଗୋପିନାଥ ହରିଜନଙ୍କ ଘରେ ନିଆଁ ଲାଗି ୨ ବଖରା ଘର ଛାରଖାର ହୋଇଯାଇଥିଲା। ତେବେ ଏହାକୁ ଦୁଇ ମାସ ବିତିଯାଇଥିଲେ ମଧ୍ୟ ସରକାରୀ ସହାୟତା ମିଳିନଥିବା ଗୋପିନାଥ ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ, ଗତ ୨୧ ଏପ୍ରିଲରେ ଘରେ ନିଆଁ ଲାଗି ୨ ବଖରା ସମ୍ପୁର୍ଣ୍ଣ ଭାବେ ପୋଡିଯାଇଥିଲା। ସେହି ସମୟରେ ରାଜସ୍ୱ ନିରୀକ୍ଷକ ଆସି କେବଳ ପଲିଥିନ ଖଣ୍ଡେ ଦେଇଥିଲେ। ଏବେ ସୁଦ୍ଧା ଆଉ କିଛି ସରକାରୀ ସହାୟତା ମିଳିନାହିଁ। ଏ ସଂପର୍କରେ ଗୋପିନାଥ ବାରମ୍ବାର ତହସିଲଦାରଙ୍କ ନିକଟରେ ଆବେଦନ କରିଥିଲେ ମଧ୍ୟ କିଛି ଆର୍ଥିକ ସହାୟତା ମିଳିପାରିନାହିଁ ବୋଲି କହିଛନ୍ତି। ଏବେ ସେହି ପଲିଥିନ ତଳେ ପତ୍ନୀ ଓ ୩ ଜଣ ପୁଅ ସହ ରହୁଛନ୍ତି। ତେବେ ୨ ପୁଅ ରକ୍ତ ଶିକୁଳିରେ ପୀଡିତ। ତେଣୁ ପୁଅଙ୍କ ଚିକିତ୍ସା ପାଇଁ ପ୍ରତି ମାସରେ ଅର୍ଥ ଖର୍ଚ୍ଚ ହେଉଛି। ସେ ନିଜେ କୁଲି କାମ କଲେ ପରିବାର ଚଳୁଛି। ଆର୍ଥିକ ସମସ୍ୟା ଥିବାରୁ ସେ ନିଜେ ଘର ତୋଳିପାରୁ ନାହାନ୍ତି। ଏଣୁ ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିମ୍ବା ବିଜୁ ପକ୍କା ଘର ଯୋଗାଇଦେବା ପାଇଁ ସେ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର