ମହଙ୍ଗା ହେଲା ଆଦର୍ଶ ବିଦ୍ୟାଳୟ:ହଷ୍ଟେଲ ନାହିଁ, ଭଡ଼ା ଗାଡ଼ିରେ ଯାଉଛନ୍ତି ଛାତ୍ରଛାତ୍ରୀ

ଚନ୍ଦାହାଣ୍ଡି: ଗ୍ରାମାଞ୍ଚଳର ମେଧାବୀ ଛାତ୍ରଛାତ୍ରୀଙ୍କୁ ଉନ୍ନତ ମାନର ଶିକ୍ଷାଦାନ ପାଇଁ ରାଜ୍ୟର ପ୍ରତି ବ୍ଲକରେ ଓଡିଶା ଆଦର୍ଶ ବିଦ୍ୟାଳୟ ପରିକଳ୍ପନା କରାଯାଇଛି। ବ୍ଲକସ୍ତରରେ ଇଂରାଜୀ ମାଧ୍ୟମ ଶିକ୍ଷାଦାନ ପାଇଁ ରାଜ୍ୟ ସରକାର ଆଦର୍ଶ ବିଦ୍ୟାଳୟ ଆରମ୍ଭ କରିଛନ୍ତି। ଆଦର୍ଶ ବିଦ୍ୟାଳୟରେ ପିଲାଙ୍କ ରହିବା ପାଇଁ ହଷ୍ଟେଲର ବ୍ୟବସ୍ଥା ବି କରାଯାଇଛି। ଏହିକ୍ରମରେ ଚନ୍ଦାହାଣ୍ଡି ବ୍ଲକ ଫଟିକି ଗ୍ରାମରେ ଆଦର୍ଶ ବିଦ୍ୟାଳୟ ସ୍ଥାପନ ନିମନ୍ତେ ସ୍ଥିର କରାଯାଇଥିଲା। ଏହି ବିଦ୍ୟାଳୟରେ ନାମ ଲେଖାଇ ଏବେ ପିଲା ଏବଂ ସେମାନଙ୍କ ଅଭିଭାବକ ପସ୍ତାଉଛନ୍ତି। ଆଦର୍ଶ ବିଦ୍ୟାଳୟର ପାଠପଢା ଏମାନଙ୍କ ପାଇଁ ମହଙ୍ଗା ହୋଇଛିା ପିଲାଙ୍କ ଯାତାୟତ ପାଇଁ ପ୍ରତିଦିନ ଟଙ୍କା ଯୋଗାଡ କରିବାକୁ ପଡୁଥିବା ଅଭିଭାବକ ପ୍ରକାଶ କରିଛନ୍ତି।
ପ୍ରକାଶଥାଉକି ଚନ୍ଦାହାଣ୍ଡି ବ୍ଲକ ଫଟିକି ପଂଚାୟତ ଅନ୍ତର୍ଗତ ଦୁର୍ଗମ ତିଲିମାଲ ଗ୍ରାମରେ ଓଡିଶା ଆଦର୍ଶ ବିଦ୍ୟାଳୟ ନିର୍ମାଣ ହୋଇଛି। ବ୍ଲକ ସଦର ମହକୁମା ଠାରୁ ଏହା ୧୭କିମି ଦୂରରେ ରହିଛି। ବ୍ଲକର ୧୪ଟି ପଂଚାୟତ ମଧ୍ୟରୁ ୩ରୁ ୪ଟି ପଂଚାୟତକୁ ଛାଡିଦେଲେ ବାକି ପଂଚାୟତ ଗୁଡିକ ବିଦ୍ୟାଳୟ ଠାରୁ ୨୦ରୁ ୩୫ କିଲୋମିଟର ଦୂରରେ ରହିଛି। ୨ବର୍ଷ ହେଲା ସ୍କୁଲ ଖୋଲିଥିଲେ ବି ଆଜି ପର୍ଯ୍ୟନ୍ତ ହଷ୍ଟେଲ ବ୍ୟବସ୍ଥା ହୋଇପାରିନାହିଁ। ହଷ୍ଟେଲ ବ୍ୟବସ୍ଥା ନଥିବା ଯୋଗୁଁ ପିଲା ପ୍ରତିଦିନ ନିଜ ଘରୁ ଯାତାୟାତ କରୁଛନ୍ତି। ଯାତାୟତରେ ସେମାନଙ୍କ ମୂଲ୍ୟବାନ ସମୟ ନଷ୍ଟ ହେବା ସହ ଅଯଥା ଖର୍ଚ୍ଚାନ୍ତ ହେବାକୁ ପଡୁଛି। ସ୍କୁଲ ଥିବା ସ୍ଥାନକୁ ବସ୍‌ କିମ୍ବା ଗାଡି ମୋଟର ଯିବା ଆସିବା ପାଇଁ କୌଣସି ସୁବିଧା ନଥିବାରୁ ଅଭିଭାବକ ବାଧ୍ୟ ହୋଇ ଗାଡି ଭଡା କରି ପଠାଉଛନ୍ତି।

ଏହି ବାବଦରେ ମାସକୁ ୧୫ଶହରୁ ୩ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେଉଥିବା ଅଭିଭାବକ ପ୍ରକାଶ କରିଛନ୍ତି। ଏଭଳି ସମସ୍ୟା ଯୋଗୁଁ କିଛି ଅଭିଭାବକ ସେମାନଙ୍କ ପିଲାଙ୍କ ଟିସି ନେଇ ଅନ୍ୟତ୍ର ପଢାଉଥିବା ଜଣାପଡିଛି। କୌଣସି ସ୍ୱତନ୍ତ୍ର ଗାଡି ବ୍ୟବସ୍ଥା ନଥିବା ଯୋଗୁଁ ଛାତ୍ରଛାତ୍ରୀ ନିଜ ଘରେ ପହଞ୍ଚିବା ବେଳକୁ ସଂଧ୍ୟା ହୋଇଯାଉଛି। ପୁଣି ପରଦିନ ସକାଳୁ ବିଦ୍ୟାଳୟ ସମୟର ଯଥେଷ୍ଟ ପୂର୍ବରୁ ଘରୁ ବାହାରିବାକୁ ପଡୁଥିବା କିଛି ଛାତ୍ର ପ୍ରକାଶ କରିଛନ୍ତି। ଯାତାୟାତରେ ଅଧିକା ସମୟ ବ୍ୟୟ ହେଉଥିବା ଯୋଗୁଁ ପାଠପଢ଼ାରେ ବାଧା ସୃଷ୍ଟି ହେଉଛି। ଦୁଇ ବର୍ଷ ପରେ ବି ସ୍କୁଲରେ କଳା, ସଂସ୍କୃତ, ହିନ୍ଦୀ, କମ୍ପ୍ୟୁଟର ଏବଂ କ୍ରୀଡା ଶିକ୍ଷକ ପଦବି ଖାଲି ପଡିଛି। ଏଭଳି ସମସ୍ୟା ଲାଗି ରହିଥିବା ଯୋଗୁଁ ଏବେ ବିଭିନ୍ନ ମହଲରେ ଅସନ୍ତୋଷ ଦେଖାଦେଇଛି। ତୁରନ୍ତ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଦାବି କରାଯାଇଛି। ଏନେଇ ବିଦ୍ୟାଳୟ ଭାରପ୍ରାପ୍ତ ଅଧ୍ୟକ୍ଷ ତଥା ବିଇଓ ଭଜନଲାଲ ମାଝୀଙ୍କୁ ପଚାରିବାରୁ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ବାଳିକାଙ୍କ ନିମନ୍ତେ ହଷ୍ଟେଲ ଖୋଲିଯିବ ଏବଂ ଏଥିନେଇ ସରକାର ଘୋଷଣା କରି ସାରିଛନ୍ତି ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର