ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର

ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ରାଉଲିଗୁଡା ଗ୍ରାମର ଜଣେ ବୃଦ୍ଧ ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତିି। ତାଙ୍କୁ ନବରଙ୍ଗପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ, ରାଉଲିଗୁଡା ଗ୍ରାମର ଜଗନ୍ନାଥ ଗଉଡ(୬୦) ଆଜି ମଧ୍ୟାହ୍ନ ପ୍ରାୟ ୧୨ଟାରେ ଗାଁ ଠାରୁ ୧କିଲୋମିଟର ଦୂର ପାତ୍ରି ଜଙ୍ଗଲକୁ ଗାଈ ଚରାଇବାକୁ ଯାଇଥିଲେ। ତେବେ ଏହି ସମୟରେ ଜଙ୍ଗଲ ଭିତରୁ ଏକ ମାଇ ଭାଲୁ ଓ ୨ଟି ଛୁଆ ଭାଲୁ ସହିତ ଜଗନ୍ନାଥଙ୍କ ମୁହାଁମୁହିଁ ହୋଇଥିଲା।

ପରେ ମାଇ ଭାଲୁଟି ଜଗନ୍ନାଥଙ୍କ ଉପରକୁ ଆକ୍ରମଣ କରିଥିଲା। ଭାଲୁ ଆକ୍ରମଣରେ ଜଗନ୍ନାଥଙ୍କ ମୁହଁ ଓ ବାମ ହାତରେ ପ୍ରବଳ ଆଘାତ ଲାଗିଥିଲା। ଯନ୍ତ୍ରଣାରେ ଛଟପଟ ହୋଇ ଜଗନ୍ନାଥ ଚିିିତ୍କାର କରିବା ପରେ ମାଇ ଭାଲୁ ସହିତ ଅନ୍ୟ ୨ଟି ଛୋଟ ଭାଲୁ ଜଙ୍ଗଲ ଭିତରକୁ ଚାଲି ଯାଇଥିଲେ। ଭାଲୁ ଆକ୍ରମଣରେ ଗୁରୁତର ହେବା ପରେ ଜଗନ୍ନାଥ ବହୁ କଷ୍ଟରେ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଆସିବା ପରେ ଅଚେତ ହୋଇଯାଇଥିଲେ। ଏହି ରାସ୍ତା ଦେଇ ଯାଉଥିବା କିଛି ଲୋକ ଏହା ଦେଖିବା ପରେ ରାଉଲିଗୁଡା ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ପରେ ଗ୍ରାମବାସୀ ଓ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ୧୦୮ଆମ୍ବୁଲାନ୍‌ସ ଯୋଗେ ଜଗନ୍ନାଥଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଇଥିଲେ।  ତେବେ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିବାରୁ ତାଙ୍କୁ ନବରଙ୍ଗପୁର ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ଜଗନ୍ନାଥଙ୍କ ଆର୍ଥି ପରିସ୍ଥିତି ଭଲ ନଥିବାରୁ ତାଙ୍କ ଚିକିିତ୍ସା ନିମନ୍ତେ ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର