ଦୁର୍ଘଟଣାରେ ଓଏପିଏଫ ଯବାନଙ୍କ ମୃତ୍ୟୁ

ନବରଙ୍ଗପୁର: ନବରଙ୍ଗପୁର ରିଜର୍ଭ ଅଫିସର ଓଏପିଏଫ୍‌ ଯବାନ ତୈଳ ସୌରା (୨୮)ଙ୍କ ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଯବାନ ତୈଳ ସୌରା ଡ୍ୟୁଟି ସାରି ଗତକାଲି ରାତି ୯ଟାରେ ନିଜ ଗାଁ ତେନ୍ତୁଳୁଖୁଣ୍ଟି ବ୍ଲକ ଅନ୍ତର୍ଗତ ବୋରାଗାଁ ଅଭିମୁଖେ ଯାଉଥିଲେ। ରାତି ପ୍ରାୟ ସାଢ଼େ ୯ଟା ବେଳେ କୁର୍ଲୁଘାଟି ନିକଟରେ ଥିବା ଏକ ବୁଲାଣି ରାସ୍ତାରେ ସେ ଭାରସାମ୍ୟ ହରାଇ ରାସ୍ତା ଉପରେ କଚାଡି ହୋଇପଡିଥିଲେ। ରାସ୍ତା କଡରେ ଥିବା ଏକ ଖୁଣ୍ଟରେ ପିଟି ହେବା ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ ରାସ୍ତାରେ ପଡି ରହିଥିବା ବେଳେ ପଛରେ ଆସୁଥିବା ତାଙ୍କ ସହକର୍ମୀ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିିତ୍ସାଳୟରେ ଭର୍ତ୍ତି କରିଥିଲେ।

ମେଡିକାଲରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ କୋରାପୁଟ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। କୋରାପୁଟ ନେବା ରାସ୍ତାରେ ତାଙ୍କ ଶ୍ୱାସକ୍ରିୟାକୁ ନେଇ ସନ୍ଦେହ ହେବାରୁ ପୁଣି ନବରଙ୍ଗପୁର ମେଡିକାଲକୁ ଫେରାଇ ଅଣାଯାଇଥିଲା। ନବରଙ୍ଗପୁର ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଜି ସକାଳୁ ମୃତ ଯବାନଙ୍କ ଶବ ବ୍ୟବଚ୍ଛେଦ ପରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଖବର ଶୁଣି ଗତକାଲି ରାତିରେ ହାବିଲଦାର ଓ କନେଷ୍ଟେବଲ ସଂଘ ଜିଲ୍ଲା ସଭାପତି ଗୌରୀ ଶଙ୍କର ମାଝୀ ଓ ଅନ୍ୟାନ୍ୟ କର୍ମକର୍ତ୍ତା ମେଡିକାଲରେ ପହଞ୍ଚିଥିଲେ। ଯବାନଙ୍କ ମୃତ୍ୟୁରେ ସଂଘ ପକ୍ଷରୁ ଶୋକ ସଭାର ଆୟୋଜନ କରାଯିବା ସହ ଗଭୀର ଶୋକ ପ୍ରକାଶ କରାଯାଇଥିଲା। ଗାଁ ଶ୍ମଶାନରେ ଶୋକାକୁଳ ପରିବେଶ ମଧ୍ୟରେ ଯବାନଙ୍କ ଶେଷକୃତ୍ୟ କରାଯାଇଥିଲା। ମୃତ ଯବାନ ତୈଳ ସୌରାଙ୍କ ଗୋଟିଏ ପୁଅ ଓ ୨ ଝିଅ ଅଛନ୍ତି।

ସମ୍ବନ୍ଧିତ ଖବର