ତେନ୍ତୁଳିଖୁଣ୍ଟି ଅଞ୍ଚଳରେ ମାତିଛନ୍ତି ଲୁଟେରା, ଲୋକେ ଆତଙ୍କିତ

ତେନ୍ତୁିଳିଖୁଣ୍ଟି: ଗତ କିଛି ମାସର ବ୍ୟବଧାନ ପରେ ତେନ୍ତୁଳିଖୁଣ୍ଟି ଅଞ୍ଚଳରେ ଲୁଟେରା ଦଳ ସକ୍ରୀୟ ହୋଇ ଉଠିଛନ୍ତି। ତେନ୍ତୁଳିଖୁଣ୍ଟି-ନବରଙ୍ଗପୁର ଓ ତେନ୍ତୁଳିଖୁଣ୍ଟି-ଦହଣା, ଡଙ୍ଗରଭେଜା, ନବରଙ୍ଗପୁର ରାସ୍ତାକୁ ଲୁଟେରା ମାନେ ନିରାପଦ ସ୍ଥାନ ଭାବେ ବାଛି ନେଇ ଲୁଟ୍‌ କରୁଛନ୍ତି। ଦିନ ଦ୍ୱିପ୍ରହରରେ ଲୁଟ୍‌ ହେଉଥିବାରୁ ଏହି ରାସ୍ତାରେ ବାଇକ୍‌ ଦ୍ୱାରା ଯିବାକୁ ଲୋକେ ଭୟ କରୁଛନ୍ତି। ତେନ୍ତୁଳିଖୁଣ୍ଟି-ନବରଙ୍ଗପୁର ମୁଖ୍ୟ ରାସ୍ତାର ପଠାଣଗୁଡା, ମେଣ୍ଟି୍ର-ତେନ୍ତୁଳିଖୁଣ୍ଟି ଛକ ତଥା କୁକୁଡାବାଇ ଛକ ନିକଟରେ ଲୁଟେରା ପଥଚାରୀଙ୍କୁ ଭୟ ଦେଖାଇ ଲୁଟ୍‌ କରୁଥିବା ଅଭିଯୋଗ ହୋଇଛି। ସେହିପରି ତେନ୍ତୁଳିଖୁଣ୍ଟି ବ୍ଲକର କୃଷ୍ଣଗୁଡା-ଗୁମିଦରା ରାସ୍ତାରେ ଗତ କିଛି ଦିନ ହେଲା ଲୁଟ୍‌ ହେଉଥିବା ସୂଚନା ମିଳିଛି।

ଲୁଟ୍‌ର ଶିକାର ହୋଇଥିବା କିଛି ବ୍ୟକ୍ତି ନବରଙ୍ଗପୁର ଓ ତେନ୍ତୁଳିଖୁଣ୍ଟି ଥାନାରେ ଅଭିଯୋଗ କରିଥିବା ବେଳେ ଅନ୍ୟ କିଛି ବ୍ୟକ୍ତି ନିରବ ରହୁଛନ୍ତି। ଲୁଟେରା ମାନେ ଛୁରୀ, ଭୁଜାଲି ଓ ଧାରୁଆ ମାରଣାସ୍ତ୍ର ଦେଖାଇ ପଥଚାରୀଙ୍କୁ ଭୟଭୀତ କରି ଟଙ୍କା, ମୋବାଇଲ, ସୁନା, ଗହଣା ଲୁଟ୍‌ କରୁଥିବା ଜଣାପଡିଛି। ଦୁର୍ବୃତ୍ତ ମାନେ ବ୍ୟବସାୟୀ, ବିଭିନ୍ନ ଅର୍ଥ ଲଗାଣକାରୀ ସଂସ୍ଥାର କର୍ମଚାରୀ, ବ୍ୟାଙ୍କରୁ ଟଙ୍କା ଉଠାଣ କରି ଆସୁଥିବା ବ୍ୟକ୍ତିଙ୍କୁ ଟାର୍ଗେଟ କରୁଛନ୍ତି।  କିଏ କେତେବେଳେ କେଉଁଠି ଟଙ୍କା ଉଠାଇ ଯାଉଛି ସେନେଇ କିଛି ଦୁର୍ବୃତ୍ତ ନିଜ ସହଯୋଗୀଙ୍କୁ ଫୋନ ଯୋଗେ ଜଣାଇବା ପରେ ସଂପୃକ୍ତ ବ୍ୟକ୍ତିଙ୍କ ଠାରୁ ଲୁଟ୍‌ ହେଉଥିବା ସୂଚନା ମିଳିଛି। ଅନ୍ୟପଟେ ଦିନ ଦ୍ୱିପ୍ରହରରେ ଲୁଟ୍‌ ହେଉଥିବାରୁ ତେନ୍ତୁଳିଖୁଣ୍ଟି-ନବରଙ୍ଗପୁର ରାସ୍ତା ଦେଇ ଯାତାୟତ କରିବାକୁ ଲୋକେ ବିପଦ ମଣୁଛନ୍ତି। ଏହି ସମସ୍ତ ସ୍ଥାନରେ ପୁଲିସ ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରିବା ନିମନ୍ତେ ଶୀଘ୍ର ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ଦାବି ହୋଇଛି।

ସମ୍ବନ୍ଧିତ ଖବର