ଫଟୋ ଭାଇରାଲ ପରେ ପ୍ରଧାନ ଶିକ୍ଷକ ନିଲମ୍ବିତ:କାର୍ଯ୍ୟାନୁଷ୍ଠାନକୁ ଛାତ୍ରଛାତ୍ରୀଙ୍କ ବିରୋଧ

ତେନ୍ତୁଳିଖୁଣ୍ଟି: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ସଦର ମହକୁମା ସ୍ଥିତ ସରକାରୀ ବାପୁଜୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ନିଲମ୍ବନ ଆଦେଶ ବାତିଲ ଦାବିରେ ଆଜି ସମସ୍ତ ଛାତ୍ରଛାତ୍ରୀ ରାଜରାସ୍ତା ଅବରୋଧ କରିଛନ୍ତି। ଏଥିସହ ବିଦ୍ୟାଳୟର ଏକ ଫଟୋ ଭାଇରାଲ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଏବଂ ଏନେଇ ଖବର ପ୍ରକାଶ କରିଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି କରିଛନ୍ତି। ଯଦି ଶୀଘ୍ର ଦାବି ପୂରଣ ନହୁଏ ତେବେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଛାତ୍ରଛାତ୍ରୀ ଚେତାବନୀ ଦେଇଛନ୍ତି।
ସୂଚନା ଅନୁଯାୟୀ, ସରକାରୀ ବାପୁଜୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଜନୀ କୁମାର ପାତ୍ର ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନିଜର ଭାବି ଆଦର କରିବା ସହ ଗେହ୍ଲା କରିଥାନ୍ତି। ତେବେ ଏହି ବିଦ୍ୟାଳୟର କିଛି ବ୍ୟକ୍ତି ବିଶେଷ ଏହାକୁ ସହ୍ୟ କରିନପାରି ଶ୍ରୀ ପାତ୍ର ଜଣେ ଛାତ୍ରୀଙ୍କୁ ଗେହ୍ଲା କରିବା ସମୟର ଫଟୋ ଉତ୍ତୋଳନ କରି ଖରାପ ଉଦ୍ଦେଶ୍ୟ ନେଇ ଭାଇରାଲ କରିଥିଲେ। ଏପରିକି ଏକ ନିର୍ଦିଷ୍ଟ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇଥିଲା। ଏହା ଜାଣିବା ପରେ ଛାତ୍ରୀଙ୍କ ପରିବାର ଲୋକ  ତେନ୍ତୁଳିଖୁଣ୍ଟି ଥାନାରେ ଏତଲା ଦେବା ସହ ଫଟୋ ଭାଇରାଲ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ଅନ୍ୟପଟେ ଏଭଳି ଫଟୋ ଭାଇରାଲ ହେବା ପରେ ପ୍ରଧାନ ଶିକ୍ଷକ ଶ୍ରୀ ପାତ୍ରଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିଲା।  ଶ୍ରୀ ପାତ୍ର ବିଦ୍ୟାଳୟରେ ପହଞ୍ଚି ତାଙ୍କୁ ନିଲମ୍ବନ କରାଯାଇଥିବା ନେଇ ଛାତ୍ରଛାତ୍ରୀଙ୍କୁ କହିବା ସହ ଆସନ୍ତାକାଲି ଠାରୁ ଆଉ ସ୍କୁଲ ଆସିବିନି ବୋଲି କହିଥିଲେ। ଏହା ଶୁଣିବା ମାତ୍ରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଉତ୍ତେଜିତ ହୋଇପଡିଥିଲେ।
ବିଦ୍ୟାଳୟ ଫାଟକରେ ତାଲା ପଡିଥିବା ସତ୍ତ୍ୱେ ଶତାଧିକ ଛାତ୍ରଛାତ୍ରୀ ତାଲା ଭାଙ୍ଗି ବିଇଓ ଓ ପରେ ବିଡିଓ କାର୍ଯ୍ୟାଳୟକୁ ଯାଇ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ ଆଦେଶ ବାତିଲ କରିବାକୁ ଦାବି କରିଥିଲେ। ତେବେ ବିଇଓ ଓ ବିଡିଓ ଏହା ଆମ ହାତର କଥା ନୁହେଁ ବୋଲି କହିବାରୁ ଉତ୍ତ୍ୟକ୍ତ ଛାତ୍ରଛାତ୍ରୀ ଶେଷରେ କୁର୍ମାକୋଟ ଛକ ତଥା ନବରଙ୍ଗପୁର-ତେନ୍ତୁଳିଖୁଣ୍ଟି ରାଜରାସ୍ତା ଅବରୋଧ କରିଥିଲେ। ସକାଳ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଭୋକ ଉପାସରେ ଆନ୍ଦୋଳନରେ ସାମିଲ ହୋଇଥିଲେ। ଖବର ପାଇ ତେନ୍ତୁଳିଖୁଣ୍ଟି ବିଡିଓ ଅକ୍ଷମିତା କାର୍ତିକ ଓ ଭାରପ୍ରାପ୍ତ ତହସିଲଦାର ରାମ ଗୋବିନ୍ଦ ପରିଡା କୁର୍ମାକୋଟ ଛକରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ବୁଝାଶୁଝା କରିବା ପରେ ଛାତ୍ରଛାତ୍ରୀ ରାସ୍ତା ଅବରୋଧରୁ ହଟିଥିଲେ। ପରେ ସ୍କୁଲରେ ବିଇଓ ଟି. ମିନତୀ ଓ ଏବିଇଓଙ୍କ ସମେତ ସ୍କୁଲ ପରିଚାଳନା କମିଟି, ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଦାବି ସଂପର୍କରେ ଜିଲ୍ଲାସ୍ତରୀୟ ଅଧିକାରୀ ଅବଗତ କରାଯିବ ବୋଲି ବିଇଓ ପ୍ରତିଶ୍ରୁତି ଦେଇଥିଲେ। ଯଦି ଏଥିରେ ବ୍ୟତିକ୍ରମ ଦେଖାଦିଏ ତେବେ ଆଗାମୀ ଦିନରେ ପୁଣି ଥରେ ଆନ୍ଦୋଳନ କରାଯିବ ବୋଲି ଛାତ୍ରଛାତ୍ରୀ, ଅଭିଭାବକ, ସ୍କୁଲ ପରିଚାଳନା କମିଟି କର୍ମକର୍ତାଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି।

ସମ୍ବନ୍ଧିତ ଖବର