ନବରଙ୍ଗପୁର: ଦୟନୀୟ ଅବସ୍ଥାରେ ୨ କିଲୋମିଟର ଖଟିଆରେ ବୁହାହେଲେ ପ୍ରସୂତୀ

ଝରିଗାଁ(ନବରଙ୍ଗପୁର): ନିରାପଦ ମାତୃତ୍ୱ ନେଇ ସରକାର ବିବିଧ ଯୋଜନା ପ୍ରଣୟନ କରିଥିଲେ ମଧ୍ୟ ତାହା ଫଳପ୍ରଦ ହୋଇ ପାରୁନାହିଁ। କିଛି ଅଧିକାରୀଙ୍କ ଦାୟିତ୍ୱହୀନତା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରସୂତୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବାର ଅଭିଯୋଗ ହେଉଛି। ଏଯାବତ କେଉଁଠି ଗମନାଗମନର ଅସୁବିଧା ତ କେଉଁଠି ଏହା ସୁବିଧା ଥିଲେ ମଧ୍ୟ ଆମ୍ବୁଲାନ୍ସ ସେବା ମିଳିବାରେ ବିଳମ୍ବ ହୋଇଥାଏ। ଅନ୍ୟପକ୍ଷରେ କେଉଁଠି ପରିବାରର ଅବହେଳା ଯୋଗୁଁ ପ୍ରସୂତୀଙ୍କୁ ଯନ୍ତ୍ରଣା ସହ୍ୟ କରିବାକୁ ପଡ଼ିଥାଏ।

ଏଭଳି ଏକ ଘଟଣା ବୁଧବାର ନବରଙ୍ଗପୁର ଜିଲ୍ଲାର ଝରିଗାଁ ବ୍ଲକ ଅନ୍ତର୍ଗତ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ପିପୁଭଟ୍ଟା ଗ୍ରାମକୁ ଯାତାୟତ ନେଇ ରାସ୍ତାଟିଏ ନଥିବା ଯୋଗୁଁ ଶେଷରେ ପ୍ରସୂତୀ ଜଣକ ଦୀର୍ଘ ୨ କିଲୋମିଟର ଖଟିଆରେ ବୁହାହୋଇ ଆସିବା ପରେ ଆମ୍ବୁଲାନ୍ସ ଯୋଗେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁସାରେ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଦିପୁଭଟ୍ଟା ଗ୍ରାମର ଅମିନ ସାନ୍ତାଙ୍କ ସ୍ତ୍ରୀ ହୀରା ସାନ୍ତା(୨୦) ଗର୍ଭବତୀ ଥିଲେ। ସେ ମଙ୍ଗଳବାର ପ୍ରସବ ବେଦନା ଅନୁଭବ କରିଥିଲେ। ଗାଁ ରାସ୍ତା ଅଣଓସାରିଆ ଥିବାରୁ ଚାରି ଚକିଆ ଯାନ ପହଞ୍ଚିବା ସମ୍ଭବ ନଥିଲା। ପରିବାର ଲୋକେ ହୀରାଙ୍କ ପ୍ରସବ ହସ୍ପିଟାଲରେ ନକରି ଘରେ କରିବାକୁ ବ୍ୟବସ୍ଥା କରିଥିଲେ। ଆଜି ଭୋର ସକାଳୁ ହୀରା ଏକ ଶିଶୁ କନ୍ୟା ଜନ୍ମ ଦେବା ପରେ ଅଧିକ ଯନ୍ତ୍ରଣା ଅନୁଭବ କରିଥିଲେ। ପରେ ପରିବାର ଲୋକେ ବାଧ୍ୟ ହୋଇ ହସ୍ପିଟାଲ ନେଇ ଯାଇଥିଲେ।

ହୀରାଙ୍କୁ ହସ୍ପିଟାଲରେ ପହଞ୍ଚାଇବା ପୂର୍ବରୁ ୨ କିଲୋମିଟର ଖଟିଆରେ ବୁହା ହୋଇଥିଲା। ଗାଁର ଆଶା ଦିଦି ସତ୍ୟବତୀ କୁଳଦୀପଙ୍କ ସରକାରୀ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ସୂଚନା ମିଳିବା ପରେ ଆମ୍ବୁଲାନ୍ସ ଢେପଗୁଡ଼ାରେ ଅଟକିଥିଲା। ପ୍ରସୂତୀଙ୍କୁ ଢେପଗୁଣା ଅଣାଯିବା ପରେ ସେଠାରୁ ହସ୍ପିଟାଲ ନିଆଯାଇଥିଲା।

ସମ୍ବନ୍ଧିତ ଖବର