ଘରୋଇ ବସରେ ବିକ୍ରିକର ବିଭାଗର ଚଢାଉ

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ପୁୁରୁଣା ବସଷ୍ଟାଣ୍ଡରେ ଏକ ଘରୋଇ ବସ୍‌ ଉପରେ ଆଜି ବିକ୍ରିକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଏହି ବସ୍‌ରେ ବିନା ବିଲ୍‌ ଓ କାଗଜପତ୍ରରେ ବିଭିନ୍ନ ସାମଗ୍ରୀ ପରିବହନ ହେଉଥିବା ଜଣାପଡିଛି। ସୂଚନା ଅନୁଯାୟୀ, ବ୍ରହ୍ମପୁରରୁ ଉମରକୋଟ ଅଭିମୁଖେ ଆସୁଥିବା କାମଧେନୁ ନାମକ ଏକ ଘରୋଇ ବସ୍‌(ଓଡି ୩୨ବି ୩୫୯୯) ରେ ବିନା କାଗଜପତ୍ରରେ ପ୍ଲାଷ୍ଟିକ ଚେୟାର, ଔଷଧ ଓ ମିକ୍ସଚର ଆସୁଥିବା ବିକ୍ରିକର ବିଭାଗ ନିକଟରେ ଖବର ପହଞ୍ଚିଥିଲା। ପରେ ଡେପୁଟି କମିଶନର କୃଷ୍ଣ ମୋହନ ଖଟେଇଙ୍କ ନେତୃତ୍ୱରେ ଏକ ଟିମ୍‌ ଉମରକୋଟ ପୁରୁଣା ବସଷ୍ଟାଣ୍ଡରେ ପହଞ୍ଚି ଏହି ବସ୍‌ ଉପରେ ଚଢାଉ କରିଥିଲେ। ଯାଞ୍ଚ ପରେ ବିନା କାଗଜପତ୍ରରେ ସାମଗ୍ରୀ ଆସୁଥିବା ଜଣାପଡିଥିଲା।

ଆକଳନ ପରେ କେତେ ଟଙ୍କାର ସାମଗ୍ରୀ ବିନା କାଗଜପତ୍ରରେ ପରିବହନ ହେଉଥିଲା ତାହା ଜଣାପଡିବ ଏବଂ ଆଗାମୀ ଦିନରେ ଏଭଳି ଚଢାଉ ଜାରି ରହିବ ବୋଲି ବିକ୍ରିକର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସରକାର ତମାଖୁ ଯୁକ୍ତ ଗୁଟଖା ବିକ୍ରିକୁ ବେଆଇନ ଘୋଷଣା କରିଥିଲେ ହେଁ ପ୍ରତିଦିନ ବ୍ରହ୍ମପୁର ପଟୁ ସରକାରୀ ଓ ଘରୋଇ ବସ୍‌ରେ ଗୁଟଖା, ପାନମସଲା ବେଧଡକ ପରିବହନ କରାଯାଉଛି। ସେହିପରି ଛତିଶଗଡରୁ ଆସୁଥିବା ବସ୍‌ରେ ମଧ୍ୟ ଟିକସ ଫାଙ୍କି ସାମଗ୍ରୀ ପରିବହନ କରାଯାଉଛି। ଏଥିପ୍ରତି ବିକ୍ରିକର ବିଭାଗ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ଦାବି ହୋଇଛି। ବିକ୍ରିକର ବିଭାଗର ଆଜିର ଏଭଳି ଚଢାଉ ପରେ ଉମରକୋଟରେ କୋକୁଆ ଭୟ ଖେଳିଯାଇଛି।

ସମ୍ବନ୍ଧିତ ଖବର