କୋଠରୀରୁ ବରିଷ୍ଠ ଶିକ୍ଷକ ମାଗୁଣି ସ୍ୱାଇଁଙ୍କ ମୃତଦେହ ଉଦ୍ଧାର

ତେନ୍ତୁଳିଖୁଣ୍ଟି: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ କଣ୍ଟାଗାଁ କ୍ଲଷ୍ଟରରେ ଆଞ୍ଚଳିକ ସାଧନ ସଂଯୋଜକ ଭାବେ କାର୍ଯ୍ୟରତ ବରିଷ୍ଠ ଶିକ୍ଷକ ମାଗୁଣି ସ୍ୱାଇଁଙ୍କ ମୃତଦେହ ଏକ ବନ୍ଦ କୋଠରୀରୁ ଉଦ୍ଧାର କରାଯାଇଛି। ସେ ଗତକାଲି ରାତିରେ ଖାଇ ସାରି ଶୋଇବା ପରେ ସକାଳୁ ଉଠିନଥିଲେ। ଖବର ପାଇ ତେନ୍ତୁଳିଖୁଣ୍ଟି ଆଇ.ଆଇ.ସି ପରମାନନ୍ଦ ସୁନାନୀ, ଏସ.ଆଇ ରଂଜିତ କୁମାର ଭୋଇ, ଏ.ଏସ.ଆଇ ପ୍ରକାଶ ଚନ୍ଦ୍ର ପାତ୍ର, ଘଟଣାସ୍ଥଳରେ ପହଂଚି ଶବ ଜବତ କରିବା ସହ ବ୍ୟବଛେଦ ପାଇଁ ନବରଙ୍ଗପୁର ପଠେଇଥିବା ଜଣାପଡିଛି। ସେହିପରି ତେନ୍ତୁଳିଖୁଣ୍ଟି ତହସିଲଦାର ପ୍ରଦୀପ କୁମାର କର ଘଟଣାସ୍ଥଳରେ ପହଂଚି ପରିସ୍ଥିତି ଅନୁଧ୍ୟାନ କରି ଫେରିଥିବା ଜଣାପଡିଛି।

ସୂଚନା ଅନୁଯାୟୀ ଆଞ୍ଚଳିକ ସାଧନ ସଂଯୋଜକ ମାଗୁଣି ସ୍ୱାଇଁ କଣ୍ଟାଗାଁ କ୍ଲଷ୍ଟରରେ କାର୍ଯ୍ୟ କରୁଥିଲେ। ସେ କଣ୍ଟାଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ସିଆରସିସି କୋଠାରେ ରହୁଥିଲେ। ସବୁଦିନ ଭଳି ଖାଇ ପିଇ କବାଟ ଦେଇ ଶୋଇଥିବା ବେଳେ ସକାଳୁ ଆଉ ଉଠି ନ ଥିଲେ। ସେ କିଛି ପିଲାଙ୍କୁ ଟ୍ୟୁସନ କରୁଥିବା ବେଳେ ପିଲା ପାଠ ପଡ଼ିବାକୁ ଆସିଥିଲେ ହେଁ କବାଟ ବନ୍ଦ ଥିବା ଦେଖିଥିଲେ। ପିଲାମାନେ ଯେତେ ଡାକ ଦେଲେ ମଧ୍ୟ କବାଟ ଖୋଲା ହୋଇନଥିଲା।

ତେବେ ପିଲାମାନେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଚିତ୍ରସେନ ଯାନୀଙ୍କୁ ଜଣେଇ ଥିଲେ। ଏନେଇଁ ଚିତ୍ରସେନ ତେନ୍ତୁଳିଖୁଣ୍ଟି ଥାନାକୁ ଖବର ଦେବା ପରେ ପୁଲିସ ପହଂଚି ତହସିଲଦାର ପ୍ରଦୀପ କୁମାର କରଙ୍କ ଉପସ୍ଥିତିରେ କବାଟ ଭଙ୍ଗା ଯାଇଥିଲା। ତେବେ ବିଛଣାରେ ବସିଥିବା ଅବସ୍ଥାରେ ମାଗୁଣିଙ୍କ ମୃତ୍ୟୁ ବରଣ ହୋଇଥିବା ଦେଖିବାକୁ ମିଳିଥିଲା। ମାଗୁଣିଙ୍କ ହୃଦଘାତରେ ମୃତ୍ୟ ହୋଇଥିବା ସାଧାରଣରେ ଚର୍ଚ୍ଚା ହେଉଥିବା ବେଳେ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଥାନା ଆଇ.ଆଇ.ସି ଶ୍ରୀ ସୁନାନୀ ପ୍ରକାଶ କରିଛନ୍ତି। ପୁଲିସ ଏକ ଅପମୃତ୍ୟୁ ହୋଇଛି। ପାତ୍ରପୁଟ ଏ.ଏସ. ଆଇ ରବୀନ୍ଦ୍ର ପ୍ରଧାନ କେଶର ତଦନ୍ତ କରୁଛନ୍ତ।

ସମ୍ବନ୍ଧିତ ଖବର